ଭୁବନେଶ୍ବର: ରାତି ପାହିଲେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ। ବରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସ୍କା ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ସମେତ ଏହା ଅଧୀନସ୍ଥ ୩୫ଟି ବିଧାନସଭା ଆସନରେ ଥିବା ୭୯,୬୯,୮୮୭ଜଣ ଜଣ ମତଦାତା ସେମାନଙ୍କର ପସନ୍ଦ୍ର ନେତା ବାଛିବେ। ନିର୍ବାଚନ ମଇଦାନରେ ମୋଟ୍ ୪୦ଟି ଆସନ ପାଇଁ ୪୦ଜଣ ନେତା ବଛା ହେବାକୁ ଥିବାବେଳେ ୩୦୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ୫ଟି ଲୋକସଭା ଆସନରେ ୪୦ ଜଣ ପ୍ରାର୍ଥୀ ଥିବା ବେଳେ ୩୫ଟି ବିଧାନସଭା ଆସନ ପାଇଁ ୨୬୫ ଜଣ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଯେଉଁ ନେତା ଯେପରି ଲୋକଙ୍କ ମନ ଜିଣିଥିବେ ସେହିପରି ଭୋଟ୍ ପାଇବେ। ଆଉ ଜୁନ୍ ୪ରେ ଜନତାଙ୍କ ପସନ୍ଦିତ ନେତା ହିଁ ବିଜୟ ମୁକୁଟ ପିନ୍ଧିବେ। ୨୦୧୯ରେ ବିଜେପି ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼ ଲୋକସଭା ଆସନ ଜିତିଥିବାବେଳେ ବିଜେଡି ଆସିକା ଓ କନ୍ଧମାଳ ଆସନ ଜିତିଥିଲା। ଏଥର ସେହି ଧାରା ବଜାୟ ରହିବ ନା କିଏ ବାଜି ମାରିନେବ। ସେହିପରି ୩୫ଟି ବିଧାନସଭା ଆସନରୁ ବିଜେଡି ଏକାକୀ ୨୬ଟି ଆସନ ଜିତିଥିବାବେଳେ ଉଭୟ ବିଜେପି ଓ କଂଗ୍ରେସ ୪ଟି ଲେଖାଏଁ ଆସନ ଜିତିଥିଲେ। ସିପିଆଇଏମ୍ ଗୋଟିଏ ଆସନ ଜିତିଥିଲେ। ୨୦୨୪ରେ ଏହି ସବୁ ଆସନରେ ଦଳ ନିଜ ଗଡ଼ ରଖିପାରିବ ତ! ସବୁ ଭୋଟରଙ୍କ ମୁଡ୍ ଉପରେ ନିର୍ଭର କରୁଛି।
ଏହି ପର୍ଯ୍ୟାୟରେ ମୋଟ୍ ୩୦୫ଜଣ ପ୍ରାର୍ଥୀ ଥିଲେ ହେଁ ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଅଛି। ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ହିଞ୍ଜିଳି ନବୀନଙ୍କ ଗଡ଼ ହୋଇଥିବାବେଳେ କଣ୍ଟାବାଞ୍ଜିରେ ଉଭୟ କଂଗ୍ରେସ ଓ ବିଜେପି କଡ଼ା ଟକ୍କର ଦେଇପାରନ୍ତି ବୋଲି ଆଲୋଚନା ହେଉଛି।
ସେହିପରି ୧୦ବର୍ଷ ପରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ଦିଲୀପ ରାୟ, ମନ୍ତ୍ରୀ ସାରଦା ନାୟକ, ସୁନ୍ଦରଗଡ଼ରୁ ଲଗାତାର ଜିତୁଥିବା ଜୁଏଲ ଓରାମ, ଜିତିବା ଆଶାରେ ଥିବା ଦିଲ୍ଲୀପ ରାୟ, କନ୍ଧମାଳରେ ଅଚ୍ୟୁତ ସାମନ୍ତ, ବଲାଙ୍ଗୀରରେ ସଙ୍ଗୀତା ସିଂହଦେଓ, ଟିଟିଲାଗଡ଼ରେ ମନ୍ତ୍ରୀ ଟୁକୁନି ସାହୁ, ଭଞ୍ଜନଗରରେ ମନ୍ତ୍ରୀ ବିକ୍ରମ କେଶରୀ ଅାରୁଖ, ସୋନପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାନଖେମୁଣ୍ଡିରେ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଭୋଟର ପୂର୍ବ ସମର୍ଥନ ଦେଉଛନ୍ତି ନା ନାହିଁ ତାହା ଅପେକ୍ଷାରେ ସମସ୍ତେ। ସୋମବାର ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। େମାଟ୍ ୯୧୪୮ଟି ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ୍ ଦେବାକୁ ଥିବାବେଳେ ସବୁ ବୁଥ୍ରେ ଯେପରି ମତଦାତାଙ୍କୁ ସୁଖଦ ଅନୁଭୂତି ମିଳିବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଥିବାରୁ ଏନେଇ ବୁଥ୍ସ୍ତରରେ ପର୍ଯ୍ୟାପ୍ତ ଓଆର୍ଏସ୍, ପିଇବା ପାଣି ରଖିବାକୁ କୁହାଯାଇଛି। ଆଜି ସମସ୍ତ ବୁଥ୍ରେ େପାଲିଂ କର୍ମଚାରୀ ପହଞ୍ଚି ସାରିଛନ୍ତି। ମେ’ ୧୮ରେ ୧୭ଟି ବିଧାନସଭା ଆସନ ପାଇଁ ପୋଲିଂ ପାର୍ଟି ଯାଇଥିବାବେଳେ ଆଜି ବାକି ୧୮ଟି ବିଧାନସଭା ଆସନର ବୁଥ୍ ପାଇଁ ପୋଲିଂ ପାର୍ଟି ଯାଇଛନ୍ତି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୋଟ୍ ୯୧୪୮ଟି ବୁଥ୍ରୁ ପ୍ରାୟ ୨୦% ବୁଥ୍ ନକ୍ସଲ ପ୍ରଭାବିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍ ହୋଇଥିବାରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୬୦% ବୁଥ୍ରେ ୱେବ୍ ସ୍କ୍ରିନିଂ କରି ପୋଲିଂ ଅଧିକାରୀ ଓ ମତଦାତାଙ୍କ ଉପରେ ନଜର ରଖାଯିବ। ମୋଟ୍ ୧୦୨ କମ୍ପାନି ସିଏପିଏଫ୍ ମୁତୟନ ହୋଇଛନ୍ତି। ଆସନ୍ତାକାଲିର ମତଦାନ ପାଇଁ ସଂସଦୀୟ କ୍ଷେତ୍ର ପାଇଁ ୧୧,୬୧୧ଟି ବାଲାଟ୍ ୟୁନିଟ, ୧୧୬୧୧ଟି କଣ୍ଟ୍ରୋଲ ୟୁନିଟ, ୧୨୭୬୨ଟି ଭିଭିପାଟ୍ କମିସନ୍ ହୋଇଛି। ବିଧାନସଭା କ୍ଷେତ୍ର ମତଦାନ ପାଇଁ ୧୧୬୩୨ଟି ବାଲାଟ ୟୁନିଟ, ୧୧୬୩୨ଟି କଣ୍ଟ୍ରୋଲ ୟୁନିଟ ଏବଂ ୧୨୭୬୮ଟି ଭିଭିପାଟ୍ କମିସନ୍ ହୋଇଛି। ଯେଉଁଠି ଇଭିଏମ୍ ମେସିନ୍ ଓ ଭିଭିପାଟ୍ରେ ସମସ୍ୟା ଦେଖାଯିବ ତୁରନ୍ତ ତାହାକୁ ମରାମତି ଓ ବଦଳାଯିବ। ସୋମବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ହେଲେ ୯୩୩ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୫ଟା ଏବଂ ୧୬୮୯ଟି ବୁଥ୍ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ନିଷ୍ପତ୍ତି ହୋଇଛି।