ପିଲାଙ୍କୁ ସତ୍ୟ ଓ ଖୁସିରେ ବଞ୍ଚିବାର କଳା ଶିଖାଅ: ରାଜ୍ୟପାଳ

ଓଡ଼ିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ସମ୍ବଲପୁର: ଓଡ଼ିଶା ହେଉଛି ପ୍ରଭୁ ଜଗନ୍ନାଥ ଆଉ ଆଦିଶକ୍ତି ମାଁ ସମଲେଶ୍ବରୀଙ୍କର ପବିତ୍ର ଭୂମି। ମହାନ ଏହାର ସଂସ୍କୃତି। ଓଡ଼ିଶାବାସୀ ହେଉଛନ୍ତି ଜଗନ୍ନାଥଙ୍କର ଅଂଶ। ଆମେ ସମସ୍ତେ ଜଗନ୍ନାଥଙ୍କୁ ନେଇ ବଞ୍ଚୁଛୁ। ଓଡ଼ିଶାର ସଂସ୍କୃତି ସବୁଦିନ‌େ ବଞ୍ଚି ରହିବ। ଓଡ଼ିଶାର ସଂସ୍କୃତି ଆମକୁ ଶିଖାଏ ଆପଣଙ୍କ ମଧ୍ୟରେ ମୁଁ ଅଛି ଏବଂ ମୋ’ ଭିତରେ ଆପଣ ରହିଛନ୍ତି ବୋଲି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି।

ଗୁରୁବାର ସନ୍ଧ୍ୟାରେ ତପସ୍ବିନୀ ପ୍ରେକ୍ଷାଳୟରେ ଓଡ଼ିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, ଓଡ଼ିଶା ହେଉଛି ଜ୍ଞାନୀ,ଗୁଣୀ, ବୁଦ୍ଧିମାନ, ଗୁରୁଙ୍କ ଭୂମି। ସ୍ନେହ, ପ୍ରେମ ଓ ଭାତୃଭାବ ଶିଖାଇଥାଏ ଏହି ଭୂମି। ଦୁନିଆଁ କେଉଁଠି ଅଛି ଏବଂ ଆମେ କେଉଁଠି ଅଛୁ, ତାହା ଦେଖିବା କଥା। ମୁଁ ନଥିଲି, ଆଗକୁ ବି ମୁଁ ନଥାଇପାରେ କିନ୍ତୁ ଏହି ପବିତ୍ର ଓଡ଼ିଶା ଭୂମିର ମହାନ ସଂସ୍କୃତି ସବୁଦିନ ବଞ୍ଚି ରହିଥିବ। ଆଗକୁ ଅନ୍ୟ ଜାଗାର କ’ଣ ହେବ କେଜାଣି କିନ୍ତୁ ଭଗବାନଙ୍କ ଭୂମି ଓଡ଼ିଶା ଓ ପଣ୍ଡିଚେରୀ ସବୁଦିନ ତିଷ୍ଠି ରହିଥିବ। ସେ ଆହୁରି କହିଲେ, ୟୁକ୍ରେନ-ରୁଷର କଥା କ’ଣ କହିବା। ସେମାନେ ତ ବେଶୀ ବୁଦ୍ଧିମାନ ? ଆଜି ସାରା ବିଶ୍ବ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି।

ସମ‌ସ୍ତେ କିନ୍ତୁ ଭାରତ ଅଭିମୁ‌ଖେ ଦୌଡ଼ୁଛନ୍ତି। ଆଜି ପୁଣି ଜଣେ ବିଦେଶର ପ୍ରଧାନମନ୍ତ୍ରୀ ଭାରତ ଆସିଛନ୍ତି କହି ସେ ଭାରତ ଓ ଏହାର ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ପରୋକ୍ଷରେ ପ୍ରଶଂସା କରିଥିଲେ। ସେ କହି‌ଥିଲେ, ସବୁବେଳେ ସତ୍ୟର ଜୟ ହୋଇଥାଏ। ଦୁଷ୍ଟଶକ୍ତିଗୁଡ଼ିକ କିଛିଦିନ ଖେଳକୁଦ କରିଥାନ୍ତି। ‌ସେମାନଙ୍କୁ ଖେଳକୁଦ କରିବାକୁ ଦିଆଯାଉ। ହେଲେ, ଦୁଷ୍ଟମାନଙ୍କ ଧ୍ବଂସ ସୁନିଶ୍ଚିତ। ସଦାବେଳେ ଧର୍ମର ହିଁ ବିଜୟ ହୋଇଥାଏ। ଏହା ହିଁ ବାସ୍ତବତା। ତେଣୁ, ଦୁଷ୍ଟମାନଙ୍କର ଉତ୍ପାତକୁ ନେଇ କେବେ ବିଚଳିତ ହେବା କଥା ନୁହେଁ। ଶିଶୁମାନଙ୍କୁ ମିଥ୍ୟା ଆଉ ଅସତ୍ୟ ପଥରୁ ଦୂରେଇ ରହି ସତ୍ୟ ପଥର ପଥିକ ହେବା ସହ ଖୁସିରେ ବଞ୍ଚିବାର କଳା ଶିଖାଇବାକୁ ପଡ଼ିବ। ଅନ୍ୟକୁ ଭଲ ପାଅ, ସମ୍ମାନ ଦିଅ ଆଉ ଅନ୍ୟର ସମ୍ମାନ ସ୍ବୀକାର କର ବୋଲି ପ୍ରଫେସର ଗଣେଶୀ ଲାଲ ଆଜି ଏହି ଅବରସରେ କହିଥିଲେ।

ଆଦିଶକ୍ତି ମାଁ’ ସ‌ମଲେଶ୍ବରୀଙ୍କ ଟୋପାଏ ଲୁହ ସାରା ସଂସାରକୁ ଭସାଇ ଦେବ। ମାଁ’ଙ୍କ ଆଶୀର୍ବାଦ ଥିଲେ କିନ୍ତୁ ସବୁ କିଛି ସମ୍ଭବ ହୋଇପାରିବ ବୋଲି କହିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ସାଂସ୍କୃତିକ ସମାଜର ମ୍ୟୁଜିୟମ୍ ହଲ୍‌ ଓ ସୌରଶକ୍ତି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଓଡ଼ିଶା ସାଂସ୍କୃତିକ ସମାଜ ସଭାପତି ପ୍ରଫୁଲ୍ଲ ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷା ସଂସ୍କୃତିପ୍ରେମୀ ଭାବେ ପ୍ରଫେସର ମୀନକେତନ ପୁରୋହିତ ଏବଂ କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡାକ୍ତର ପ୍ରଦୀପ ମହାନ୍ତି, ସୁନ୍ଦରଗଡ଼ର ତାରାଶଙ୍କର ପତି, ବରଗଡ଼ର ଠାକୁର ମଲ୍ଲିକ, ଗୌରୀ କଲେତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମରଣିକା ଏବଂ ‘ଉପେକ୍ଷିତ ବରପୁତ୍ର-୪’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସାଂସ୍କୃତିକ ସମାଜର ସଂପାଦକ ‌ସରୋଜ ଦାଶ ପ୍ରାରମ୍ଭିକ ସୂଚନା ଓ ଡ. ଗୌରିଦାସ ପ୍ରଧାନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଷ୍ଟାର୍ଟ ହେଲାନି ଗାଡ଼ି, ଓହ୍ଲାଇ ପଡ଼ିଲେ ରାଜ୍ୟପାଳ

ଓଡ଼ିଶା ସାଂସ୍କୃତିକ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ‌ଆସିଥିବା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଜୀ’ଙ୍କ ଫେରିବା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସଭା ସରିବା ପରେ ରାଜ୍ୟପାଳ ତପସ୍ବିନୀ ପ୍ରେକ୍ଷାଳୟରୁ ବାହାରି ସିଧାସଳଖ ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଇନୋଭା କାର୍‌ରେ ବସିଥିଲେ। ତାଙ୍କ ସହିତ ଅନ୍ୟ ଦୁଇ ଜଣ କାର ବସିଥିଲେ। କାର୍‌ ଚଳାଇବା ପାଇଁ ପୁଲିସ ବିଭାଗର ଗାଡ଼ିଚାଳକ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲେ। ମାତ୍ର ଗାଡି ଷ୍ଟାର୍ଟ ହୋଇନଥିଲା।

ଗାଡ଼ିଚାଳକ କ’ଣ କରିବେ, ଭାବି ପାରିନଥିଲେ। ଇତିମଧ୍ୟରେ ୭/୮ ମିନିଟ ସମୟ ଅତିକ୍ରାନ୍ତ ହୋଇଯାଇଥିଲା। ଗାଡ଼ି ଷ୍ଟାର୍ଟ ହେଉନଥିବା ଜାଣିବା ପରେ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ ଅଧିକାରୀମାନେ ବିଚଳିତ ହୋଇପଡ଼ିଥିଲେ। ଜଣେ ଅଧିକାରୀ ତ ବାରଂବାର କଲ୍ କରୁଥିବା ଦେଖିବାକୁ ମିଳିଥିଲା। ସମ୍ଭବତଃ ସେ କୌଣସି ବରିଷ୍ଠ ଅଧିକାରୀଙ୍କୁ ଫୋନ୍ କରୁଥିଲେ। ଗାଡ଼ି ଷ୍ଟାର୍ଟ ନହେବାରୁ ରାଜ୍ୟପାଳ ଓ ତାଙ୍କ ସାଂଗରେ ଥିବା ଅନ୍ୟ ଜଣେ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ସେମାନେ ପଛରେ ‌ଥିବା ସ୍ପେୟାର କାର୍‌ରେ ବସିବା ପାଇଁ ଯାଉଥିଲେ।

ଏହି ସମୟରେ ଅନ୍ୟ ଏକ ଇନୋଭା କାର୍‌ର ଚାଳକ ଦୌଡ଼ି ଆସିଥିଲେ। ଚାଳକଙ୍କ ସମ୍ମୁଖରେ ଥିବା ଏକ ସୁଇଚ୍ ଚିପିବା ପରେ ତୁରନ୍ତ ସେହି ଇନୋଭା କାର୍‌ ଷ୍ଟାର୍ଟ ହୋଇଯାଇଥିଲା। ରାଜ୍ୟପାଳ ଓ ଅନ୍ୟମାନେ ପୁଣି ସେହି କାର୍‌ରେ ବସିଥିଲେ। ସମ୍ଭବତଃ ସଂପୃକ୍ତ ଚାଳକ ଜଣକ ଇନୋଭା କାର୍‌ ଚଳାଇବାରେ ଅଭ୍ୟସ୍ତ ନଥିବାରୁ ଏଭଳି ଘଟିଥିବା କହାଯାଉଛି। ରାଜ୍ୟପାଳଙ୍କ ଗସ୍ତ ପରିପ୍ରେକ୍ଷୀରେ ଆର୍‌ଟିଓଙ୍କ ଜରିଆରେ ଇନୋଭା କାର୍‌ ଅଣାଯାଇଥାଏ। ସୁରକ୍ଷା ଦୃଷ୍ଟିକୋଣରୁ ପୁଲିସ ବିଭାଗର ଜଣେ ଅଭିଜ୍ଞ ଚାଳକଙ୍କୁ ଗାଡ଼ି ଚଳାଇବା ଦାୟିତ୍ବ ଦିଆଯାଇଥାଏ। ‌ହେଲେ, ଆଜିର ଏଭଳି ଘଟଣାକୁ ରାଜ୍ୟପାଳଙ୍କ ସୁରକ୍ଷା ସହିତ ଖେଳ ବୋଲି ସହର‌ରେ ଚର୍ଚ୍ଚା ଚାଲିଛି।

 

ସମ୍ବନ୍ଧିତ ଖବର