ଭୁବନେଶ୍ବର : ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ଆଜି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତ ହୋଇଥିବା ଶ୍ରୀ ସେଠୀ ଆଜି ଦିନ ୧୦ଟାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପ୍ରାଇଭେଟ୍ ଜେ ୱାର୍ଡ, କ୍ୟାବିନ୍-୪ରେ ରଖି ଚିକତ୍ସା କରାଯାଉଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି। ଏମ୍ସ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏବେ ଶ୍ରୀ ସେଠୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। କିନ୍ତୁ ଡାଏବେଟିସ୍ ଏବଂ କିଡ୍ନିରେ ସାମାନ୍ୟ ସଂକ୍ରମଣ ଥିବାରୁ ତାଙ୍କର ବିଭିନ୍ନ ପ୍ରକାରର ଟେଷ୍ଟ କରାଯାଉଛି। ଟେଷ୍ଟ ରିପୋର୍ଟ ଆସିବା ପରେ ସେହି ଅନୁଯାୟୀ ଡାକ୍ତରୀ ଟିମ୍ ଗଠନ କରି ଅଧିକ ଚିକିତ୍ସା ଯୋଗାଇ ଦିଆଯିବ। ଶ୍ରୀ ସେଠୀ ଏମ୍ସରେ ଭର୍ତ୍ତି ହେବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ସେଠୀ ୨୦୧୯ରେ ଧାମନଗରରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି। ଏହା ପୂର୍ବରୁ ସେ ୨୦୦୦ ମସିହାରେ ଚାନ୍ଦବାଲିରୁ ବିଧାୟକ ହୋଇଥିଲେ।
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ସେ ଏବେ ସୁସ୍ଥ ଥିଲେ ହେଁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଡିସଚାର୍ଜ କରାଯିବ ବୋଲି ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି।