କଟକ: ଭାରତରେ ଗଣତନ୍ତ୍ରର ପଶ୍ଚାତ୍ଗତି ପାଇଁ ମୁଖ୍ୟତଃ ଦାୟୀ ହେଉଛି ନେତୃତ୍ବ ସଂକଟ। ନେତୃତ୍ବ ତିଆରି କରିବା ପାଇଁ ଯେଉଁ ଅନୁଷ୍ଠାନ ଗଠନ ହୋଇଛି ଓ ବ୍ୟବସ୍ଥା ତିଆରି ହୋଇଛି ତାକୁ ଆମେ ଭାଙ୍ଗି ଦେଉଛେ। ନେତୃତ୍ବ ସଂକଟ ଏବେ ଆମ ସମାଜର ସବୁ ପରିସରକୁ ଛୁଇଁଛି। କୃଷି ପ୍ରଧାନ ଓଡ଼ିଶା ରାଜ୍ୟରେ କୃଷକ ନେତାଙ୍କ ଅଭାବ ରହିଛି। ଆଗକୁ ଓଡ଼ିଶା ଶିଳ୍ପ ପ୍ରଧାନ ରାଜ୍ୟ ହେବାକୁ ଯାଉଥିବା ବେଳେ ଏଠାରେ ଶ୍ରମିକ ନେତାଙ୍କ ଅଭାବ ଦେଖାଯାଇଛି। ଯେଉଁଠି କୌଣସି ବର୍ଗର ନେତୃତ୍ବ ନାହିଁ ସେଠାରେ ଆଗକୁ ଯିବାର ବାଟନାହିଁ। ଦେଶକୁ ନେତୃତ୍ବ ସଂକଟରୁ ଉଦ୍ଧାର କରିବା ପାଇଁ ନାଗରିକ ସମାଜର ଅନୁଷ୍ଠାନଗୁଡ଼ିକ ମୁଣ୍ଡ ଟେକି ଛିଡ଼ା ହେବା ଦରକାର। ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ‘ଗଣତନ୍ତ୍ରର ପଶ୍ଚାତଗତି; ଆମ ସମୟର ସଂକଟକୁ ଉନ୍ମୁକ୍ତ କରୁଛି’ ଶୀର୍ଷକ ଆଲୋଚନାକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍ ପିଲାର୍ସସ୍ଥିତ ଆନେକ୍ସ-୧ରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନେତାଜୀ ଅଭିନନ୍ଦନଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ନାଗରିକ ସମାଜ ମାଟିକୁ ବଡ଼ କରି ଓ ସମ୍ବିଧାନକୁ ସମ୍ମାନ ଦେଇ ନେତା ବାଛିଲେ ଆପେ ଆପେ ଦେଶର ରାଜନୈତିକ ବ୍ୟବସ୍ଥା ସଂସ୍କାରିତ ହୋଇଯିବ। ନାଗରିକ ସମାଜ ପାଇଁ ଏବେ ସମୟ ଆସିଛି ପ୍ରଶ୍ନ ପଚାରିବାର ଅଭ୍ୟାସକୁ ସବୁ କ୍ଷେତ୍ରରେ ବ୍ୟବହାର କରିବା। ପ୍ରଶ୍ନ ପଚାରିବାର ମାନସିକତା ଦେଶକୁ ସତ୍ୟର ନିକଟତର କରାଇବା ସହ ନେତୃତ୍ବ ଗଠନରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ପ୍ରକାଶ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ସଭାରେ ବିଭାଗର ମୁଖ୍ୟ ନେତାଜୀ ଅଭିନନ୍ଦନ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଡକ୍ଟର ମଧୁସ୍ମିତା ରାଉତ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ରେଭେନ୍ସା କୁଳସଚିବ କାହ୍ନୁଚରଣ ମଲ୍ଲିକ ନିମନ୍ତ୍ରିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଆଲୋଚନାଚକ୍ରରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶୁଭ୍ରଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।