କେନ୍ଦ୍ରୀୟ ବଜେଟକୁ ନେଇ କ’ଣ କହିଲେ ଓଡ଼ିଶାର ନେତୃବୃନ୍ଦ

ଜନବିରୋଧୀ ବଜେଟ୍‌: ନିରଞ୍ଜନ
ଆଜିର କେନ୍ଦ୍ରୀୟ ବଜେଟ୍‌କୁ ଏକ ଜନ ବିରୋଧୀ ବଜେଟ୍‌ ବୋଲି କହିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୨୨-୨୩ ରେ ବଜେଟ୍‌ରେ ଓଡ଼ିଶା ପାଇଁ କିଛି ନାହିଁ। ଗତ ଦୁଇ ବର୍ଷର ଭୟଙ୍କର ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସହିତ ଓଡ଼ିଶା ନିରନ୍ତର ସଂଗ୍ରାମ କରୁଛି। ତେଣୁ ରାଜ୍ୟକୁ ସହାୟତା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବୋଧେ ଭୁଲି ଯାଇଛନ୍ତି। ଯୁବକ/ଯୁବତୀ ପାଇଁ ବଜେଟ୍‌ରେ କିଛି ନାହିଁ। ଏହା ଏକ ଅତ୍ୟନ୍ତ ନୈରାଶ୍ୟଜନକ ବଜେଟ୍‌ ଓ ଏହାକୁ ଦେଖି କଷ୍ଟ ଲାଗୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

News18

ବଜେଟ୍‌ ଗେମ୍‌ଚେଞ୍ଜର ହେବ
ଯେପରି ଜିଏସ୍‌ଟିରେ ଅଧିକରୁ ଅଧିକ ରାଜସ୍ବ ଆଦାୟ ସହ ସମାଲୋଚକଙ୍କୁ ଚୁପ୍ କରିଦେଇଛି, ସେହିପରି ଆଜିର ବଜେଟ୍ ଏକ ବଡ଼ ଗେମ୍‌ଚେଞ୍ଜର ହେବ। ଭିତ୍ତିଭୂମି, କୃଷି କ୍ରୟ, ଏମ୍‌ଏସ୍‌ଏମ୍‌ଇକୁ ବୃଦ୍ଧି କରିବାକୁ ପଦକ୍ଷେପ, ଶିକ୍ଷା, ସ୍ବାସ୍ଥ୍ୟ ଏବଂ କେବଳ ପିଏଲ୍‌ଆଇ ପ୍ରକଳ୍ପରେ ୬ମିଲିଅନ ନିଯୁକ୍ତି ବହୁତ ବଡ଼ ପଦକ୍ଷେପ।
ବୈଜୟନ୍ତ ପଣ୍ଡା, ବିଜେପିର ରାଷ୍ଟ୍ରୀୟ ଉପସଭାପତି

nocorruption.in

୨ କୋଟି ରୋଜଗାର କୁଆଡ଼େ ଗଲା : ପ୍ରଣବ ପ୍ରକାଶ ଦାସ
୨୦୧୪ରେ ବିଜେପି ନିଜ ପ୍ରଚାର ପତ୍ରରେ ୨ କୋଟି ରୋଜଗାର ସୃଷ୍ଟି କରିବ ବୋଲି ପ୍ରତିଜ୍ଞା କରିଥିଲା। ଏହି ପ୍ରତିଜ୍ଞା ପାଣିରେ ଗାରରେ ପରିଣତ ହେଲା। ୨୦୨୨ ବଜେଟରେ କହୁଛନ୍ତି ୫ ବର୍ଷରେ ୬୦ ଲକ୍ଷ ନୂଆ ଚାକିରି ଦେବେ। ଯୁବ ପିଢ଼ି ଏହା ବିଚାର କରିବେ। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ମିଳୁଥିବା ସବ୍‌ସିଡିକୁ କମ୍ କରିଦିଆଯାଇଛି, ଯାହା ଏଲ୍‌ପିଜିର ଦାମକୁ ଆହୁରି ବଢ଼ାଇବ। ୨୦୧୪ରେ ବିଜେପି ନିଜ ପ୍ରଚାରପତ୍ରରେ କହିଥିଲେ କି ସବୁ ଧାନ ଏଫ୍‌ସିଆଇ କିଣିବ ଓ ଚାଷୀମାନେ ଏମ୍ଏସ୍‌ପି ମାଧ୍ୟମରେ ନିଜ ପରିଶ୍ରମର ଉଚିତ ମୂଲ୍ୟ ପାଇବେ। କିନ୍ତୁ ୨୦୨୨ ବଜେଟରେ ଖାଦ୍ୟ ସବ୍‌ସିଡି ବହୁତ କମାଇ ଦେଲେ।
ପ୍ରଣବ ପ୍ରକାଶ ଦାସ, ବିଜେଡି ସଂଗଠନ ସମ୍ପାଦକ

କର୍ପୋରେଟ୍‌ କା ସାଥ୍ କର୍ପୋରେଟ୍‌ କା ବିକାଶ ବଜେଟ୍‌: ପଞ୍ଚାନନ
୨୦୨୨-୨୩ କେନ୍ଦ୍ର ବଜେଟ୍‌ ସଂପୂର୍ଣ୍ଣଭାବେ କର୍ପୋରେଟ୍‌କୁ ସୁହାଇବ। କେନ୍ଦ୍ର ସରକାର ଯେଉଁ ସବ୍‌କା ସାଥ୍ ସବ୍‌କା ବିକାଶ କଥା କହୁଥିବା ବେଳେ ଚଳିତ ବଜେଟ୍‌ ହେଉଛି କର୍ପୋରେଟ୍‌ କା ସାଥ୍ କର୍ପୋରେଟ୍‌ କା ବିକାଶ ବୋଲି କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ। ଚଳିତ ବଜେଟ୍‌ ଉପରେ ପ୍ରତିକ୍ରିୟା ରଖି ଶ୍ରୀ କାନୁନ୍‌ଗୋ କହିଛନ୍ତି ଯେ କର୍ପୋରେଟ୍‌ ହାଉସକୁ ସୁହାଇବା ଭଳି ବଜେଟ୍‌ ପ୍ରସ୍ତୁତ କରାଯିବା କାରଣରୁ କର୍ପୋରେଟ୍‌ ଟିକସକୁ ୩୦ ପ୍ରତିଶତରୁ ୧୫ ପ୍ରତିଶତକୁ କମାଇ ଦିଆଯାଇଛି। ସରଚାର୍ଜ ୧୨ ପ୍ରତିଶତରୁ ୭ ପ୍ରତିଶତକୁ ଖସାଇ ଦିଆଯାଇଛି। ଆବାସ ଯୋଜନା, ମନରେଗାକୁ ଗୁରୁତ୍ବ ଦିଆଯାଇ ନାହିଁ। କରୋନା ସମୟରେ ଲୋକଙ୍କ ହାତକୁ ଅର୍ଥର ଆବଶ୍ୟକତା ଥିଲେ ମଧ୍ୟ ମନରେଗା ବଜେଟ୍‌ରେ କୌଣସି ପରିବର୍ତନ କରାଯାଇ ନାହିଁ। ଏଥର ଟିକସ ରିହାତି ଦିଆଯାଇ ନାହିଁ। ସାଧାରଣ ଓ ମଧ୍ୟମ ବର୍ଗର ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ।

ଶୀତଳଭଣ୍ଡାରରେ ପ୍ରସ୍ତାବିତ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
ମାନସିକ ସ୍ବାସ୍ଥ୍ୟ ଯତ୍ନ ପାଇଁ କେନ୍ଦ୍ରୀୟ ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ସ୍ବାଗତଯୋଗ୍ୟ। ତେବେ ଓଡ଼ିଶାରେ ଜାତୀୟ ମାନସିକ ସ୍ବାସ୍ଥ୍ୟ ଓ ତନ୍ତ୍ରିକା ବିଜ୍ଞାନ ପ୍ରତିଷ୍ଠାନ (ଏନ୍‌ଆଇଏମ୍‌ଏଚ୍‌ଏନ୍‌ଏସ୍‌) ଭଳି ଏକ ପ୍ରତିଷ୍ଠାନ ସ୍ଥାପନ ପ୍ରସ୍ତାବ ୨୦୧୨ ଅଗଷ୍ଟରୁ ଓଡ଼ିଶା ସରକାରଙ୍କ ଦ୍ବାରା ଦିଆଯାଇଛି। ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୪ ଜୁଲାଇରେ ତତ୍କାଳୀନ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡଃ. ହର୍ଷବର୍ଦ୍ଧନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। କିନ୍ତୁ ପ୍ରସ୍ତାବ ଉପରେ କୌଣସି ଅଗ୍ରଗତି ହୋଇନାହିଁ। ଏ ବିଷୟରେ ବର୍ତ୍ତମାନ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଚୁପ୍ ରହିଛନ୍ତି।

ସମ୍ବନ୍ଧିତ ଖବର