କେନ୍ଦୁଝର: କିଏ ଇଞ୍ଜିନିୟର ଥିଲେ ତ କିଏ ଶିକ୍ଷକତା କରୁଥିଲେ। ସମୟକ୍ରମେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରି ସଫଳ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବହୁ ନେତା। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କଠାରୁ ଆରମ୍ଭ କରି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜୟଦେବ ଜେନା, ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କ ପରି ଚର୍ଚ୍ଚିତ ରାଜନେତା ଏକଦା ସରକାରୀ ଚାକିରି କରୁଥିଲେ।

Advertisment

କେନ୍ଦୁଝର ଜିଲ୍ଲାର ସବୁଠୁ ଚର୍ଚ୍ଚିତ ରାଜନେତା ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ। ସେ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ। ଯୋଡ଼ା ବ୍ଲକ୍‌ ବନେଇକଳା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଥିଲେ। ଶ୍ରୀ ପଟ୍ଟନାୟକ ଶିକ୍ଷକତା ଛାଡ଼ି ରାଜନୀତିକୁ ଆସିବା ପରେ ଯୁବ କଂଗ୍ରେସର ସଂଯୋଜକ, ରାଜ୍ୟ କଂଗ୍ରେସ କମିଟିର ସଦସ୍ୟ, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷ, ଦୁଇଥର ସେଣ୍ଟ୍ରାଲ କୋଅପରଟେିଭ ବ୍ୟାଙ୍କର ସଭାପତି, ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି, ଚାରିଥର ବିଧାୟକ, କ୍ୟାବିନେଟ ମନ୍ତ୍ରୀ ଓ ଦୁଇଥର ପିସିସି ସଭାପତି ଦାୟିତ୍ବ ତୁଲାଇଛନ୍ତି। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ଶିକ୍ଷକତା‌ କରୁଥିଲେ। ସେ ଅଲ ଓଡ଼ିଶା ସେକେଣ୍ଡାରି ଟିଚର୍ସ ଫେଡେରେସନର ସାଧାରଣ ସମ୍ପାଦକ ଥିଲେ। ରାଜ୍ୟ ସ୍କାଉଟ ଓ ଗାଇଡର ଉପସଭାପତି ଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷକତା ଛାଡ଼ି ରାଜନୀତିରେ ଯୋଗଦେଥିଲେ। ପ୍ରଦେଶ ଯୁବ କଂଗ୍ରେସ କମିଟିର ଉପସଭାପତି, ପିସିସି ସାଧାରଣ ସଂପାଦକ, ଉପସଭାପତି, ଏଆଇସିସିର ସଂପାଦକ, ଚାରିଥର ବିଧାୟକ, ମନ୍ତ୍ରୀ ଓ ପିସିସି ସଭାପତି ଦାୟିତ୍ବ ତୁଲାଇଛନ୍ତି।

ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଅଧ୍ୟାପକ ଥିଲେ। ସେ ରେଢ଼ାଖୋଲ ମହାବିଦ୍ୟାଳୟ ଓ ଆନନ୍ଦପୁର ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଅଧ୍ୟାପନା କରି ଚାକିରି ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ଏକାଧିକ ଥର ବିଧାୟକ ଓ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ରହିଥିଲେ। ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ଇଞ୍ଜିନିୟର ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେ ସୁବର୍ଣ୍ଣରେଖା ଜଳଚେସନ ପ୍ରକଳ୍ପରେ ଇଞ୍ଜିନିୟର ଥିଲେ। ଶ୍ରୀ ନାୟକ ଚାକିରି ଛାଡ଼ି ତେଲକୋଇ ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ‌େହବାସହ ବୈଷୟିକ ଶିକ୍ଷା ଓ ଦକ୍ଷତାବିକାଶ ବିଭାଗର ମନ୍ତ୍ରୀ ଦାୟିତ୍ବ ନିର୍ବାହ କରିଛନ୍ତି। କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତନ ‌ମୋହନ ଚରଣ ମାଝୀଙ୍କ ବୃତ୍ତିଗତ ଜୀବନ ମଧ୍ୟ ଶିକ୍ଷକତାରୁ ଆରମ୍ଭ ହୋଇଥିଲ। ସେ ଝୁମ୍ପୁରା ଶିଶୁମନ୍ଦିରରେ ଶିକ୍ଷକତା କରୁଥିଲେ। ଶିକ୍ଷକତା ଛାଡ଼ି ପ୍ରଥମେ ସେ ନିଜ ପଞ୍ଚାୟତ ରାଇକଳାର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ତିନିଥର ବିଧାୟକ ହେବା ସହ ବିରୋଧୀ ଦଳର ମୁଖ ସଚେତକ ଦ‌ାୟିତ୍ବ ତୁଲାଉଛନ୍ତି। ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ପ୍ରାଣୀଧନ ନିରୀକ୍ଷକ (ଏଲ୍‌ଆଇ) ଭାବେ କାର୍ଯ୍ୟ କରୁଥିଲେ। ସେ ଚାକିରି ଛାଡ଼ି ଦୁଇଥର ବିଧାୟକ ହୋଇସାରିଲେଣି। ସେହିପରି ତେଲକୋଇର ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକ, ପାଟଣାର ପୂର୍ବତନ ବିଧାୟକ ହୃଷୀକେଶ ନାୟକ, ଚମ୍ପୁଆର ପୂର୍ବତନ ବିଧାୟକ ସହରାଇ ଓରାମ, ତେଲକୋଇର ପୂର୍ବତନ ବିଧାୟକ ନୀଳାଦ୍ରି ନାୟକ ପ୍ରମୁଖ ଶିକ୍ଷକତା ଚାକିରି ଛାଡ଼ି ରାଜନୀତିକୁ ଆସିଥିବା ବେଳେ ପୂର୍ବତନ ସାଂସଦ ଅନନ୍ତ ନାୟକ ଓ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଇଞ୍ଜିନିୟର ଛାକିରି ଛାଡ଼ି ରାଜନୀତିରେ ପାଦ ଥାପି ନିଜ ପରିଚୟ ସୃଷ୍ଟି କରିଛନ୍ତି।