କଟକ: ରାଜ୍ୟରେ ସିନେମା ଶିଳ୍ପକୁ ପ୍ରୋତ୍ସାହନ ଦେବାକୁ ନିର୍ମାଣ ହୋଇଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ଏବେ ମୁରବିଶୂନ୍ୟ ହୋଇଯାଇଛି। ଏପର୍ଯ୍ୟନ୍ତ ନିଗମର କେହି ଅଧ୍ୟକ୍ଷ ନିଯୁକ୍ତ ହୋଇ ନଥିଲା ବେଳେ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ସମର୍ଥ ବର୍ମା ଅତିରିକ୍ତ ଦାୟିତ୍ବ ପାଇଥିବାରୁ ତାଙ୍କୁ ଏଠାରେ ପ୍ରାୟତଃ ଦେଖିବାକୁ ମିଳେନାହିଁ। ମ୍ୟାନେଜର ପଦବି ମଧ୍ୟ ଖାଲି ପଡ଼ିଥିବାରୁ ସେଥି‌ରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ବସାଯାଇଛି। ଏଭଳି ସ୍ଥିତିରେ ନିଗମର ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ଅନେକ ସମସ୍ୟା ହେଉଥିବା ଅଭିଯୋଗ ହେଉଛି। ୧୯୭୬ ମସିହାରେ ବକ୍ସିବଜାରସ୍ଥିତ ଚଳଚ୍ଚିତ୍ର ଭବନରେ ଆରମ୍ଭ ହୋଇଥିବା ଏହି ନିଗମରେ ସତ୍ୟବ୍ରତ ତ୍ରିପାଠୀ (କୁନା) ନିଗମର ଶେଷ ଅଧ୍ୟକ୍ଷ ଥିଲେ। ରାଜ୍ୟରେ ସରକାର ବଦଳିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଆଉ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି। ତେଣୁ ନିଗମର କୌଣସି ବଡ଼ ନିଷ୍ପତ୍ତି ନେବାକୁ ହେଲେ ପରିଚାଳନା ନିର୍ଦ୍ଦେଶକଙ୍କ ଉପରେ ନିର୍ଭର କରାଯାଉଛି। ବୈଷିୟକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ସମର୍ଥ ବର୍ମା ଭୁବନେଶ୍ବରରେ ବସୁଥିବା ବେଳେ ଓଏଫ୍‌ଡିସି ସହିତ ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ତେଣୁ ଓଏଫ୍‌ଡିସିର କୌଣସି ଫାଇଲ୍‌ରେ ତାଙ୍କର ଦସ୍ତଖତ ନେବାକୁ ହେଲେ ବାରମ୍ବାର ଭୁବନେଶ୍ବର ଦୌଡ଼ିବାକୁ ପଡୁଛି। ଫଳରେ ଅନେକ କାର୍ଯ୍ୟ ବିଳମ୍ବିତ ହେଉଥିଲା ବେଳେ ଫାଇଲ୍‌ ପଡ଼ିରହୁଛି। 

Advertisment

ହାତଗଣତି କର୍ମଚାରୀରେ ଚାଲିଛି ଚଳଚ୍ଚିତ୍ର ଭବନ
ପଛେଇ ଯାଉଛି ଏକାଧିକ ପ୍ରକଳ୍ପ
ଆରମ୍ଭ ହୋଇପାରୁନି ୱେବ୍‌ପୋର୍ଟାଲ୍‌

ଓଏଫ୍‌ଡିସିରେ କର୍ମଚାରୀ ସଙ୍କଟ ମଧ୍ୟ ଗୁରୁତର ହେଲାଣି। ଏକଦା ଏହି କାର୍ଯ୍ୟାଳୟରେ ୩୩ ଜଣ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟ କରୁଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୪କୁ ଖସିଆସିଛି। ଷ୍ଟେନୋଗ୍ରାଫର, ଅଫିସ୍‌ ଆସିଷ୍ଟାଣ୍ଟ, ପିଅନ ଓ ଜଣେ ସିକ୍ୟୁରିଟି ଗାର୍ଡ ଏଠାରେ ସ୍ଥାୟୀ ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ନିଗମର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଉଟସୋର୍ସିଂ ସଂସ୍ଥା ଉପରେ ନିର୍ଭର କରାଯାଉଛି। ଆଉ ସ୍ଥାୟୀ ନିଯୁକ୍ତି ଦିଆଯାଉ ନଥିବାରୁ ନିଗମର ଭବିଷ୍ୟତ ନେଇ କର୍ମଚାରୀମାନେ ଆଶଙ୍କା ପ୍ରକଟ କରିଛନ୍ତି।

ଅନ୍ୟପକ୍ଷରେ ମୁରବି ନ ଥିବାରୁ ନିଗମର କିଛି ପ୍ରକଳ୍ପ ମଧ୍ୟ ଆଗେଇ ପାରୁନାହିଁ। ୨୦୧୯ ମସିହାରେ ପ୍ରସ୍ତୁତ ହୋଇଥିବା ନିଗମର ୱେବ୍‌ସାଇଟ୍‌କୁ ବନ୍ଦ କରାଯାଇ ଏକ ୱେବ୍‌ପୋର୍ଟାଲ୍‌ ଆରମ୍ଭ କରାଯିବାକୁ ୨୦୨୩ରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଓକାକ୍‌କୁ ୧୬.୨୬ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ହେଲେ ଦୁଇ ବର୍ଷ ହେଲାଣି ପୋର୍ଟାଲ୍‌ ଆରମ୍ଭ ହୋଇପାରୁନି। ଅନ୍‌ଲାଇନ୍‌ ମାଧ୍ୟମରେ କଳିଙ୍ଗ ଷ୍ଟୁଡିଓରେ ସୁଟିଂ, ନିଗ‌ମ ପ୍ରେକ୍ଷାଳୟରେ ‌ସ୍କ୍ରିନିଂ କିମ୍ବା ରାଜ୍ୟର କୌଣସି ସ୍ଥାନରେ ସିନେମା ସୁଟିଂ କରିବାକୁ ଚାହୁଥିଲେ ଏହି ପୋର୍ଟାଲ୍‌ ମାଧ୍ୟମରେ ଆବେଦନ କରାଯାଇପାରିବ ବୋଲି କୁହାଯାଇଥିଲା। ଏଥିସହ ଓଡ଼ିଶା ଚଳଚ୍ଚିତ୍ର ନୀତି ଅନୁଯାୟୀ ଆର୍ଥିକ ସୁବିଧା ଓ ସବ୍‌ସିଡି ପାଇବାକୁ ଆବେଦନ କରାଯିବା ବ୍ୟବସ୍ଥା ହେବାର ଥିଲା। କିନ୍ତୁ ପୋର୍ଟାଲ୍ ଆରମ୍ଭ ହୋଇପାରୁ ନ ଥିବାରୁ ଅନେକ ଆଶାୟୀଙ୍କୁ ଅବେଦନ ପାଇଁ ଭୁବନେଶ୍ବର-କଟକ ଚକ୍କର କାଟିବାକୁ ପଡୁଥିବା କୁହାଯାଇଛି।