ଭୁବନେଶ୍ବର : ବିଜେପିର ୨୧ଜଣ ନିର୍ବାଚିତ ସଦସ୍ୟ ଗୃହରେ ଥାଇ କାହିଁକି ବିଧାନସଭା କାର୍ଯ୍ୟପରାମର୍ଶ ଦାତା କମିଟି ବୈଠକରେ କେବଳ ବିରୋଧୀ ଦଳ ନେତା ସଦସ୍ୟ ରହିବେ। ଦଳର ନିର୍ବାଚିତ ସଦସ୍ୟଙ୍କ ଭିତରୁ କାହିଁକି ଆଉ କାହାକୁ କମିଟିର ସଦସ୍ୟ ଭାବେ ସ୍ଥାନ ମିଳିବ ନାହିଁ। ଆଜି ଏହି କଥାକୁ ଗୃହରେ ଅଡ଼ି ବସି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ମୁଲତବୀ ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଯୋଗ ଦେଇନାହାନ୍ତି। ଖୋଲାଖୋଲି ଶ୍ରୀ ନାଏକ କହିଛନ୍ତି ଯେ ପର୍ଯ୍ୟନ୍ତ ତାଙ୍କୁ ମିଶାଇ ୩ ଜଣ ସଦସ୍ୟଙ୍କୁ କମିଟିରେ ପ୍ରତିନିଧିତ୍ବ କରିବାକୁ ସୁଯୋଗ ମିଳିବ ନାହିଁ ସେ ପର୍ଯ୍ୟନ୍ତ କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଯୋଗଦେବେ ନାହିଁ। ଗୃହରେ ଏହି କଥା ଶ୍ରୀ ନାଏକ ବାଚସ୍ପତିଙ୍କୁ ଶୁଣାଇବା ପରେ ବି ବାଚସ୍ପତି ବୈଠକ ଡାକିଥିଲେ। ଅଥଚ ସେହି ବୈଠକରେ ଶ୍ରୀ ନାଏକ ଯିବାକୁ ମନ କରିଦେଲେ। ଏପରିକି ଗୃହ ମୁଲତବି ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବିରୋଧୀ ଦଳ ନେତାଙ୍କ ପ୍ରକୋଷ୍ଠକୁ ଆସି ବୁଝାଇଥିଲେ ବି ଶ୍ରୀ ନାଏକ ବୁଝି ନଥିଲେ।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିଜେପି ଷୋଡ଼ଶ ବିଧାନସଭାର ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିଲେ ବି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ୫ଟି ବିଲ୍‌ ଆଗତ କରାଯାଇଥିଲା। ସେଗୁଡ଼ିକ ହେଲା ଓଡ଼ିଶା ଲୋକାୟୁକ୍ତ (ସଂଶୋଧନ) ବିଲ୍‌ ୨୦୨୦, ଓଡ଼ିଶା ଅତ୍ୟାବଶ୍ୟକ ସେବା (ରକ୍ଷଣାବେକ୍ଷଣ) ସଂଶୋଧନ ବିଲ୍‌ ୨୦୨୦, ଓଡ଼ିଶା ସ୍ଥାନୀୟ ପାଣ୍ଠି ସମୀକ୍ଷା (ସଂଶୋଧନ) ବିଲ୍‌ ୨୦୨୦, ଓଡ଼ିଶା ମେରିଟାଇମ୍‌ ବୋର୍ଡ଼ ବିଲ୍‌ ୨୦୨୦ ଓ ଓଡ଼ିଶା ଔଦ୍ୟୋଗିକ ଭିତ୍ତିଭୂମି ଉନ୍ନୟନ ନିଗମ (ସଂଶୋଧନ) ବିଲ୍‌ ୨୦୨୦। କେବଳ ଓଡ଼ିଶା ମେରିଟାଇମ୍‌ ବୋର୍ଡ଼ ବିଲ୍‌ ୨୦୨୦କୁ ଛାଡ଼ି ବାକି ୪ଟି ବିଲ୍‌ ଗୃହରେ ଆଲୋଚନା ପାଇଁ ଅଧଘଣ୍ଟା ଧାର୍ଯ୍ୟ କରାଯାଇଛି। ସେହିପରି ଅନ୍ୟଦିନ ଓଡ଼ିଶା ମେରିଟାଇମ୍‌ ବିଲ୍‌ ଆଲୋଚନା ପାଇଁ ୩ ଘଣ୍ଟା ଧାର୍ଯ୍ୟ କରାଯାଇଛି।