ଭୁୁବନେଶ୍ୱର: ବିଜେଡି ସଭାପତି ନବୀନ ପଟ୍ଟନାୟକ ହେବେ ବିଧାନସଭାରେ ବିରୋଧୀ ଦଳ ନେତା। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଦଳୀୟ ବିଧାୟକମାନେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି। ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳ ଉପନେତା ଓ ପ୍ରମିଳା ମଲ୍ଲିକ ମୁଖ୍ୟ ସଚେତକ ରୂପେ ନିର୍ବାଚିତ ହୋଇଛନ୍ତି। ବିଜେଡି ବିଧାୟକ ଦଳର ଉପମୁଖ୍ୟ ସଚେତକ ରୂପେ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚିତ କରାଯାଇଛି।
ଆଜି ଶଙ୍ଖ ଭବନରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମସ୍ତ ୫୧ ବିଧାୟକ ଉପସ୍ଥିତ ଥିଲେ। ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରମିଳା ମଲ୍ଲିକ ସ୍ବାଗତ ଅଭିଭାଷଣ ପ୍ରଦାନ କଲା ପରେ ବୈଠକ ଆରମ୍ଭ ହୋଇଥିଲା। ଏହି ଅବସରରେ ବିଜେଡି ବିଧାୟକ ଦଳର ନେତା ଭାବେ ସଭାପତି ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିବା ପାଇଁ ପ୍ରତାପ କେଶରୀ ଦେବ ପ୍ରସ୍ତାବ ଦେଇଥିଲେ। ବିଧାୟକ ଅରୁଣ କୁମାର ସାହୁ ଏହାକୁ ସମର୍ଥନ କରିଥିଲେ। ସମସ୍ତ ବିଧାୟକ ଏହି ପ୍ରସ୍ତାବକୁ ସମର୍ଥନ ପ୍ରଦାନ କରିଥିଲେ। ଏହା ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ବିଧାୟକ ଦଳ ଉପନେତା ଭାବେ ମନୋନୀତ କରାଯାଇଥିଲା। ବିଧାୟକ ଦଳ ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିର୍ବାଚିତ କରାଯାଇଥିଲା।
ଏହି ଅବସରରେ ସଭାପତି ଶ୍ରୀ ପଟ୍ଟନାୟକ ବିଧାନସଭାରେ ବିଜେଡିର ଭୂମିକା ସମ୍ପର୍କରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟର ହିତ ନିମନ୍ତେ ବିଜେଡି ତା’ର କାର୍ଯ୍ୟ ଜାରି ରଖିବ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ବିଧାନସଭାରେ ସ୍ୱର ଉଠାଇବ ବୋଲି କହିଥିଲେ। ତାଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଥିବାରୁ ବିଧାୟକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଶେଷରେ ବିଧାୟକ ବ୍ୟୋମକେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ଉପନେତା କିମ୍ବା ଉପମୁଖ୍ୟ ସଚେତକ ପଦବିର କୌଣସି ସାମ୍ବିଧାନିକ ସ୍ବୀକୃତି ନାହିଁ। କିନ୍ତୁ ମୁଖ୍ୟ ବିରୋଧୀ ଦଳରେ କିଛି ବିଧାୟକଙ୍କୁ ସନ୍ତୁଷ୍ଟ କରିବାକୁ ଏମିତି ପଦବି ଦିଆଯାଉଥିବା ଲକ୍ଷ୍ୟ କରାଯାଉଛି। ଆଜିର ବୈଠକରେ ଦଳର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦଳର ବିପର୍ଯ୍ୟୟର ସମୀକ୍ଷା କରିବାକୁ କହିଥିଲେ। ସେ କହିଥିଲେ, ବିଜେପି ସାରା ଦେଶରେ ଖରାପ ପ୍ରଦର୍ଶନ କଲା। କିନ୍ତୁ ଏଠାରେ ଏତେ ସଫଳତା ପାଇଲେ। ଆମେ ଲୋକସଭାରେ ମୂଳପୋଛ ହୋଇଗଲୁ। ଆମ ଦଳର ରଣନୀତି ଭୁଲ୍ ହୋଇଗଲା। ଆମେ ବିଜେପିକୁ ବିଶ୍ବାସକୁ ନେବାର ନଥିଲା। ଆଞ୍ଚଳିକ ଦଳ ଭାବେ କେନ୍ଦ୍ର ବିରୋଧରେ ହକ୍ ପାଇଁ ସ୍ବର ଉତ୍ତୋଳନ କରିବା କଥା। କିନ୍ତୁ ସେଥିରେ ଆମେ ସେତେଟା ସଫଳ ହୋଇପାରିଲୁ ନାହୁଁ। ପରାଜୟର ସମୀକ୍ଷା ହେବା ଆବଶ୍ୟକ। ଏହା ସହ ଦଳ ଯେମିତି ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ଘେରିବ, ସେଥିପାଇଁ ରଣନୀତି ପ୍ରସ୍ତୁତ ହେଉ। କିନ୍ତୁ ସଭାପତି ଶ୍ରୀ ପଟ୍ଟନାୟକ ଭୁଲ୍ ରଣନୀତିକୁ ସ୍ବୀକାର କରି ନଥିଲେ। ସେ କହିଥିଲେ, ୨୦୧୪ରେ ଯେତେବେଳେ ସାରା ଦେଶରେ ମୋଦୀ ଲହର ଥିଲା ସେତେବେଳେ ଆମେ ୨୦ଟି ଆସନରେ ଜିତିଥିଲୁ। ଓଡ଼ିଶାରେ ମୋଦୀ ପ୍ରଭାବ ବିଳମ୍ବରେ ପଡ଼ିଲା। ଏଥର ସବୁଠି ବିଜେପି ଖରାପ କରିଥିଲେ ବି ଏଠି ସଫଳ ହେଲା। ରାଜନୀତିରେ ଏମିତି ବେଳେ ବେଳେ ହୁଏ। ତେବେ ପରାଜୟର ସମୀକ୍ଷା କରାଯିବା ସହ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରାଯିବ।