ବଲାଙ୍ଗୀର: ଜିଲ୍ଲାପାଳ-କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମୁହାଁମୁହିଁ। ତାପରେ ବେଲପଡ଼ା ବିଡିଓ- ପୂର୍ବମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମୁହାଁମୁହିଁ। ଏ ଦୁଇ ଘଟଣା ପରେ ଦିଶା ବୈଠକରେ ଡିଆର୍‌ଡିଏ ପିଡି- ସାଂସଦ ସଂଗୀତା କୁମାରୀ ସିଂହଦେଓ ମୁହାଁମୁହିଁ। ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବି ସାଂସଦ ତାଗିଦ କରିଥିଲେ। ବିରୋଧୀ ନେତା ପ୍ରଶାସନିକ ଅଧିକାରୀଙ୍କ ଉପରେ ଭାରୀ ହେବା ପରେ ଏବେ ଶାସକ ବିଜେଡି ଏ ବିବାଦ ଭିତରକୁ ଡେଇଁଛି।
ଜିଲ୍ଲାରେ ପ୍ରଶାସନର ରାଜ ଚାଲିଛି। ଦୁର୍ନୀତି ବି କାହିଁରେ କେତେ। ଏଣୁ ପ୍ରଶାସନିକ ଅଧିକାରୀଙ୍କ ମନମାନିକୁ ନେଇ ମୁହଁ ଖୋଲିଛନ୍ତି ଏଠି ବିରୋଧୀ ଦଳର ନେତାଗଣ।

Advertisment

କେଉଁଠି? କେମିତି? କେଉଁ ଯୋଜନାରେ? ପ୍ରଶାସନିକ ଅଧିକାରୀ ମନମାନି କରିଛନ୍ତି ତାହା ଲୋକଲୋଚନକୁ ଆସିବାରେ ଲାଗିଛି। ଜିଲ୍ଲାପାଳଙ୍କଠାରୁ ନେଇ ବିଡିଓ ସମସ୍ତେ ଏବେ ଅଡୁଆରେ ପଡ଼ିଲେଣି। ଗୋଟିଏ ପରେ ଗୋଟିଏ ଘଟଣାରେ ସରକାରୀ ଅଧିକାରୀ ଛନ୍ଦି ହେବାରେ ଲାଗିଛନ୍ତି। ସରକାରୀ ଅଧିକାରୀ-ବିରୋଧୀ କଂଗ୍ରେସ ଓ ବିଜେପି ନେତାଙ୍କ ଭିତରେ ତୁତୁ ମେମେ ଲାଗିରହିଛି। ଏସବୁ ଭିତରେ ଏବେ ଶାସକ ଦଳର ନେତାଗଣ ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି। ରବିବାର ପାଟଣାଗଡ଼ରେ ଶାସକ ବିଜେଡିର ନେତାମାନେ ସାମ୍ବାଦିକ ସମ୍ମିଳନୀ କରିବା ସହ ସହରରେ ଶୋଭାଯାତ୍ରା କରି ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ପୂର୍ବମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏବେ ପ୍ରଶାସକ ଓ ବିରୋଧୀ ନେତାଙ୍କ ଭିତରେ ଚାଲିଥିବା ଯୁଦ୍ଧରେ ଶାସକ ବିଜେଡି ଧସେଇ ପଶି ସୁରକ୍ଷା ଦେବା ଆରମ୍ଭ କରିଛି।
ରବିବାର ବିଜେଡି ପକ୍ଷରୁ ପାଟଣାଗଡ଼ରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ପାଟଣାଗଡ଼ ବ୍ଲକ୍‌ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବେଲପଡ଼ା ବ୍ଲକ୍‌ ଅଧ୍ୟକ୍ଷା ଟିନା କୁମ୍ଭାରଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମକର୍ତ୍ତା ବିରୋଧୀ ନେତାଙ୍କ ବିରୋଧରେ ଗର୍ଜିଥିଲେ। କନକବର୍ଦ୍ଧନ ସିଂହଦେଓ ଏବଂ ସଂଗୀତା ସିଂହଦେଓ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ କରିଥିଲେ। ଏପରିକି ଦିଶା ବୈଠକରେ ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ଗେଟଆଉଟ କହିଥିବା ସେ ଅଭିଯୋଗ କରିଥିଲେ। ସେହିପରି ବେଲପଡ଼ା ବ୍ଲକ ଅଧ୍ୟକ୍ଷା କହିଥିଲେ, କନକବର୍ଦ୍ଧନ ସିଂହଦେଓ ବେଲପଡ଼ା ବିଡିଓ ଏବଂ ଅଧ୍ୟକ୍ଷାଙ୍କୁ ନାନା କଥା କହିଛନ୍ତି। ଜାତି ଆକ୍ଷେପ କରିଛନ୍ତି। ଏଣୁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ନଚେତ ଆଗାମୀ ଦିନରେ ବନ୍ଦ ଡାକରା ଦିଆଯିବ ବୋଲି କହିଥିଲେ। ବିଜେଡିର କର୍ମକର୍ତ୍ତାମାନେ ପାଟଣାଗଡ଼ ରାମସାଗର ବିଜେଡି କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ବ୍ରହ୍ମପୁରା ପର୍ଶୁରାମ ଛକ ଯାଏଁ ଯାଇଥିଲେ। ସେଠାରେ ସଂଗୀତା ସିଂହଦେଓ ଏବଂ କନକବର୍ଦ୍ଧନ ସିଂହଦେଓଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଶୋଭାଯାତ୍ରାରେ ସରକାରୀ ଅଧିକାରୀମାନଙ୍କୁ କାହିଁକି ନେତାଗଣ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ। ଅପରପଟେ ବିଜେଡିର ନେତୃତ୍ୱ ନେଉଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ଏହି ଶୋଭାଯାତ୍ରାରେ ଯୋଗଦେଇ ନଥିଲେ। ପୂର୍ବରୁ ସେ ଅଡିଓ ବାର୍ତ୍ତା କରି ସାମ୍ବାଦିକ ସମ୍ମିଳନୀ ଡାକରା ଦେଇଥିଲେ ବି ସେ ଆଜି ସାମ୍ବାଦିକ ସମ୍ମିଳନୀ କିମ୍ବା ଶୋଭାଯାତ୍ରାରେ ଉପସ୍ଥିତ ନଥିଲେ। ରାଜ୍ୟସଭା ସାଂସଦ ନିରଂଜନ ବିଶି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସହ ଏବେ ବି ଜଡ଼ିତ। ଆଉ ଆଦିବାସୀ ସଂଘ ବେଲପଡ଼ା ଥାନାରେ ଏତଲା ଦେଇଛି। ବେଲପଡ଼ା ଥାନା ପୁଲିସ ଷ୍ଟେସନ ଡାଏରି କରିଛି। କିନ୍ତୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଏସବୁ କିଛି ଜାଣିନଥିବା କହୁଛନ୍ତି। କିନ୍ତୁ ମୋଟାମୋଟି ଦେଖିଲେ ପ୍ରଶାସକମାନଙ୍କୁ ସୁରକ୍ଷା ଦେବାକୁ ଏବେ ବଲାଙ୍ଗୀର ବିଜେଡି ଅଣ୍ଟାଭିଡ଼ିଥିବା ବାରି ହେଉଛି।