‘ସମ୍ବାଦ ଭବନ’ରେ ଲିଆଣ୍ଡ: ସକାରାତ୍ମକ ଖବର, ସଶକ୍ତ ସମାଜ

ଏବର ସୋସିଆଲ ମିଡିଆ ଓ ପୋର୍ଟାଲ ଯୁଗରେ ତାଜା ଖବର ଦ୍ରୁତଗତିରେ ଲୋକଙ୍କ ପାଖରେ ପହଞ୍ଚି ଯାଉଛି। ତା’ଛଡ଼ା ଏକ ହଟଚମଟ ସୃଷ୍ଟିକାରୀ ଯୁଗରେ ବର୍ତ୍ତମାନର ପିଢ଼ି ମଧ୍ୟ ସେହିଭଳି ଖବରକୁ ପଢ଼ିବାକୁ ବା ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛି। ଆଜିକାଲି ହତ୍ୟା, ଦୁଷ୍କର୍ମ ଭଳି ନକାରାତ୍ମକ ଖବରରେ ଖବରକାଗଜର ପ୍ରଥମ ପୃଷ୍ଠା ଭର୍ତ୍ତି ହୋଇଯାଉଛି। ଏଭଳି ଏକ ନକାରାତ୍ମକ ବାତାବରଣ ଭିତରେ ସକାରାତ୍ମକ ଖବର ପ୍ରକାଶ କରିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଗୋଟିଏ ଗଣମାଧ୍ୟମ ସାଧାରଣ ଜନତାଙ୍କ ପାଇଁ କିଭଳି ଖବର ଦେବ ଏବଂ କେମିତି ଢଙ୍ଗରେ ପରିବେଷଣ କରିବ ତାହା ଅଧିକ ଗୁରୁତ୍ବପୂର୍ଣ୍ଣ। ଏହାର ଅର୍ଥ ନୁହେଁ ଯେ କୌଣସି ଅଘଟଣକୁ ଆମେ ଖବରରୁ ସମ୍ପୂର୍ଣ୍ଣ ବାଦ୍‌ ଦେଇଦେବା। ଗୋଟିଏ ନକାରାତ୍ମକ ଖବରକୁ ତଥ୍ୟର ସହ ଲୋକଙ୍କୁ ଜଣାଇବା ବେଳେ ଅଧିକ ଦାୟିତ୍ବବାନ ଓ‌ ସମ୍ବେଦନଶୀଳ ହେବାକୁ ପଡ଼ିବ। କାରଣ ସମାଜ ପାଇଁ ଆମର ଏକ ବୃହତ୍ତର ଦାୟିତ୍ବ ରହିଛି। ଏହା ବ୍ୟତୀତ ସମାଜ, ଗୋଷ୍ଠୀ ଏବଂ ସାଧାରଣ ଜନତାଙ୍କୁ ସଶକ୍ତ କରିବାକୁ ହେଲେ ଆମକୁ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ ହେବ। କାରଣ ଆଜି ଆମ ଦେଶରେ ୨୫ ବର୍ଷରୁ କମ୍‌ ବୟସର ୭ କୋଟି ୪୫ ଲକ୍ଷ ପିଲା ସ୍କୁଲ, କଲେଜରେ ପାଠ ପଢ଼ୁଛନ୍ତି। କେବଳ ଯେ ପାଠ ପଢ଼ା ହୋଇଗଲେ ସେମାନେ ଯୋଗ୍ୟ, ସଶକ୍ତ ଓ ରୋଜଗାରକ୍ଷମ ହୋଇଯିବେ ତାହା ନୁହେଁ। ଆମ ଦେଶରେ ଏମିତି ଅନେକ ଯୁବକ ଯୁବତୀ ଅଛନ୍ତି, ‌େଯଉଁମାନେ ଏତେ ବେଶି ଶିକ୍ଷିତ ନୁହନ୍ତି, କିନ୍ତୁ ସେମାନଙ୍କ ଭିତରେ ପ୍ରତିଭା ଭରି ରହିଛି। ସେମାନଙ୍କ ଭିତରେ ଥିବା ପ୍ରତିଭା ଓ ଦକ୍ଷତାକୁ ବଢ଼ାଇବାକୁ ହେଲେ ଆମ ସରକାରଙ୍କୁ ମଧ୍ୟ ତାଙ୍କ ବାର୍ଷିକ ବଜେଟ୍‌ରେ ଶିକ୍ଷା, କ୍ରୀଡ଼ା ଓ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମରେ ଅଧିକ ବ୍ୟୟବରାଦ କରିବାକୁ ପଡ଼ିବ। ବଜେଟ୍‌ରେ ଶିକ୍ଷା ଓ କ୍ରୀଡ଼ା ଉପରେ ଅଧିକ ଗୁରୁତ୍ବ ଦିଆଗଲେ ତାହା ଆଜିର ଯୁବପିଢ଼ିକୁ ସଶକ୍ତ କରିପାରିବ। ଏହା ଆମ ଜନସମୂହ ଓ ସମାଜକୁ ଆଗେଇ ନେବା ପାଇଁ ମଧ୍ୟ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ସରକାର ଯେଉଁ ବଜେଟ୍‌ ଉପସ୍ଥାପନ କରିଛନ୍ତି, ତାହା ପ୍ରଶଂସନୀୟ। କାରଣ ଏଥିରେ ଅପପୁଷ୍ଟି ରୋକିବା ପାଇଁ ଏକ ବଡ଼ ପରିମାଣର ଅର୍ଥ ବଜେଟ୍‌ରେ ବ୍ୟୟବରାଦ କରିଛନ୍ତି। କ୍ରୀଡ଼ା ଓ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି। ଗୋଟିଏ ଉନ୍ନତ ଦେଶ ଗଢ଼ିବାକୁ ହେଲେ ସାଧାରଣ ଜନତା, ଯୁବ ସମାଜ ଏବଂ ସମାଜକୁ ସଶକ୍ତ କରିବା ଆମ ସମସ୍ତଙ୍କର ଦାୟିତ୍ବ।

ଲିଆଣ୍ଡର୍ ପେସ୍
(ଅତିଥି ସମ୍ପାଦକ)

ସମ୍ବନ୍ଧିତ ଖବର