ଜିତିବା ପ୍ରାର୍ଥୀଙ୍କୁ ହିଁ କେବଳ ଟିକେଟ୍: ବିଜେଡି
ଗାଣତନ୍ତ୍ରିକ ଭିତ୍ତିରେ ପ୍ରାର୍ଥୀ ଚୟନ: ବିଜେପି
ଜିଲ୍ଲା ନେତୃତ୍ବ ହାତରେ ପୂର୍ଣ୍ଣ କ୍ଷମତା: କଂଗ୍ରେସ
ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ସବୁ ରାଜନୈତିକ ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନକୁ ନେଇ ତତ୍ପରତା ଦେଖାଦେଇଛି। ପରସ୍ପର ପରସ୍ପରକୁ କିଭଳି ମାତ୍ ଦେବେ, ସେ ନେଇ ଭିନ୍ନ ଭିନ୍ନ ସ୍ତରରେ ନେତାମାନେ ରଣନୀତି ବୈଠକ କରୁଛନ୍ତି। ସେପଟେ ନେତାମାନେ ନିଜ ସମର୍ଥକଙ୍କୁ କିଭଳି ଦଳୀୟ ଟିକେଟ୍ ପ୍ରଦାନ କରିବେ, ସେ ନେଇ ଦଳର ଶୀର୍ଷ ନେତୃତ୍ବ ନିକଟରେ ଭିଡ଼ ଜମାଉଛନ୍ତି। ଏସବୁ କାରଣରୁ ରାଜଧାନୀ ରାଜନୀତିରେ ହଠାତ୍ ଉଷ୍ମତା ପରିଲକ୍ଷିତ ହେଉଛି। ବିଶେଷକରି ଶାସକ ବିଜେଡି ଦଳରୁ ଟିକେଟ୍ ନେବା ଲାଗି ଅଧିକ ଆଶାୟୀ ଥିବାରୁ କାର୍ପଟଦାର ନେତାମାନଙ୍କ ନିକଟରେ ଅସମ୍ଭବ ଭିଡ଼। ବିରୋଧୀ ଶିବିରରେ କିନ୍ତୁ ସେଭଳି ଉତ୍ସାହ ପରିଲକ୍ଷିତ ହେଉନାହିଁ। ଏପରିକି ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଯେଭଳି ରାଜନୈତିକ ତାତି ଅନୁଭବ ହେଉଥିଲା, ତାହା ଏଥର ପରିଦୃଷ୍ଟ ହେଉନାହିଁ।
ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନିର୍ବାଚନରେ କାହାକୁ ଟିକେଟ୍ ଦିଆଯିବ, ସେ ସଂକ୍ରାନ୍ତ ଚୂଡାନ୍ତ ନିଷ୍ପତ୍ତି ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ହିଁ ନେବେ। ଏବେ ଜିଲ୍ଲା ପ୍ରଭାରୀମାନଙ୍କୁ ଦାୟିତ୍ବ ଦିଆଯାଇଛି; ସେମାନେ ବିଧାୟକ ଓ ସ୍ଥାନୀୟ ନେତାଙ୍କ ସହିତ ପରାମର୍ଶ କରି ସର୍ବନିମ୍ନ ତିନିିଟି ଏବଂ ସବୁ ଜିତିବା ଯୋଗ୍ୟ ପ୍ରାର୍ଥୀଙ୍କ ନାମ ରାଜ୍ୟକୁ ପଠାଇବେ। ଯେଉଁ ପ୍ରାର୍ଥୀ ନିଶ୍ଚୟ ଜିତିବେ ବୋଲି ଦଳର ଶୀର୍ଷ ନେତୃତ୍ବ ହୃଦବୋଧ କରିବେ, ତାଙ୍କୁ ହିଁ ଟିକେଟ୍ ଦିଆଯିବ। ଅର୍ଥାତ୍ ବିଜୟ ସମ୍ଭାବନା ହିଁ ଏକମାତ୍ର ମାପକାଠି।
Twitterଭାରତୀୟ ଜନତା ପାର୍ଟି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ କହିବା କଥା ହେଉଛି, ସମ୍ପୂର୍ଣ୍ଣ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ଏବଂ ସର୍ବସମ୍ମତି କ୍ରମେ ଦଳ ପ୍ରାର୍ଥୀ ଚୟନ କରୁଛି। ଏଥିରେ ରାଜ୍ୟ ନେତୃତ୍ବଙ୍କର ଭୂମିକା ରହିଛି ଏବଂ ଜିଲ୍ଲା ନେତାଙ୍କର ବି। ତୃଣମୂଳସ୍ତରରେ ନେତାମାନେ ଏକାଠି ବସି ପ୍ରାର୍ଥୀ ଚୟନ କରିବା ବେଳେ ରାଜ୍ୟସ୍ତରୀୟ ନେତା ମଧ୍ୟ ଉପସ୍ଥିତ ରହୁଛନ୍ତି। ଏହି ପ୍ରକ୍ରିୟା ଏବେ ଜୋରଦାର ହୋଇଛି ଓ ଖୁବ୍ଶୀଘ୍ର ପ୍ରାର୍ଥୀ ଚୟନକୁ ଚୂଡ଼ାନ୍ତ ରୂପ ଦିଆଯିବ।
କଂଗ୍ରେସ ମୁଖ୍ୟ ମୁଖପାତ୍ର ଗଣେଶ୍ବର ବେହେରା କହିଛନ୍ତି, ଦଳ ସମସ୍ତ ପ୍ରକ୍ରିୟାର ବିକେନ୍ଦ୍ରୀକରଣ କରିଛି। ତୃଣମୂଳସ୍ତରରେ ନେତା ବାଛିବାର ଦାୟିତ୍ବ ଶୀର୍ଷ ନେତୃତ୍ବ ଭୁବନେଶ୍ବରରେ ବସି ନେବେ ନାହିଁ। ଜିଲ୍ଲା ସଭାପତିମାନଙ୍କୁ ଦଳ ଏ କ୍ଷେତ୍ରରେ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିଛି। ସେମାନେ ବ୍ଲକସ୍ତରୀୟ ନେତାଙ୍କ ସହିତ ଆଲେଚାନା କରିବେ ଓ ଯେଉଁମାନେ ଜିତିବା ଯୋଗ୍ୟ ପ୍ରାର୍ଥୀ, ସେମାନଙ୍କ ନାମ ତାଲିକା ରାଜ୍ୟସ୍ତରକୁ ପଠାଇବେ। ଏହି ତାଲିକାକୁ ବିଚାରକୁ ନିଆଯାଇ ମୋହର ମରାଯିବ। ଏପରିକି ଯଦି ସମଭାବାପନ୍ନ ଦଳ ସହିତ ମେଣ୍ଟ ବା ବୁଝାମଣା କରିବାକୁ ଜିଲ୍ଲା ନେତାମାନେ ଚାହାନ୍ତି, ସେମାନେ ଆଞ୍ଚଳିକସ୍ତରରେ ନେଇପାରିବେ।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଭିନ୍ନ ଯୁକ୍ତି ରଖୁଛନ୍ତି। ସେମାନଙ୍କ ମତ ହେଉଛି, ସରକାର ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ସନ୍ତୁଷ୍ଟ କରିବା ଭଳି ଅନେକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଗୋଟିଏ ବାତାବରଣ ସୃଷ୍ଟି ହୋଇଛି, ଯାହାର ଫାଇଦା ସିଧାସଳଖ ଶାସକ ଦଳକୁ ଯିବ। ଆହୁରି ସରଳ ଭାବେ କହିଲେ, ନବୀନଙ୍କ ଲୋକପ୍ରିୟତା ରହିଛି ଏବଂ ଏସବକୁ ମିଶାଇବା ପରେ ବିଜେଡି ପଲା ଭାରି ରହିଛି। ଏଣୁ ଅଧିକରୁ ଅଧିକ ନେତା କଳେବଳେ କୌଶଳରେ ବିଜେଡି ଟିକେଟରେ ଲଢ଼ିବାକୁ ଆଗ୍ରହ ରଖିବା ସ୍ବାଭାବିିକ।
ଏହି ମହଲର କହିବା କଥା ହେଉଛି, ଏ କ୍ଷେତ୍ରରେ ଶାସକ ଦଳର ପ୍ରଭାବଶାଳୀ ଗୋଷ୍ଠୀଙ୍କର ଗୋଟିଏ ଦବଦବା ରହିବ। ସେମାନେ ଅଧିକରୁ ଅଧିକ ନିଜ ଅନୁଗତଙ୍କୁ ଥଇଥାନ କରିବା ଲାଗି ଚାହିଁବେ। ଏହାଦ୍ବାରା ସ୍ଥାନୀୟ କିଛି ଗୁରୁତ୍ବବହନ କରୁଥିବା ନେତା ବାଦ ପଡ଼ନ୍ତି, ତେବେ ଦଳ ବିପଦ ସାମ୍ନା କରିପାରେ। କିନ୍ତୁ ବିଜେଡି ଯେଉଁ ‘ତିନିପତିଆ ଅଙ୍କ’ (ସର୍ବନିମ୍ନ ତିନି ଜଣ ନେତାଙ୍କ ନାମ ରାଜ୍ୟସ୍ତରକୁ ଆସିବ) ସାମ୍ନାକୁ ଆସୁଛି, ସେଥିରୁ ଯାହାକୁ ବି ବାଦ୍ ଦିଆଯିବ, ସେମାନେ ବିଦ୍ରୋହୀ ଭାବେ ଉଭା ହୋଇପାରନ୍ତି। ଯଦି ସ୍ଥାନୀୟ ନେତାଙ୍କୁ ଶୀର୍ଷ ନେତୃତ୍ବ ବିଶ୍ବାସକୁ ନେଇଥିବେ, ତେବେ ଟିକେଟ୍ ବଣ୍ଟନରୁ ସୃଷ୍ଟି ଅସନ୍ତୋଷକୁ କିଛି ପରିମାଣରେ ଚାପି ଦିଆଯାଇପାରେ। ଅନ୍ୟଥା ଏମାନଙ୍କ ମଧ୍ୟରୁ ଅନେକ ନେତା ପ୍ରତିପକ୍ଷ ଦଳର ପ୍ରାର୍ଥୀ ହେବା ସମ୍ଭାବନାକୁ ମଧ୍ୟ ଆଦୌ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହା ନିର୍ବାଚନର ମୁଖ୍ୟ ରୋଚକ ଦୃଶ୍ୟ ହେବ।
/sambad/media/post_attachments/wp-content/uploads/2021/12/bjd-fff.jpg)
ଏଣୁ ବିରୋଧୀ ଦଳ ପ୍ରାର୍ଥୀ ଚୟନ କରିବା ବେଳେ ନିଶ୍ଚିତ ଭାବେ ବିଜେଡି ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ଅନେକାଂଶରେ ବାଧ୍ୟ ହେବେ। ଅର୍ଥାତ୍ ଶାସକ ଦଳର ଯେଉଁ ଅସନ୍ତୁଷ୍ଟ ନେତା କେବଳ ଚିହ୍ନ ଖୋଜିବେ ଓ ନିଜେ ନିର୍ବାଚନ ଖର୍ଚ୍ଚ ସମ୍ଭାଳିବାର ସାମର୍ଥ୍ୟ ରଖିଥିବେ, ସେ ରାତାରାତି ବିରୋଧୀ ଦଳ ପକ୍ଷରୁ ନିର୍ବାଚନରେ ଅବତୀର୍ଣ୍ଣ ହେବେ। ଯାହା ରାଜନୈତିକ ପାଣିପାଗ ବୟାନ କରୁଛି, ଏଥର ନିର୍ବାଚନରେ ଏହାର ଉଦାହରଣ ବେଶୀ ସୃଷ୍ଟି ହୋଇପାରେ। ଏସବୁ କାରଣରୁ ଟିକେଟ୍ ଚୟନ କରିବା ବେଳେ ଶାସକ ଦଳକୁ ବିରୋଧୀଙ୍କ ଅପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ଏବଂ ଟିକେଟ୍ ଘୋଷଣା ହେବା ମାତ୍ରେ ବାଦ୍ ପଡୁଥିବା ନେତାଙ୍କୁ ବି ମନାଇବାକୁ ହେବ ବୋଲି ଏହି ମହଲର ମତ।
ଏଠାରେ ଉଲ୍ଲେଖଥାଉକି, ୨୦୧୭ ନିର୍ବାଚନ ଫଳାଫଳକୁ ତର୍ଜମା କରିବା ପରେ ଗୋଟିଏ ଚିତ୍ର ସାମ୍ନାକୁ ଆସୁଛି ଯେ ଗୋଟିଏ କି ଦୁଇଟି ନୁହେଁ, ପାଖାପାଖି ୧୬ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନଥିଲା। ୨୦୧୨ରେ ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଥିବା ଭାରତୀୟ ଜନତା ପାର୍ଟି କିନ୍ତୁ ନୂଆପଡ଼ା ଛାଡି ଅନ୍ୟ ୨୯ଟି ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଥିଲା। ହେଲେ ସେ ସମୟରେ ରାୟଗଡା, ପୁରୀ, ନୟାଗଡ, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, କନ୍ଧମାଳ, ଝାରସୁଗୁଡା, ଯାଜପୁର, ଜଗତସିଂହପୁର, ଗଞ୍ଜାମ, ଗଜପତି, ଭଦ୍ରକ, ବୌଦ୍ଧ, କଟକ ଭଳି ଅଧା ଓଡ଼ିଶାରେ ବିଜେପିର ପ୍ରଦର୍ଶନ ଉଲ୍ଲେଖନୀୟ ନଥିଲା। ଅନ୍ୟପକ୍ଷରେ ରାୟଗଡା, ସମ୍ବଲପୁର, ସୋନପୁର, ମୟୂରଭଂଜ, କଳାହାଣ୍ଡି, ଦେବଗଡ, ବରଗଡ, ବଲାଙ୍ଗୀର ଭଳି ଜିଲ୍ଲାରେ ବିଜେଡିର ପ୍ରଦର୍ଶନ ଚିନ୍ତାଜନକ ଥିଲା।
ଏହାକୁ ମାପକାଠି କରି ଯେବେ ସବୁ ରାଜନୈତିକ ଦଳ ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି କଲେ, ସେବେ କଂଗ୍ରେସ ବଲାଙ୍ଗୀରରେ କିଛି ପରିମାଣରେ ସ୍ଥିତି ସଜାଡିଲା ସତ ଝାରସୁଗୁଡାରେ ସଂଗଠନ ଦୋହଲିଗଲା। ଅତି ସଂକ୍ଷେପରେ କହିଲେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କଂଗ୍ରେସ ସୀମିତ ରହିଗଲା। ଅନ୍ୟପକ୍ଷରେ ବିଧାନସଭା ଓ ଲୋକସଭାରେ ଯେଭଳି ଭୋଟର ମପାଚୁପା ମତଦାନ କଲେ, ସେଥିରେ ଲୋକସଭାରେ ବିଜେପି ବେଶୀ ପରିମାଣରେ ସଫଳ ହେଲା ଓ ବିଧାନସଭାରେ ବିଜେଡି। ଏବେ ତୃଣମୂଳସ୍ତରରେ ଏହି ନିର୍ବାଚନରେ ଦେଖିବାକୁ ହେବ ଗତ ୩୨ମାସ ଭିତରେ କିଏ କେଉଁ ଜିଲ୍ଲାରେ କିଭଳି ସଂଗଠନ ସଜାଡିଛନ୍ତି, ଏହା ଦଳର ଶକ୍ତି ବଢ଼ାଇଛି ନା ବିଗାଡିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-ffaaa.jpg)