ଭୁବନେଶ୍ୱର : ସବୁଠି ପ୍ରଚଳିତ ହେବ ଓଡ଼ିଆ ଭାଷା। ସଚିବାଳୟ ଅଧିକାରୀଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟର ୪ର୍ଥ ଶ୍ରେଣୀ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ଦରଖାସ୍ତ, ବିଜ୍ଞପ୍ତି, ନଥି ଓଡ଼ିଆ ଲେଖିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଗତ ଏପ୍ରିଲ ୧ରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ବି କୁହାଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଓଡ଼ିଆ ଭାଷାରେ ନଥି ଲେଖାଯାଉ ନ ଥିବା ବେଳେ ସରକାରୀ ବାବୁଙ୍କ ଓଡ଼ିଆ ଜ୍ଞାନ କେତେ? ଓଡ଼ିଆ ଶିଖିବାକୁ କେତେ ଆଗ୍ରହୀ ତାହା ଏବେ ପଦାକୁ ଆସିଛି।

Advertisment

ଓଡ଼ିଆ ନବବର୍ଷ ପାଳନ ଅବସରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଆଜି ସରକାରୀ ଅଧିକାରୀଙ୍କ ମଧ୍ୟରେ ଓଡ଼ିଆରେ ନଥି ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଗ ନେବା ଲାଗି ରାଜ୍ୟ ସରକାରଙ୍କ ୩୬ଟି ବିଭାଗର ଅଧିକାରୀଙ୍କୁ ଡକାଯାଇଥିଲା। ପୂର୍ବର୍ାହ୍ନ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହୋଇଥିଲା ବେଳେ ଭାଗ ନେଇଥିଲେ ମାତ୍ର ୭୬ ଜଣ। ୩୬ଟି ବିଭାଗ ମଧ୍ୟରୁ ମାତ୍ର ୯ଟି ବିଭାଗର ତଳତଳିଆ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କୌଣସି ବଡ଼ ବଡ଼ିଆ ସରକାରୀ ବାବୁଙ୍କୁ ଦେଖିବାକୁ ମିଳି ନ ଥିଲା। ଓଡ଼ିଆ ଭାଷା ପ୍ରତିଷ୍ଠାନ ସଂସ୍କୃତି ବିଭାଗ ଅଧୀନରେ ରହିଥିବାରୁ ଏହି ବିଭାଗରୁ ଅଧିକ ସଂଖ୍ୟକ ଅଧିକାରୀ ଭାଗ ନେଇଥିଲେ। ଅନ୍ୟ ୮ଟି ବିଭାଗରୁ ୭ରୁ ୧୦ ଜଣ ଲେଖାଏ ଭାଗନେଇଥିଲେ। ଏହି ଅବସରରେ ଭାଗ ନେଇଥିବା ଅଧିକାରୀଙ୍କୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ‘କାର୍ଯ୍ୟାଳୟ ନଥି’ ପ୍ରଦାନ କରାଯାଇଥିଲା।

ସବୁଠାରୁ ବଡ଼ କଥା ହେଉଛି ଯେ ଯେଉଁ କେତେଜଣ ସରକାରୀ ବାବୁ ଭାଗ ନେଇଥିଲେ ସେମାନଙ୍କ ମଧ୍ୟରୁ କିଛି ଅଧିକାରୀଙ୍କ ଅଜବ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ମଞ୍ଚ ଉପରେ ବସିଥିବା ବିଚାରପତିମାନେ। ଜଣେ କର୍ମଚାରୀ ପ୍ରଶ୍ନ କରିଥିଲେ ‘କାର୍ଯ୍ୟାଳୟ ନଥି’ରେ ତ୍ରୁଟି ରହିଛି। ଯେଉଁମାନେ ଏହି ବହି କରିଛନ୍ତି ସେମାନଙ୍କର ଓଡ଼ିଆ ଜ୍ଞାନ ନାହିଁ। ‘କମିଟି’ର ଓଡ଼ିଆ ଶବ୍ଦ କାହିଁକି ଲେଖାଯାଇ ନାହିଁ। ‘କମ୍ପ୍ୟୁଟର’, ‘ଟେବୁଲ୍‌’, ‘ଟେଲିଫୋନ୍‌’ର ଓଡ଼ିଆମାନେ ପୁସ୍ତକ ପ୍ରସ୍ତୁତ କରିଥିବା ବ୍ୟାକ୍ତିମାନେ ଜାଣିନାହାନ୍ତି। କ’ଣ ପାଇଁ ଏହାର ଓଡ଼ିଆ ମାନେ ଲେଖାଯାଇ ନାହିଁ ବୋଲି ଅଧିକାରୀ ଜଣକ ପ୍ରଶ୍ନ କରିଥିଲେ। ଆଉ କିଛି ଅଧିକାରୀ ମଧ୍ୟ ସମାନ କଥାକୁ ନେଇ ପ୍ରାୟ ୨୦ ମିନିଟ୍‌ ଧରି ତୁମ୍ବିତୋଫାନ କରିଥିଲେ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶକ ତମସାରାଣୀ ଦାସମହାପାତ୍ର ସରକାରୀ ଅଧିକାରୀଙ୍କୁ ସ୍ପଷ୍ଟ କରାଇଥିଲେ ଯେ ବହୁ ଇଂରାଜୀ ଶବ୍ଦ ରହିଛି ଯାହାର ଓଡ଼ିଆ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। କେତେକ ଏଭଳି ଶବ୍ଦ ରହିଛି ଯାହାକୁ ଓଡ଼ିଆରେ ଲେଖିଲେ ସାଧାରଣ ଲୋକେ ବୁଝିପାରିବେ ନାହିଁ। ଉଦାହରଣ ଦେଇ ସେ କହିଥିଲେ ଯେ ‘ମାଉସ୍‌’, ‘କମ୍ପ୍ୟୁଟର’, ‘କି-ପ୍ୟାଡ୍‌’। ଇଂରାଜୀ ଶବ୍ଦକୁ ଓଡ଼ିଆ ଲିପିରେ ଲେଖିବାକୁ ସେ ପରାମର୍ଶ ଦେଇଥିଲେ।

ଏଥିରେ ଭାଗନେଇଥିବା ଆଉ କିଛି ଅଧିକାରୀ ସିଧାସଳଖ ଓଡ଼ିଶା ବାହାରର ସରକାରୀ ବାବୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେମାନେ କହିଥିଲେ ଯେ ଆମକୁ ଇଂରାଜୀରେ କହିବା ଓ ଲେଖିବାକୁ ଓଡ଼ିଶା ବାହାରର ବାବୁମାନେ ବାଧ୍ୟ କରୁଛନ୍ତି। ଯେଉଁଥିପାଇଁ ଓଡ଼ିଆ ଭାଷା ମରିମରି ଯାଉଛି ବୋଲି ଅଭିଯୋଗ କରିଥିଲେ। ଅଧିକାରୀମାନେ ପ୍ରସ୍ତାବ ଦେଇଥିଲେ ଯେ ଓଡ଼ିଆ ଭାଷାକୁ କଡ଼ାକଡ଼ି ଲାଗୁ କରିବା ପୂର୍ବରୁ ଉପଯୁକ୍ତ ତାଲିମ ଆବଶ୍ୟକତା ରହିଛି। ‘କାର୍ଯ୍ୟାଳୟ ନଥି’ରେ ସଂଶୋଧନ ଦରକାର। କିଛି ଓଡ଼ିଆ ଶବ୍ଦ କମ୍ପ୍ୟୁଟରରେ ଠିକ୍‌ ଭାବେ ଲେଖାଯାଉ ନାହିଁ। ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ନିର୍ଦେଶିକା ପ୍ରତିଶ୍ରୁତି ଦେଇଥିଲେ।