ପାତ୍ରପୁର : ମହେନ୍ଦ୍ରତନୟା ନଦୀର ଶାଖାନଈ ଜାମଗଣ୍ଡ ନାଳ ଉପରେ ସେତୁ ବାନ୍ଧିବାକୁ ଆଦିବାସୀମାନେ ବହୁବର୍ଷ ହେଲା ଆନ୍ଦୋଳନ ଚଳାଇଥିଲେ। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେଉଥିଲେ। ଏହି ଆନ୍ଦୋଳନର ନେତୃତ୍ବ ନେଇଥିଲେ ଆଦିବାସୀ ଯୁବକ ସୋମନାଥ ରଇତ। ହେଲେ, ବିଧିର ବିଧାନ ଅଲଗା ଥିଲା। ସେହି ନଈ ହିଁ ତାଙ୍କ ପାଇଁ ମୃତ୍ୟର କାରଣ ହେଲା। ଏହାର ପ୍ରଖର ସ୍ରୋତରେ ଭାସିଯାଇ ସୋମନାଥ ସଲିଳ ସମାଧି ନେଇଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ବୁରାତାଲ୍ ପଞ୍ଚାୟତ ନୂ୍ଆସାହିରେ ଏଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ ଓ ମର୍ମାହତ କରିଛି।
/sambad/media/post_attachments/wp-content/uploads/2021/09/bre2.jpg)
ଗତକାଲି ନୂ୍ଆସାହି (କମଳାଖତ)ର ବାସିନ୍ଦା ସୋମନାଥ ଦୁବାଟିଆ ବୁଧବାର ହାଟକୁ ସଉଦା କରିବାକୁ ଯାଇଥିଲେ। ଫେରିବାର ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ବି ଫେରିନଥିଲେ। ଜାମଗଣ୍ଡ ନଈରେ ଭାସି ଯାଇଥିବା ଆଶଙ୍କାରେ ଗ୍ରାମବାସୀ ଖୋଜାଖୋଜି କରିଥିଲେ। ରାତିସାରା ସନ୍ଧାନ କାର୍ଯ୍ୟ ଜାରି ରହିଥିଲା। ଗୁରୁବାର ସକାଳେ ପାତ୍ରପୁର ଦମକଳବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସୋମନାଥଙ୍କ ଶବକୁ ନଈ ଭିତରୁ ଉଦ୍ଧାର କରିଥିଲେ। ସୋମନାଥଙ୍କ ଶବ ଦେଖିବା କ୍ଷଣି ଗ୍ରାମବାସୀ କୋହ ସମ୍ଭାଳି ପାରି ନଥିଲେ। କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟିପଡ଼ିଥିଲା। ଏହାପରେ, ଉତ୍ତ୍ୟକ୍ତ ଗ୍ରାମବାସୀ ଟାୟାର୍ ଜାଳି ତୁମ୍ବା-ବୁରାତାଲ୍ ରାସ୍ତାକୁ ଅବରୋଧ କରିଥିଲେ। ଏଥିରେ ନଈ ସେପାରି ବସବାସ କରୁଥିବା ମୋଟ ୧୫ ଖଣ୍ଡ ଗ୍ରାମର ଲୋକେ ସାମିଲ ହୋଇଥିଲେ। ଜାମଗଣ୍ଡ ନଈ ଉପରେ ତୁରନ୍ତ ସେତୁ ନିର୍ମାଣ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରିଥିଲେ। ପରିସ୍ଥିତି ଅଶାନ୍ତ ହେବାରୁ ଘଟଣାସ୍ଥଳରେ ତହସିଲଦାର ଅମିତ କୁମାର ନାୟକ ଓ ଜରଡ଼ା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ତରଫରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ମୃତକ ସୋମନାଥଙ୍କ ୫ବର୍ଷର ଝିଅ ଶ୍ରୀୟା ଓ ୨୧ ଦିନ ଝିଅର ଦାୟିତ୍ବ ସରକାର ନେବେ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ପରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠା ଯାଇଥିଲା। ସନ୍ଧ୍ୟାରେ ଶବ ପହଞ୍ଚିବା ପରେ ଶୋକାକୁଳ ପରିବେଶ ଭିତରେ ଅନ୍ତିମ ସଂସ୍କାର ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/ber1.jpg)