ଜୟପୁର: ତାରା ବନାମ ସପ୍ତଗିରି। ଜିଲ୍ଲା କଂଗ୍ରେସ ସଭାପତି ପଦବିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଜୟପୁର ବିଧାୟକ ଓ କୋରାପୁଟ ସାଂସଦ। କୋରାପୁଟରେ ଦଳୀୟ କନ୍ଦଳ ନ ଛିଣ୍ଡିବା ପରେ ଏଆଇସିସି ନିକଟରେ ଫେରାଦ ହେବାକୁ ଦିଲ୍ଲୀମୁହାଁ ହୋଇଛନ୍ତି କଂଗ୍ରେସ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମର୍ଥକ। ଉଭୟ ନେତାଙ୍କ ବାସଭବନରେ ଘନଘନ ଗୁପ୍ତ ବୈଠକ ଚାଲିଥିବା ବେଳେ ତାରାଙ୍କ ସମର୍ଥକଙ୍କୁ ବିଭିନ୍ନ ପଦବିରୁ ବି ବିଦା କରାଯାଉଛି। ତାରାଙ୍କ ଜଣାଶୁଣା ସମର୍ଥକ ସାଂସଦଙ୍କ କୋରାପୁଟ ବ୍ଲକ୍ ପ୍ରତିନିଧି ବାବୁଲା ବେନିଆ ଓ ଜିଲ୍ଲା ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଜ୍ୟୋତିଞ୍ଜନ ମହାପାତ୍ରଙ୍କୁ ନିଜନିଜ ପଦରୁ ହଟାଇ ଦିଆଯାଇଛି। ଆଜି ଦିଲ୍ଲୀ ମୁହାଁ ହୋଇଛନ୍ତି କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ତୁଙ୍ଗ ନେତା। ରାୟଗଡ଼ା ଷ୍ଟେସନରୁ ସମତା ଏକ୍ସପ୍ରେସ୍ର ଦୁଇଟି ସ୍ବତନ୍ତ୍ର ବଗିରେ ଦିଲ୍ଲୀ ଅଭିମୁଖେ ଯାଇଥିବା ନେତାଙ୍କ ମଧ୍ୟରେ ରହିଛନ୍ତି ବୋରିଗୁମ୍ମା ଜୋନ୍-୩ ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶତପଥୀ, ବୋରିଗୁମ୍ମା ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ, ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି, ଯୁବ କଂଗ୍ରେସ ନେତା ଭବାନୀ ଜେନା ପ୍ରମୁଖ। ବହୁନେତା ଗୋପନୀୟ ଭାବେ ଦିଲ୍ଲୀ ଯାତ୍ରା କରିଥିବା ଜଣାପଡ଼ିଛି। ଦିଲ୍ଲୀରେ ହାଇକମାଣ୍ଡଙ୍କୁ ସାକ୍ଷାତ ପରେ ସମାଧାନର ରାସ୍ତା ନ ବାହାରିଲେ ବଡ଼ ପଦକ୍ଷେପ ନେବାପାଇଁ ତାରାଙ୍କ ଗୋଷ୍ଠୀ ଚିନ୍ତା କରୁଥିବା କୁହାଯାଉଛି।
ସ୍ବତନ୍ତ୍ର ଟ୍ରେନ୍ରେ ବାହାରିଲେ ତାରାଙ୍କ ସମର୍ଥକ
ଶୃଙ୍ଖଳିତ କର୍ମୀ ଭାବେ ନିର୍ଦ୍ଦେଶ ମାନିବି: ତାରା
ଦିଲ୍ଲୀ ଲଡ଼ୁ ଯଦି ମିଠା, ଆମେ ବି ଖାଇବୁ: ଦୁର୍ଗା
ଏ ସମ୍ପର୍କରେ ତାରାଙ୍କର ଜଣେ ସମର୍ଥକ କହିଛନ୍ତି, କୋରାପୁଟରେ କଂଗ୍ରେସକୁ ମୂଳପୋଛ କରିବାକୁ ଉଦ୍ୟମ ଚାଲିଛି। ମୀନାକ୍ଷୀଙ୍କ ନେତୃତ୍ବରେ ବିଜେଡିକୁ କଡ଼ା ଟକର ଦିଆଯାଇଛି। ଜୟପୁର ପୌରାଧ୍ୟକ୍ଷ, କୋଟପାଡ଼ ଏନ୍ଏସି ଅଧ୍ୟକ୍ଷ ଆସନ ହାତେଇବା ସହ ଜିଲ୍ଲା ପରିଷଦ ଆସନ ଓ ବହୁ ପଞ୍ଚାୟତରେ କଂଗ୍ରେସ ସମର୍ଥକ ବିଜୟୀ ହୋଇଛନ୍ତି। ମାତ୍ର, ସାଂସଦ ସଂଗଠନକୁ ସୁଦୃଢ଼ କରିବା ବଦଳରେ ଦଳକୁ ବିଭାଜନ କରିବାକୁ ଉଦ୍ୟମ କରୁଛନ୍ତି। ବିଧାୟକ ଶ୍ରୀ ବାହିନୀପତି ଏ ନେଇ କହିଛନ୍ତି ଯେ ଏଆଇସିସି କର୍ମକର୍ତ୍ତା, ଦଳୀୟ ହାଇକମାଣ୍ଡ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସଂଗଠନ ସଂପର୍କରେ ଆଲୋଚନା କରିବେ। ଦଳ ଯାହା ନିର୍ଦ୍ଦେଶ ଦେବ ଶୃଙ୍ଖଳିତ କର୍ମୀ ଭାବେ ତାହାକୁ ମାନିବେ। ତେବେ, ସମର୍ଥକଙ୍କ ଦିଲ୍ଲୀ ଗସ୍ତ ସମ୍ପର୍କରେ ସେ କିଛି ଜାଣିନଥିବା କହିଛନ୍ତି। ଅନ୍ୟପକ୍ଷରେ, ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ଶଙ୍କର ସାହୁ। ସେ କହିଛନ୍ତି,‘ ଦିଲ୍ଲୀ ଲଡ଼ୁ ଯଦି ମିଠା, ତା’ହେଲେ ଆମେ ବି ଯିବୁ ଆଉ ଖାଇବୁ। ’ ଉଭୟ ନେତାଙ୍କ ଏପରି ବୟାନବାଜି କୋରାପୁଟ କଂଗ୍ରେସରେ ଝଡ଼ ସୃଷ୍ଟି କରିଛି।