ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

କୁଚିଣ୍ଡା: କୁଚିଣ୍ଡା ଥାନା ଗୁଣ୍ଡୁରୁଚୁଆଁ ସ୍ଥିତ ଖଡ଼ିଆପଡ଼ାରେ ମଙ୍ଗଳବାର ଜଣେ ମହିଳାଙ୍କ ନିଆଁରେ ପୋଡ଼ି ମୃତ୍ୟୁ ଘଟିଛି। ମିଳିଥିବା ସୂଚନାନୁସାରେ ଖଡ଼ିଆପଡ଼ାରେ ପରିବାର ନେଇ ରୁହନ୍ତି ରାଜ ଖଡ଼ିଆ। ଘରେ ପତ୍ନୀ ତାରାବତୀ ଖଡ଼ିଆ (୪୦)ଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ। ପୁଅଟି ଭୋଜପୁର ଆଶ୍ରମରେ ରହି ପଢୁଥିବା ବେଳେ ଝିଅ ନିକଟସ୍ଥ ସ୍କୁଲ୍‌ରେ ପଢୁଛି। ପଥର ଖାଦାନାରେ କାମ କରୁଥିବା ରାଜ ସବୁ ଦିନ ଭଳି ଆଜି ବି କାମକୁ ଯାଇଥିବା ବେଳେ ଝିଅ ସ୍କୁଲ୍‌କୁ ଯାଇଥିଲା। ତେବେ ଘରେ ଏକୁଣିଆ ଥିବା ତାରାବତୀ କୌଣସି ପ୍ରକାରେ ନିଆଁରେ ପୋଡ଼ିଯିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। କାମରୁ ଫେରି ଘଟଣା ସଂପର୍କରେ ଜାଣିବା ପରେ ତାରାବତୀଙ୍କ ଦିଅର ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ କରାଯିବା ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଆଇଆଇସି ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ମହିଳା ଜଣକ କିରୋସିନ୍‌ ଢାଳି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର