ବାଲେଶ୍ବର: ସହରର ମଧ୍ୟସ୍ଥଳରେ ଅବସ୍ଥିତ କଳିଙ୍ଗ ହୋଟେଲ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହି ହୋଟେଲ୍ରେ ମାସିକ ରୋଜଗାର ଯେତିକି ହେଉଛି, ସେହି ଅନୁସାରେ ପୌର ପରିଷଦକୁ ଭଡ଼ା ମିଳୁନାହିଁ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି; ଲିଜ୍ ପ୍ରକ୍ରିୟା ଅନ୍ୟୁନ ୩ ବର୍ଷ ପାଇଁ ଥିବା ବେଳେ ଏହି ହୋଟେଲ୍ର ଲିଜ୍ ଅବଧି ୨୦ ବର୍ଷ ପାଇଁ କାହିଁକି ଦିଆଯାଇଛି ଏବଂ ଦୀର୍ଘବର୍ଷ ଧରି ସେହି ପୁରୁଣା ଭଡ଼ା, ଯାହା ହୋଟେଲ୍ର ବର୍ତ୍ତମାନର ମାସିକ ରୋଜଗାରଠାରୁ ବହୁତ କମ୍; ତାହା କାହିଁକି ଆଦାୟ କରାଯାଉଛି ବୋଲି ପ୍ରଶ୍ନ ଉଠିଛି। ଫଳରେ ପୌର ପ୍ରଶାସନ ଏହି ହୋଟେଲ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା ଅଭିଯୋଗ ହେଉଛି।
ବାଲେଶ୍ବର ସହରରେ ସ୍ବଳ୍ପ ମୂଲ୍ୟରେ ରାତ୍ରିଯାପନ, ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପୌର ପରିଷଦ ପକ୍ଷରୁ ତତ୍କାଳୀନ ପୌରାଧ୍ୟକ୍ଷ ସୁକୁମାର ନାୟକଙ୍କ ସମୟରେ ୧୯୮୫ ମସିହାରେ ଓଟିରୋଡସ୍ଥିତ ଗାନ୍ଧୀସ୍ମୃତି ଭବନ ନିକଟରେ ଏକ ହୋଟେଲ୍ ନିର୍ମାଣ କରାଯାଇଥିଲା। ଦୁଇବର୍ଷ ଧରି କାମ ଚାଲିବା ପରେ ୧୯୮୭ ସମିହାରେ ହୋଟେଲ୍ର କାମ ସଂପୂର୍ଣ୍ଣ ହୋଇଥିଲା। ଏହାପରେ ଏହି ହୋଟେଲ୍କୁ ଲିଜ୍ ସୂତ୍ରରେ ଦିଆଯିବାକୁ ପରିଷଦରେ ନିଷ୍ପତ୍ତି ହୋଇଥିଲା। ସେତେବେଳେ ସ୍ବର୍ଗତ ହେମନ୍ତ କୁମାର ଦାସଙ୍କ ପତ୍ନୀ ଶାନ୍ତିଲତା ଦାସ ଏହି ହୋଟେଲ୍କୁ ଲିଜ୍ ନେବା ପାଇଁ ରାଜି ହୋଇଥିଲେ। ତାଙ୍କୁ ୫ ବର୍ଷିଆ ଲିଜ୍ ସୂତ୍ରରେ ମାସିକ ୧୦ ହଜାର ଟଙ୍କାରେ ହୋଟେଲ୍ ଦିଆଯାଇଥିଲା।
ଶ୍ରୀମତୀ ଦାସ ଲିଜ୍ ନେବା ପରେ ହୋଟେଲ୍ର ନାମକରଣ କଳିଙ୍ଗ େହାଟେଲ୍ କରି ବ୍ୟବସାୟ ଚଳାଇଥିଲେ। ୧୯୯୨ ମସିହାରେ ତପନ କୁମାର ଚକ୍ରବର୍ତ୍ତୀ ପୌରାଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଏହି ହୋଟେଲ୍କୁ ମାସିକ ୧୫ ହଜାର ଟଙ୍କାରେ ଲିଜ୍ ଦିଆଯାଇଥିଲା। ୧୯୯୭ ମସିହାରେ ପୌର ନିର୍ବାଚନ ପରେ ଅନୁପ କୁମାର ଦାସ ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ଦାସ ଦାୟିତ୍ବ ନେବା ପରେ ହୋଟେଲ୍କୁ ମାସିକ ୧୫ ହଜାର ଟଙ୍କା ଏବଂ ୨୦ ବର୍ଷିଆ ଲିଜ୍ ଦେଇଥିଲେ। ତେବେ ଏହି ହୋଟେଲ୍ର ଲିଜ୍ ଗତ ମେ ୩୧ ତାରିଖରେ ସରିଯାଇଛି। ଏବେ ସବିତା ସାହୁ ପୌରାଧ୍ୟକ୍ଷ ଭାବେ ଦାୟିତ୍ବ ନେବା ପରେ ଏହି ହୋଟେଲ୍କୁ ଭାଙ୍ଗି ନୂତନ ହୋଟେଲ୍ ନିର୍ମାଣ କରିବା ପାଇଁ ବୈଠକରେ ପ୍ରସ୍ତାବ ଆଗତ କରିବାରୁ କିଛି କାଉନ୍ସିଲର ଅସହମତି ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ସରକାରୀ ଭାବେ ଏହି ହୋଟେଲ୍କୁ ଅସୁରକ୍ଷିତ ଘୋଷଣା କରାଯାଇ ନଥିବା ବେଳେ ଭାଙ୍ଗିବାର କୌଣସି ଆବଶ୍ୟକତା ନାହିଁ। ହୋଟେଲ୍ଟି ସହରର ମଧ୍ୟସ୍ଥଳରେ ଥିବାରୁ ଲୋକମାନେ ରାତ୍ରିରହଣି, ହୋଟେଲ୍ ପରିସରରେ ଗାଡ଼ି ପାର୍କିଂ, ସଭାସମିତି ଓ ରେଷ୍ଟୁରାଣ୍ଟ ଆଦିର ସୁବିଧା ପାଇପାରୁଛନ୍ତି।
ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ହୋଟେଲ୍ର ଭଲ ରୋଜଗାର ହେଉଛି। କିନ୍ତୁ ରୋଜଗାର ତୁଳନାରେ ପୌର ପରିଷଦର ମାସିକ ଭଡ଼ା କମିଯାଉଥିବାରୁ ତା’ ଉପରେ ବିଚାର କରିବାକୁ କାଉନ୍ସିଲରମାନେ ପ୍ରସ୍ତାବ ଦେଇଛନ୍ତି। କାଉନ୍ସିଲରମାନଙ୍କ ତରଫରୁ ବାର୍ଷିକ ୨୫ରୁ ୩୦ ଲକ୍ଷ ଟଙ୍କାରେ ଏହାକୁ ଲିଜ୍ ଦିଆଯାଉ ବୋଲି ମତ ପ୍ରକାଶ ପାଇବା ପରେ ଲିଜ୍କୁ ନେଇ ବୈଠକରେ କୌଣସି ଫଳାଫଳ ବାହାରିପାରି ନଥିଲା। ସୂଚନା ଥାଉକି ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବରେ ଥିବା ବାଲେଶ୍ବର ଉପଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ସମସ୍ତ କାଉନ୍ସିଲର ଏବଂ ପୌରାଧ୍ୟକ୍ଷାଙ୍କ ସହ ଆଲୋଚନା କରିବା ପରେ ସେ ହୋଟେଲ୍ କମିଟି ଗଠନ କରିବା ପାଇଁ କହିଥିଲେ। ହେଲେ ଏହି କମିଟିରେ କେଉଁମାନେ ରହିବେ ତାହା ସ୍ପଷ୍ଟ କରି ନଥିଲେ। ଏହାରି ଭିତରେ ଶ୍ରୀ ପାଟିଲଙ୍କର ବଦଳି ହୋଇଯାଇଛି। କିନ୍ତୁ କଳିଙ୍ଗ ହୋଟେଲ୍ର ଲିଜ୍ ସରିଯାଇଥିଲେ ବି ଶାନ୍ତିଲତା ଦାସଙ୍କ ନାଁରେ ଏହା ଚାଲିଛି। ଏନେଇ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ହୋଟେଲ୍ ଚାଲିଥିବା ବିଲ୍ଡିଂର ଅବସ୍ଥା ଏବେ ଭଲ ନାହିଁ। ଏହାକୁ ଭଙ୍ଗାଯାଇ ସେଠାରେ ଏକ ନୂତନ ହୋଟେଲ୍ ନିର୍ମାଣ କରିବାକୁ ପୌର ପରିଷଦରେ ଆଲୋଚନା ହୋଇଛି। ଏହା ବାଦ ହୋଟେଲ୍ର ସ୍ଥିତି ଯାଞ୍ଚ କରିବାକୁ ଏକ ଟେକ୍ନିକାଲ୍ କମିଟି ଗଠନ କରାଯିବ। ଉକ୍ତ କମିଟି ଯାହା ରିପୋର୍ଟ ଦେବେ, ତା’ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।