ସୁବ୍ରତ ପଣ୍ଡା

Advertisment

ଶେରଗଡ଼: ଦିନ ଥିଲା ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ କଂଗ୍ରେସର ଅଭେଦ୍ୟ ଦୁର୍ଗ ଭାବେ ପରିଚିତ ଥିଲା। ରାଜ୍ୟ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଏହି ନିର୍ବାଚନମଣ୍ଡଳୀରେ ୨୦୦୦ ମସିହାରେ ହଠାତ୍ ସମୀକରଣ ବଦଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ପ୍ରାର୍ଥୀ ହୋଇ ବିପୁଳ ବିଜୟ ହାସଲ କରିବା ପରେ କଂଗ୍ରେସର ବିଜୟଧାରାରେ ଯେମିତି ବ୍ରେକ୍ ଲାଗିଥିଲା। ଆଉ ଗତ ୨୩ ବର୍ଷ ହେଲା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରେ ବିଜେଡିର ଅପରାଜେୟ ଗଡ଼ ପାଲଟିଥିବା ବେଳେ ନବୀନ ପଟ୍ଟନାୟକ ଲଗାତାର ପାଞ୍ଚ ଥର ଏଠାରୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି।

କିନ୍ତୁ କଂଗ୍ରେସ ଏବେବି ନିଜର ପୂର୍ବ ସ୍ଥିତି ଫେରିପାଇବାକୁ ସଂଘର୍ଷ କରୁଥିବା ବେଳେ ନେତୃତ୍ବ ସଂକଟ ପ୍ରମୁଖ ସମସ୍ୟା ହୋଇଛି। ଏଭଳି ପରିସ୍ଥିତିରେ ୨୦୨୪ ନିର୍ବାଚନକୁ ନଜରରେ ରଖି ପ୍ରଦେଶ କଂଗ୍ରେସ କମିଟି ‘ଘରେଘରେ ହାତ କାର୍ଯ୍ୟକ୍ରମ ହାତକୁ ନେଇଥିବା‌ ବେଳେ ହିଞ୍ଜିଳି ନିର୍ବାଚନମଣ୍ଡଳ‌ୀ‌ରେ ଏହି ଅଭିଯାନକୁ ଦଳ କେମିତି ଓ କାହା ନେତୃତ୍ବରେ ସଫଳ କରିବ ଏହା ଜଣାପଡ଼ି ନାହିଁ। ଖୋଦ୍‌ ଦଳୀୟ କର୍ମୀ ମଧ୍ୟ ଏ ନେଇ ସଂଶୟରେ ପଡ଼ିଛନ୍ତି। ୨୦୦୦ ଓ ୨୦୦୪ ନିର୍ବାଚନରେ ପୂର୍ବତନ ବିଧାୟକ ଉଦୟନାଥ ନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଉଭୟ ନିର୍ବାଚନରେ ତାଙ୍କୁ ନବୀନ ପଟ୍ଟନାୟକଙ୍କଠାରୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ସମୟଚକ୍ରରେ ଶ୍ରୀ ନାୟକ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସେହିପରି ୨୦୧୪ରେ ଶିବରାମ ପାତ୍ର ପ୍ରାର୍ଥୀ ହୋଇଥିବା ବେଳେ ୨୦୧୯ରେ ଦଳ ପ୍ରାର୍ଥୀ ବଦଳାଇ ଶମ୍ଭୁ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଥିଲା। କିନ୍ତୁ କଂଗ୍ରେସର ‌ଭୋଟ୍‌ହାର ହ୍ରାସ ପାଇଥିଲା। ଦଳ ଦ୍ବିତୀୟ ସ୍ଥାନରୁ ତୃତୀୟକୁ ଖସିଥିଲା। ସେହିପରି ଗତବର୍ଷ ପୌର ନିର୍ବାଚନ‌ରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଦୁର୍ବଳ ରହିଥିଲା। ଏହାସହ ପଞ୍ଚାୟତ ନିର୍ବାଚନରେ ୬ଟି ଜିଲ୍ଲା ପରିଷଦରେ ପ୍ରାର୍ଥୀ ଶୋଚନୀୟ ପରାଜୟ ବରଣ କରିଥିଲେ।

ଏଭଳି ଭାବେ ୨୩ ବର୍ଷ ଭିତରେ କଂଗ୍ରେସ ନିୟମିତ ପ୍ରାର୍ଥୀ ପରିବର୍ତ୍ତନ କରୁଥିବା ବେଳେ ଦଳର ସାଂଗଠନିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ଶମ୍ବୁ ପାଣିଗ୍ରାହୀ ବର୍ତ୍ତମାନ ହିଞ୍ଜିଳି ପରିବର୍ତ୍ତେ ଗୋପାଳପୁର ବିଧାନସଭା ଆସନରେ ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ହିଞ୍ଜିଳି କଂଗ୍ରେସର ମଙ୍ଗୁଆଳ କିଏ ସାଜିବ, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।