କୋରାପୁଟ : ଏପଟେ ଆଲୋଚନା, ସେପଟେ ଅନୁପ୍ରବେଶ। ଆନ୍ଧ୍ରର ଏମିତି ଦୋମୁହଁା ନୀତି ଚଳିବନି। ଆନ୍ଧ୍ର ପ୍ରଥମେ କୋଟିଆରେ ଅନୁପ୍ରବେଶ ବନ୍ଦ କରୁ। ନଚେତ ରାଜ୍ୟ ସରକାର ପ୍ରତିରୋଧ କରନ୍ତୁ। ଯଦି ଆଲୋଚନା ସହ ଅନୁପ୍ରବେଶ ଲାଗି ରହିବ ସମାଧାନର ରାସ୍ତା ବାହାରିବା ଅସମ୍ଭବ। କୋରାପୁଟରେ ଆଜି ସର୍ବଦଳୀୟ ନେତାଙ୍କୁ ନେଇ ଆୟୋଜିତ ବୈଠକରେ ଏମିତି ମତ ପ୍ରକାଶ ପାଇଛି। ଏହି ବିବାଦୀୟ ପ୍ରସଙ୍ଗରେ ଅତିଶୀଘ୍ର ସର୍ବଦଳୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ଦିଆଯାଇଛି।
କୋଟିଆରେ ଦିନକୁ ଦିନ ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ଆଜି କୋରାପୁଟ ସର୍କିଟ ହାଉସରେ ବିଭିନ୍ନ ଦଳର ନେତା ଏକାଠି ହୋଇଥିଲେ। ବୈଠକରେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ବର ପାଣିଗ୍ରାହୀ, ପଟାଙ୍ଗି ବିଧାୟକ ପ୍ରୀତମ ପାଡୀ, କୋରାପୁଟ ବିଧାୟକ ରଘୁରାମ ପଡାଲ, କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗି, କୋରାପୁଟ ଓକିଲ ସଂଘ ସଭାପତି ଅଜିତ ପାତ୍ରଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଦୁଇ ରାଜ୍ୟର ସୀମା ବିବାଦ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଥିଲେ। ମେ ମାସ ୬ ତାରିଖ ପରେ ଏହି ବୈଠକ ହୋଇଥିବା ବେଳେ ଆନ୍ଧ୍ରର ମନମାନିକୁ ସମସ୍ତେ ବିରୋଧ କରିଥିଲେ। ଓଡ଼ିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ବିପାକ୍ଷିକ ଆଲୋଚନାକୁ ସମସ୍ତେ ସ୍ବାଗତ ବି କରିଥିଲେ। କୋଟିଆ ତଥା ଅନ୍ୟ ବିବାଦର ସମାଧାନ ନିମନ୍ତେ ମୁଖ୍ୟ ଶାସନ ସଚିବ ଉଚ୍ଚସ୍ତରୀୟ କମିଟିକୁ ସର୍ବଦଳୀୟ କମିଟି ସହଯୋଗ କରିବ ବୋଲି ଘୋଷଣା କରିଥିଲେ। ତେବେ କୋଟିଆ ମାଟିର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିବ ବୋଲି ସର୍ବଦଳୀୟ ବୈଠକରେ ମତ ପ୍ରକାଶ ପାଇଛି।