ସଙ୍କେତ ଦେଲେ ଦଳୀୟ ବିଧାୟିକା: ବଦଳିପାରନ୍ତି ବିରୋଧୀ ଦଳ ନେତା

ବିଧାନସଭାରେ ପଛରେ ପଡ଼ିଯାଉଛି ବିଜେପି, ଗୁରୁତ୍ବପୂର୍ଣ୍ଣ ପିଏସି ବି ସ୍ଥାଣୁ ପାଲଟିଯାଇଛି

ଭୁବନେଶ୍ବର : ବିଧାନସଭାରେ ବିରୋଧୀ ଦଳ ନେତା ବଦଳିପାରନ୍ତି। ଅସୁସ୍ଥତା ଯୋଗୁ ଏକ ବର୍ଷରୁ ଅଧିକ ସମୟ ହେଲା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭା ଆସିପାରୁ ନାହାନ୍ତି। ଆସନ୍ତା ବିଧାନସଭା ଅଧିବେଶନ ପୂର୍ବରୁ ନୂଆ ନେତା ଚୟନ ପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ବିଜେପି ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କଲା ପରେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

୨୦୧୯ରେ ପ୍ରଥମ ଥର ପାଇଁ କଂଗ୍ରେସକୁ ପଛକୁ ଠେଲି ବିଜେପି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା। ବିଧାନସଭାରେ ବିରୋଧୀ ଦଳ ନେତା ଚୟନ ପାଇଁ ମଧ୍ୟ ବେଶ୍‌ କସ୍‌ରତ ଦେଖିବାକୁ ମିଳିଥିଲା। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ପ୍ରଦୀପ୍ତ ନାଏକ, ବିଷ୍ଣୁ ସେଠୀ ଓ ମୋହନ ମାଝୀ ପ୍ରମୁଖ ଏହି ପଦବି ପାଇଁ ଦାବିଦାର ଥିଲେ। ତେବେ ଶେଷରେ ଦଳୀୟ ନେତୃତ୍ବ ପ୍ରଦୀପ୍ତ ନାଏକଙ୍କ ଉପରେ ଆସ୍ଥା ସ୍ଥାପନ କଲେ। ଏହାକୁ ନେଇ ମଧ୍ୟ ବରିଷ୍ଠ ବିଧାୟକ ଶ୍ରୀ ମିଶ୍ର ପରୋକ୍ଷରେ ନିଜ ଅସନ୍ତୋଷ ଜାହିର କରିଥିଲେ। ଅବଶ୍ୟ ଦଳ ଭିତରେ କୁହୁଳୁଥିବା ଅସନ୍ତୋଷ ଉଗ୍ର ରୂପ ନେଇ ନ ଥିଲା ଓ ଦଳୀୟ ସ୍ତରରେ ବୁଝାସୁଝା କରିଦିଆାଇଥିଲା।

୨୦୨୧ ମେ’ ମାସରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ପ୍ରଥମେ ତାଙ୍କୁ ଭୁବନେଶ୍ବର ଏମ୍‌ସ୍‌ରେ ଲମ୍ବା ସମୟ ଯାଏ ଚିକିତ୍ସା କରାଗଲା। ଏହା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା। ତେଣୁ ଏକ ବର୍ଷରୁ ଅଧିକ ସମୟ ହେଲା ସେ ଚିକିତ୍ସାଧୀନ ଅଛନ୍ତି। ସେ ଏମ୍‌ସ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୨୦୨୧ରେ ବିଧାନସଭାର ମୌସୁମୀ ଅଧିବେଶନରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଅଂଶଗ୍ରହଣ କରିଥିଲେ। କେବଳ ପ୍ରଥମ ଦିନ ଗୃହ କାର୍ଯ୍ୟରେ ଭାଗ ନେଇଥିଲେ ମଧ୍ୟ ଅସୁସ୍ଥତା ଯୋଗୁ ଅଧିକ ସମୟ ଯୋଗ ଦେଇ ପାରି ନ ଥିଲେ। ଏହା ପରଠାରୁ ସେ କୌଣସି ଅଧିବେଶନରେ ସାମିଲ ହୋଇ ନାହାନ୍ତି।

ବିରୋଧୀ ଦଳ ନେତା ନ ଥିବାରୁ ବିଜେପି ମଧ୍ୟ ବିଧାନସଭା ଗୃହରେ ନେତାବିହୀନ ହୋଇପଡ଼ିଛି। ବିଭିନ୍ନ ପ୍ରସଙ୍ଗରେ ଦଳ ସରକାରଙ୍କୁ ଘେରୁଥିଲେ ମଧ୍ୟ ତାହା ଯୋଜନାବଦ୍ଧ ହୋଇପାରୁନି। ବରଂ ତୃତୀୟ ନମ୍ବରରେ ଥାଇ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅଧିକ ପ୍ରଭାବୀ ହୋଇପାରୁଛି। ଆହୁରି ମଧ୍ୟ ଶ୍ରୀ ନାଏକ ପବ୍ଲିକ୍‌ ଆକାଉଣ୍ଟ୍‌ସ୍‌ କମିଟିର ଅଧ୍ୟକ୍ଷ ଅଛନ୍ତି। ବିଧାନସଭାରେ ପିଏସି ସବୁଠାରୁ ଗୁରୁତ୍ବପୂଣ୍ଣ କମିଟି। କିନ୍ତୁ ତାହାର ବୈଠକ ବସିପାରୁନି। ଫଳରେ ପିଏସି ସମ୍ପୂର୍ଣ୍ଣ ସ୍ଥାଣୁ ହୋଇଯାଇଛି। ଏସବୁ ପାଇଁ ବିଜେପି ଅଡ଼ୁଆର ପଡ଼ୁଛି। ତେଣୁ ବାସ୍ତବତାକୁ ଅନୁଭବ କରି ବିରୋଧୀ ଦଳ ନେତା ପରିବର୍ତ୍ତନ କରିବାକୁ ବହୁ ବିଧାୟକ ମତ ଦେଇଛନ୍ତି। ଶ୍ରୀ ନାଏକଙ୍କ ଅସୁସ୍ଥତା ସମୟରେ ତାଙ୍କୁ ନ ବଦଳାଇବାକୁ ବହୁ ନେତା ମତ ଦେଇଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟା ସୃଷ୍ଟି କରୁଛି। ନିକଟ ଭବିଷ୍ୟତରେ ଶ୍ରୀ ନାଏକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୂର୍ବ ପରି ଦାୟିତ୍ବ ସୁରୁଖୁରୁରେ ତୁଲାଇବାର ସମ୍ଭାବନା କମ୍ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ନୂଆଦିଲ୍ଲୀ ଗସ୍ତରେ ଥିବା ବିଜେପି ବିଧାୟକମାନେ ଏହି ସମସ୍ୟା ସମ୍ପର୍କରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଅବଗତ କରାଇଛନ୍ତି।

ବିରୋଧୀ ଦଳ ନେତା ପରିବର୍ତ୍ତନ ପାଇଁ ଶ୍ରୀ ନଡ୍ଡା ମଧ୍ୟ ସମ୍ମତି ଦେଇଥିବା କୁହାଯାଉଛି। ବିଧାୟିକା କୁସୁମ ଟେଟେ ଏନେଇ ଗଣମାଧ୍ୟମକୁ କହିଛନ୍ତି ଯେ ଯେତେ ଶୀଘ୍ର ହୋଇପାରିବ ବିଧାୟକଙ୍କ ମଧ୍ୟରୁ କାହାକୁ ବିରୋଧୀ ଦଳ ନେତା କରିବାକୁ ଆମେ ଦଳୀୟ ନେତୃବୃନ୍ଦଙ୍କୁ କହିଛୁ। ଆଗକୁ ବଜେଟ ଅଧିବେଶନ ଅଛି। ଏ ଭିତରେ ନୂଆ ବିରୋଧୀ ଦଳ ନେତା ନ ଦେଲେ ଆମକୁ ଅସୁବିଧା ହେବ। ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତି ଯୋଗୁଁ ଆମକୁ ଅସୁବିଧା ହେଉଛି।

ସମ୍ବନ୍ଧିତ ଖବର