ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତରେ ସୁରେନ୍ଦ୍ର ମହାନ୍ତି ଜଣେ ବିସ୍ମୟ ପୁରୁଷ। କେବଳ କବିତାକୁ ଛାଡ଼ି ସାହିତ୍ୟର ସମସ୍ତ ବିଭାଗରେ ସେ ନିଜର ମୂଲ୍ୟବାନ ଅବଦାନ ଦେଇଛନ୍ତି। ଜୀବନୀ, ଆତ୍ମଜୀବନୀ, ନାଟକ, ପ୍ରବନ୍ଧ, ଭ୍ରମଣ ବୃତ୍ତାନ୍ତ, ସମାଲୋଚନା, ସ୍ତମ୍ଭଲେଖ ଆଦି ସହିତ ସେ ସମ୍ବାଦପତ୍ରର ସଫଳ ସମ୍ପାଦକ ହୋଇଥିଲେ। ରାଜନୀତିରେ ପାଦ ଥାପି ସେ ନିର୍ବାଚିତ ସାଂସଦ ମଧ୍ୟ ହୋଇଥିଲେ। ଓଡ଼ିଆ ସାହିତ୍ୟରେ ଏଭଳି ବ୍ୟକ୍ତିତ୍ବ ବିରଳ। ଏହି ପ୍ରଖ୍ୟାତ ସାହିତ୍ୟିକ ତଥା ‘ସମ୍ବାଦ’ର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜୟନ୍ତୀ ଉତ୍ସବ ଅବସରରେ ତାଙ୍କ ଲିଖିତ ‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଏବଂ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର-ମଧ୍ୟପର୍ବ’ ପୁସ୍ତକକୁ ଉନ୍ମୋଚନ କରି ଏହା କହିଛନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଏହି ଉତ୍ସବରେ ତାଙ୍କର ବହୁବିଧ ଅବଦାନର ବ୍ୟାଖ୍ୟା କରି ଶ୍ରୀ ନାୟକ କହିଲେ, ଓଡ଼ିଆ ସାହିତ୍ୟ ଇତିହାସରେ ମଧ୍ୟ ସୁରେନ୍ଦ୍ର ମହାନ୍ତିଙ୍କର ବଡ଼ ଅବଦାନ ରହିଛି। ତାଙ୍କ ଇତିହାସ ରଚନାର ପଦ୍ଧତି ଥିଲା ‘ଚାହାଣି, ଚଳଣି ଓ ଚମକ’ର ସମନ୍ବୟ। ଏଥିସହ ‘ସମୀକ୍ଷା’ ଓ ‘ମୂଲ୍ୟବୋଧ’ ଦୁଇଟି ଉପାଦାନକୁ ସେ ପ୍ରାଧାନ୍ୟ ଦେଉଥିଲେ।
ଉତ୍ସବରେ ସମ୍ମାନିତ ଅତିଥି ରୂପେ ସୁରେନ୍ଦ୍ର ମହାନ୍ତିଙ୍କ ସୁକନ୍ୟା ତଥା ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି ଯୋଗଦେଇ କହିଲେ, ‘ମୁଁ ତାଙ୍କ ରକ୍ତର ହୋଇଥିଲେ ହେଁ ପାଠକପାଠିକା ବାପାଙ୍କ ପ୍ରକୃତ ସନ୍ତାନସନ୍ତତି ଥିଲେ। ସୌମ୍ୟରଂଜନ ବାବୁ ସୁରେନ୍ଦ୍ର ମହାନ୍ତିଙ୍କର ପ୍ରକୃତ ଦାୟାଦ। ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ହେବା ପାଇଁ ତାଙ୍କର ଶେଷଇଚ୍ଛାକୁ ସୌମ୍ୟବାବୁ ପୂରଣ କରିଥିଲେ। ‘ଆମ ଓଡ଼ିଶା’ ଦ୍ବାରା ତାଙ୍କର ସମଗ୍ର ରଚନା ପ୍ରକାଶ କରିବା, ତାଙ୍କର ଜନ୍ମୋତ୍ସବ ପାଳନ କରିବା ଇତ୍ୟାଦି ସମସ୍ତ କାର୍ଯ୍ୟ ସେ ଅତି ଶ୍ରଦ୍ଧାର ସହ କରୁଛନ୍ତି, ଯେଉଁଥି ପାଇଁ ଆମେ କୃତଜ୍ଞ। ବିଶିଷ୍ଟ କଥାକାର ଗୌରହରି ଦାସ ଶ୍ରୀ ମହାନ୍ତିଙ୍କ ସଂଘର୍ଷମୟ ଜୀବନ ଓ କୃତିତ୍ବକୁ ଉପସ୍ଥାପନ କରିଥିଲେ। ସେ କହିଥିଲେ, ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଶ୍ରୀ ମହାନ୍ତି ଜଣେ ସମର୍ଥ ଲେଖକ ହୋଇପାରିଥିଲେ।
ସୁରେନ୍ଦ୍ର ମହାନ୍ତିଙ୍କ ୧୦୪ତମ ଜୟନ୍ତୀ
ଓଡ଼ିଆ ସାହିତ୍ୟ ଜଗତରେ ଥିଲେ ବିସ୍ମୟ ପୁରୁଷ: ଯତୀନ୍ଦ୍ର
ସୌମ୍ୟବାବୁ ତାଙ୍କ ପ୍ରକୃତ ଦାୟାଦ: ଲୋପାମୁଦ୍ରା
ସେ ଥିଲେ ଶବ୍ଦର ସବ୍ୟସାଚୀ: ଗୌରହରି
‘ଓଡ଼ିଆ ସାହିତ୍ୟର ଆଦିପର୍ବ’ ଏବଂ ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ ଓ ଉତ୍ତର-ମଧ୍ୟପର୍ବ’ ପୁସ୍ତକ ଉନ୍ମୋଚିତ
ଶ୍ରୀଜଗନ୍ନାଥ, ମଧୁସୂଦନ ଦାସ ଓ ଗୌତମବୁଦ୍ଧ ହେଉଛନ୍ତି ତାଙ୍କର ତିନି ପ୍ରମୁଖ ସାରସ୍ବତ ଆଧାର। କେବଳ ସାହିତ୍ୟ ନୁହେଁ, ସାମାଜିକ ବିଧି ବ୍ୟବସ୍ଥାକୁ ସେ ପ୍ରଭାବିତ କରି ପାରିଥିଲେ। ସେ ଥିଲେ ଶବ୍ଦର ସବ୍ୟସାଚୀ। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଲେ, ସୁରେନ୍ଦ୍ର ମହାନ୍ତି ‘ସମ୍ବାଦ’ର ପ୍ରଥମ ସମ୍ପାଦକ ହୋଇ ନଥିଲେ ‘ସମ୍ବାଦ’ ସହ ‘ସାହିତ୍ୟ’ର ସମ୍ପର୍କ ନିବିଡ଼ ହୋଇ ପାରି ନଥା’ନ୍ତା। ‘ସମ୍ବାଦ’ ପାଇଥିବା ଈର୍ଷଣୀୟ ସଫଳତା ପଛରେ ତାଙ୍କର ବଡ଼ ଯୋଗଦାନ ରହିଛି। ଏକାଧାରରେ ସାହିତ୍ୟ, ସାମ୍ବାଦିକତା ଓ ରାଜନୀତିର ଅପୂର୍ବ ସଙ୍ଗମ ଥିଲେ ସୁରେନ୍ଦ୍ର ମହାନ୍ତି। ସେ ପ୍ରକୃତ ସ୍ବାଭିମାନୀ ପୁରୁଷ ଓ ସଫଳ ମଣିଷପଣିଆର ବିରାଟ ମୂଲ୍ୟବୋଧ। ବର୍ତ୍ତମାନ ସାମାନ୍ୟ ସ୍ବାର୍ଥ ପାଇଁ ଯେଉଁ ନେତାମାନେ କ୍ରୀତଦାସ ହେବାକୁ ପଛାଉ ନାହାନ୍ତି, ସେମାନେ ଅନ୍ତତଃ ସୁରେନ୍ଦ୍ର ମହାନ୍ତିଙ୍କ ଚରିତ୍ରକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି।
‘ଆମ ଓଡ଼ିଶା’ର ପ୍ରକାଶନ ସମ୍ପାଦକ ଅସିତ ମହାନ୍ତି ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ବିପୁଳ ସାରସ୍ବତ କୃତିକୁ ନେଇ ଏଇ ତିନିବର୍ଷ ମଧ୍ୟରେ ‘ଆମ ଓଡ଼ିଶା’ ୫,୫୦୦ ପୃଷ୍ଠାରୁ ଊର୍ଦ୍ଧ୍ବ ସଂକଳନ ପ୍ରକାଶ କରିଥିବା ନେଇ ସେ ସୂଚନା ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲେଖକ ଡ. ରାଜକିଶୋର ପାଢ଼ୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ‘ମାଂସର କୋଣାର୍କ’କୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ୧୩ ମିନିଟ୍ର ଏହି ଚଳଚ୍ଚିତ୍ରକୁ ବିଶ୍ବଜିତ ସାହୁ ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ଅଭିନେତା ପାର୍ଥସାରଥୀ ରାୟ, ସାଇଶ୍ରେଷ୍ଠ ଦାସ ଓ ଅଭିନେତ୍ରୀ ଜ୍ୟୋତିର୍ମୟୀ କର ଅଭିନୟ କରିଛନ୍ତି। ଶେଷରେ ‘ପୌରୁଷ’ର ସହସମ୍ପାଦକ ଗୋବିନ୍ଦଚନ୍ଦ୍ର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।