ବ୍ରହ୍ମପୁର: ଭାରତୀୟ ଜନତା ପାର୍ଟି ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ ସହ ବିଜେଡିର ଗଡ଼ ଥିବା ଗଞ୍ଜାମ ଜିଲ୍ଲାରେ ୧୧ଟି ଆସନ ଦଖଲ କରିଛି। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ସାଂଗଠନିକ ସ୍ତରରେ ଯେଭଳି ସୁଦୃଢ଼ ହେବା କଥା ତାହା ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷରେ ବିବାଦୀୟ ସ୍ଥିତିରେ ଗଞ୍ଜାମ ସାଂଗଠନିକ ଜିଲ୍ଲା ସଭାପତି ଡା. ସୁବାସ ଚନ୍ଦ୍ର ସାହୁଙ୍କୁ ରାଜନୈତିକ କାର୍ଯ୍ୟକ୍ରମରୁ ଦୂରେଇ ରଖାଯାଇଛି। କିଛିଦିନ ତଳେ ତାଙ୍କୁ ଦାୟିତ୍ବମୁକ୍ତ କରିବାକୁ ରାଜ୍ୟ ସଭାପତିଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ନୂଆ ଜିଲ୍ଲା ସଭାପତି କାହାକୁ କରାଯିବ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି।
ସାଂଗଠନିକ ଦୃଷ୍ଟିକୋଣରୁ ବିଜେପି ଗଞ୍ଜାମ ଜିଲ୍ଲାକୁ ଘୁମୁସର ଓ ଗଞ୍ଜାମ ଏଭଳି ଦୁଇଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରିଛି। ଗଞ୍ଜାମ ସାଂଗଠନିକ ଜିଲ୍ଲା ସଭାପତି ଭାବେ ବର୍ତ୍ତମାନର ବାଣିଜ୍ୟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗ ଧରିଥିଲେ। ୨୦୨୩ ନଭେମ୍ବରରେ ଦଳ ଶ୍ରୀ ଜେନାଙ୍କୁ ସଭାପତି ପଦରୁ ବିଶ୍ରାମ ଦେଇ ଦଳର ବରିଷ୍ଠ ନେତା ଡା.ସୁବାସ ଚନ୍ଦ୍ର ସାହୁଙ୍କୁ ସଭାପତି ଦାୟିତ୍ବ ପ୍ରଦାନ କରିଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜାମ ସାଂଗଠନିକ ଜିଲ୍ଲାର ସଭାପତି ଭାବେ ଡା.ସାହୁ ବେଶ କିଛିମାସ ସୂଚାରୁ ଭାବେ କାର୍ଯ୍ୟକରିବା ପରେ ନିର୍ବାଚନ ପୂର୍ବରୁ ଦଳୀୟ ନେତାଙ୍କ ରୋଷର ଶିକାର ହୋଇଥିଲେ। ୨୦୨୪ ମାର୍ଚ୍ଚ ମାସରୁ ସଭାପତି ଡା.ସାହୁଙ୍କ ସହ ଜିଲ୍ଲାର ବରିଷ୍ଠନେତାଙ୍କ ମଧ୍ୟରେ ବିବାଦ ଫଳରେ ସେ କେବଳ ରାଜ୍ୟ ନେତୃବର୍ଗଙ୍କୁ ଧରି କାର୍ଯ୍ୟ କରୁଥିଲେ।
ଦାୟିତ୍ବମୁକ୍ତ କରିବାକୁ ଚିଠି ଲେଖିଲେ ଜିଲ୍ଲା ସଭାପତି
ସଭାପତି ପଦକୁ ନେଇ ଦଳରେ ଚର୍ଚ୍ଚା ଜୋର୍ ଧରିଲା
ନିର୍ବାଚନରେ ବିଜେପିର ଅପୂର୍ବ ବିଜୟ ହେଲା ସତ, କିନ୍ତୁ ଗତ କିଛି ମାସ ପୂର୍ବେ ଜିଲ୍ଲା ସଭାପତି ଡା. ସାହୁଙ୍କ ଏକ ବିବାଦୀୟ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ସେ ଅଧିକ ବିବାଦୀୟ ହୋଇପଡ଼ିଥିଲେ। ଡା. ସାହୁ ନାମକୁ ମାତ୍ର ସଭାପତି ରହିଥିଲେ ବି ଦଳର ଭିତିରିଆ ନିର୍ଦ୍ଦେଶ କ୍ରମେ ସା˚ଗଠନିକ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ। ଇତି ମଧ୍ୟରେ ଜିଲ୍ଲା ସଭାପତି ଡା. ସାହୁ ସଭାପତି ପଦରୁ ତାଙ୍କୁ ଦାୟିତ୍ବମୁକ୍ତ କରିବା ପାଇଁ ରାଜ୍ୟ ସଂଗଠନକୁ ଚିଠି ଲେଖିଥିବା ଜଣାଯାଇଛି। ଡା.ସାହୁ କହିଛନ୍ତି, ଦଳର ନିୟମ ଅନୁଯାୟୀ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ସାଂଗଠନିକ ପଦରେ ରହିପାରିବେ ନାହିଁ। ମୋତେ ୬୦ବର୍ଷ ଟପିଥିବା ଯୋଗୁ ଜିଲ୍ଲା ସଭାପତି ଦାୟିତ୍ବରେ ରହିବା ଅନୁଚିତ୍ ବୋଲି କହି ରାଜ୍ୟ ସଭାପତିଙ୍କୁ ଅବଗତ କରାଇଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାରରେ ରହିଥିବା ବେଳେ ବ୍ରହ୍ମପୁର ସାଂଗଠନିକ ଜିଲ୍ଲା ଏବେ ମୁରବିହୀନ ହୋଇପଡ଼ିଛି। ବିନା ସଭାପତିରେ ଜିଲ୍ଲାରେ ଦଳର ସାଂଗଠନିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଦଳ ପରିବର୍ତ୍ତୀ ସଭାପତି ପଦରେ କାହାକୁ ବସାଉଛି ତାକୁ ନେଇ ବିଜେପି ମହଲରେ ଚର୍ଚ୍ଚା ଜୋର୍ ଧରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2022/04/bjp-party-logo.jpg)