ସମ୍ବଲପୁର : ଓଡ଼ିଶା ରାଜନୀତିରେ ସାମାନ୍ୟତମ ସକ୍ରିୟ ଥିବା ପ୍ରତ୍ୟେକଟି ବ୍ୟକ୍ତି ପାଇଁ ଏବେ ବରଗଡ଼ ଜିଲ୍ଲାର ଉପାନ୍ତ ଉପଖଣ୍ଡ ପଦ୍ମପୁର ଏକ ଅଘୋଷିତ ତୀର୍ଥ ପାଲଟିଛି। ପଦ୍ମପୁରର ନିର୍ବାଚନ ବୈତରଣୀରେ ବୁଡ଼ ପକାଇବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ରାଜନୈତିକ ନେତାମାନେ ଧାଇଁ ଆସୁଛନ୍ତି ଶୀତ, କାକରକୁ ଖାତିର ନକରି। ପଶ୍ଚିମ ଓଡ଼ିଶାର ୫ ବିଜେପି ସାଂସଦଙ୍କ ମଧ୍ୟରୁ ୪ ଜଣ ପଦ୍ମପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବାବେଳେ ସମ୍ବଲପୁର ସାଂସଦ ନୀତେଶ ଗଂଗଦେବଙ୍କ ଏଯାଏଁ ଦେଖା ବି ମିଳି ନାହିଁ। ନିଜ ନିର୍ବାଚନମଣ୍ଡଳୀ ମାଡ଼ୁ ନଥିବା ଦେବଗଡ଼ ରାଜାଙ୍କ ପାଇଁ ଏହି ହାଇଭୋଲ୍‌ଟେଜ୍ ନିର୍ବାଚନର କୌଣସି ଗୁରୁତ୍ବ ନାହିଁ କି? ଗତ ଦୁଇ ସପ୍ତାହ ହେ‌ଲା ପଦ୍ମପୁରରେ ରାଜନୈତିକ ମେଳା ଲାଗିଥିବାବେଳେ ନୀତେଶ ଏସବୁରୁ କାହିଁକି ଦୂରରେ ରହିଛନ୍ତି? ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ସାଂସଦଙ୍କ ଏଭଳି ନିଷ୍କ୍ରିୟତା କାରଣରୁ ତାଙ୍କ ସମର୍ଥକମାନେ ବି କୋଣଠେସା ହୋଇ ରହିଥିବା ଦେଖିବାକୁ ମିଳିଛି।

Advertisment

ନୀତେଶଙ୍କ ବ୍ୟତୀତ ସମ୍ବଲପୁର ଜିଲ୍ଲାର ଅନ୍ୟ ସମସ୍ତ ଜନ ପ୍ରତିନିଧି ପଦ୍ମପୁର ଉପନିର୍ବାଚନରେ ସକ୍ରିୟ ଅଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ନିଜ କାର୍ଯ୍ୟବ୍ୟସ୍ତତା ଓ ସ୍ବାସ୍ଥ୍ୟଗତ ସମସ୍ୟା ସତ୍ତ୍ବେ ସେଠାରେ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି। ରେଂଗାଲି ବିଧାୟକ ନାଉରୀ ନାୟକ ବି ସେଠାରେ ଡେରା ପକାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସକ୍ରିୟ ଥିଲେ ବି ତାଙ୍କୁ ନେଇ ଆରମ୍ଭରୁ ଏକ ବିବାଦ ଉପୁଜିବାରୁ ସେ ଏବେ ବେଶି ସାମ୍‌ନାକୁ ଆସୁନାହାନ୍ତି। କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କୁ ବି ପଦ୍ମପୁରରେ ଦେଖିବାକୁ ମିଳିଛି। ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ମଧ୍ୟ ନିଜ ସମର୍ଥକଙ୍କ ସହ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି। ସମ୍ବଲପୁରର ବିଜେଡି, ବିଜେପିର ଛୋଟବଡ଼ ନେତା ଓ କର୍ମୀମାନେ ବି ଏବେ ପଦ୍ମପୁରରେ ସକ୍ରିୟ ରହିଛନ୍ତି। ପଶ୍ଚିମ ଓଡ଼ିଶାରୁ ବିଜେପିର ଅନ୍ୟ ୪ ସାଂସଦଙ୍କ ମଧ୍ୟରୁ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ସଂଗୀତା ସିଂହଦେଓ ପଦ୍ମପୁରରେ ଏକପ୍ରକାର ଡେରା ପକାଇଛନ୍ତି। ଜୁଏଲ ଓରାମ ବି ୪ ଦିନ ପ୍ରଚାର କରି ଦିଲ୍ଲୀ ଯାଇଥିବା ସୂଚନା ମିଳିଛି। ରାଜ୍ୟର ଅନ୍ୟ ତିନି ବିଜେପି ସାଂସଦଙ୍କ ମଧ୍ୟରୁ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଏବଂ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରଚାର କରିଥିବାବେଳେ ଅପରାଜିତା ଷଡ଼ଙ୍ଗୀଙ୍କ ପଦ୍ମପୁର ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ ନୀତେଶଙ୍କୁ ତାଙ୍କ ଦଳ ବି ଖୋଜୁ ନଥିବା ପ୍ରତୀତ ହେଉଛି।

ଅପରପକ୍ଷରେ ନୀତେଶଙ୍କ ପତ୍ନୀ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ ପ୍ରାୟ ଦୁଇ ବର୍ଷ ହେଲା ବିଜେଡି ସହ ଯୋଗସୂତ୍ରରେ ରହିଛନ୍ତି। ତାଙ୍କ ଖାସ୍ ସମର୍ଥକ କ‌ୁହାଯାଉଥିବା ସମ୍ବଲପୁରର ଜଣେ ଯୁବନେତା ଏବେ ସାମାଜିକ ଗଣମାଧ୍ୟମରେ ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ଗୁଣଗାନ କରୁଥିବାବେଳେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ବିରୋଧରେ ବିଷୋଦ୍‌ଗାର କରୁଥିବା ଦେଖିବାକୁ ମିଳିଛି। ଜୟ ନାରାୟଣଙ୍କ ସମର୍ଥକମାନେ ଉକ୍ତ ଯୁବନେତାଙ୍କୁ ସାମାଜିକ ଗଣମାଧ୍ୟମରେ ପାଲଟା ଆକ୍ରମଣ କରିବା ସହ ସାଂସଦଙ୍କ ବିଷୟରେ ପଚାରୁଛନ୍ତି। ପଦ୍ମପୁର ନିର୍ବାଚନ ଯାହାହେଉ ନା କାହିଁକି ସମ୍ବଲପୁର ନେତାଙ୍କ ଛାପ ଓ ସାଂସଦଙ୍କ ଅନୁପସ୍ଥିତି ଏବେ ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି।