ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଳାହାଣ୍ଡି ଗସ୍ତରେ ଯାଇ ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଉତ୍ସବକୁ ଜିଲ୍ଲାର ଅନ୍ୟତମ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେ ସେଠାକୁ ଯାଇ ନାହାନ୍ତି। ଭୁବନେଶ୍ବରରେ ରହି ସେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓ ସଭା ଆୟୋଜନକୁ ତୀବ୍ର ସମାଲୋଚନା କରିଛନ୍ତି। ସଭାକୁ ନ ଯିବାର କାରଣ ଦର୍ଶାଇ ସେ କହିଛନ୍ତି ଯେ ମୋତେ ସେହି କାର୍ଯ୍ୟକ୍ରମକୁ ଡକାଯାଇଥିଲେ ମଧ୍ୟ ମୁଁ ଗଲି ନାହିଁ। କାରଣ ଯେଉଁଭଳି ଭାବରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏକୁଟିଆ ଗୋଟିଏ ମଞ୍ଚ ଓ ଅନ୍ୟମାନଙ୍କ ପାଇଁ ଅଲଗା ମଞ୍ଚର ବ୍ୟବସ୍ଥା କରାଯାଇଛି ତାହା ସାମନ୍ତବାଦୀ ମାନସିକତାର ପ୍ରତିଫଳନ। କଳାହାଣ୍ଡି ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକମାନଙ୍କ ପ୍ରତି ଏହା ଅପମାନ। ମୁଖ୍ୟମନ୍ତ୍ରୀ ଅଲଗା ବସିବେ ଆଉ ଅନ୍ୟମାନେ ଅଲଗା ବସିବେ କାହିଁକି? ମୁଖ୍ୟମନ୍ତ୍ରୀ କି ପରମ୍ପରା ଆରମ୍ଭ କରିବାକୁ ଚାହୁଁଛନ୍ତି? କାହିଁକି ଅନ୍ୟ ଜନପ୍ରତିନିଧି ମାନଙ୍କୁ ନିଚା ଦେଖାଇବା ପାଇଁ ପ୍ରୟାସ କରାଯାଉଛି ବୁଝି ହେଉନାହିଁ।

Advertisment

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଭୁବନେଶ୍ବରରେ ବିଜେପିର ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଦୁଇଟି ପୃଥକ ପୃଥକ ସାମ୍ବାଦିକ ସମ୍ମିଳନୀ ଡାକି ବିରୋଧୀ ଦଳ ନେତାଙ୍କ ସମେତ ବରିଷ୍ଠ ବିଧାୟକମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନାକୁ ନିଜ ନାଁ ରେ ବ୍ରାଣ୍ଡିଂ କରି ନବୀନ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି। କେନ୍ଦ୍ର ସରକାରଙ୍କ ଏଆଇବିପି ଯୋଜନା ଅନ୍ତର୍ଗତ ୯୦% ଆର୍ଥିକ ସହାୟତାେର ହୋଇଥିବା ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅସଲ ଧନ୍ୟବାଦର ପାତ୍ର। ମାତ୍ର ବ୍ରାଣ୍ଡିଂ ରାଜନୀତି କରୁଥିବା ନବୀନ ସରକାର ସୈାଜନ୍ୟମୂଳକ ଭାବେ ଏହି ସମାବେଶରେ ଥରୁଟିଏ ହେଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ନାମ ଉଲ୍ଲେଖ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

publive-image

କଳାହାଣ୍ଡିର ବିଭିନ୍ନ ସମସ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ ୨୦୦୧ରୁ ଚାଲିଥିବା ଇନ୍ଦ୍ରାବତୀ ରାଇଟ କେନାଲର ବର୍ତମାନ ପୁନରୁଦ୍ଧାର ଓ ମରାମତି ଆବଶ୍ୟକ ହେଲାଣି। କାରଣ ଚାଷୀମାନଙ୍କର ଅଭିଯୋଗ ତଳମୁଣ୍ଡରେ ପାଣି ପହଞ୍ଚୁନି। କଳାହାଣ୍ଡିରେ ରାଜ୍ୟର ଦ୍ବିତୀୟ କୃଷି ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ତତ୍‌କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଘୋଷଣା କରିଥିଲେ। ଏଥି ପାଇଁ ୮୦୦ ଏକର ଜମି ବି ଚିହ୍ନଟ ହୋଇଛି। ସେ କାମ କାହିଁକି ଓ କିଏ ଅଟକାଇଲା? ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ କାହିଁକି ପଶ୍ଚିମ ଓଡ଼ିଶାରେ ନ ହୋଇ ଭୁବନେଶ୍ୱରରେ ରହିଛି? କେସିଙ୍ଗାରେ ଥିବା ସ୍ପିନିଙ୍ଗ ମିଲ୍‌ ଅଚଳ ହୋଇପଡ଼ିଛି। ଏହାକୁ ଚାଲୁ କରାଗଲେ କପା ଚାଷୀଙ୍କର ଅଭାବୀ ବିକ୍ରିର ସମସ୍ୟା ରୁହନ୍ତାନି। ତା’ ସହିତ ଏକ ହଜାରରୁ ଅଧିକ ଯୁବକ ଯୁବତୀ ନିଯୁକ୍ତି ପାଆନ୍ତେ। ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାବାସୀଙ୍କ ଆଗରେ ରଖିବାକୁ ଶ୍ରୀ ନାଏକ ଆହ୍ବାନ ଦେଇଥିଲେ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ କୃଷକଙ୍କୁ ଆର୍ଥିକ ସ୍ତରରେ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ କାଳିଆ ଯୋଜନାକୁ ଲାଗୁ କରଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ଚାଷୀଙ୍କୁ ଦିତୀୟ କିସ୍ତିର ଅର୍ଥ ଏପର୍ଯ୍ୟନ୍ତ ମିଳିଲା ନାହିଁ । କେବଳ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ କାଳିଆ ଯୋଜନା ଲାଗୁ ହୋଇଥିଲା। ୨୦ ବର୍ଷ ଶାସନ ପରେ ଆଜି ଲକ୍ଷ ଲକ୍ଷ ଶ୍ରମିକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ରାଜ୍ୟର ଓଡ଼ିଆ ପୁଅ ଆଜି ଦାଦନ କାହିଁକି ଖଟୁଛି, ତାହାର ଉତ୍ତର ନବୀନ ବାବୁ ରଖନ୍ତୁ ବୋଲି ଶ୍ରୀ ସେଠୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ନାଉରୀ ନାୟକ, ଭବାନୀ ଶଙ୍କର ଭୋଇ ଓ ଗଣେଶରାମ ଖୁଣ୍ଟିଆ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଠାକୁର ରଞ୍ଜିତ ଦାସ ଓ ସୋନାଲି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।