ଦୁଃସ୍ଥିତିରେ ୪୦ଲକ୍ଷ ଜମାକାରୀ ପରିବାର, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିେଲ କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ

କରୋନା ସଂକ୍ରମଣ ଠାରୁ ଯନ୍ତ୍ରଣା ବଳିଗଲାଣି, ସରକାରଙ୍କ ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି

ଭୁବନେଶ୍ବର: ଅନଧିକୃତ ଭାବେ ଜମା ରାଶି ସଂଗ୍ରହ କରିଥିବା ବିଭିନ୍ନ ଚିଟ୍‌ଫଣ୍ଡ କଂପାନିଙ୍କ କାର୍ଯ୍ୟାଳୟ ସିଲ୍ କରାଗଲା। ସେମାନଙ୍କର କିଛି କିଛି ସଂପତ୍ତି ମଧ୍ୟ ଜବତ କଲେ ରାଜ୍ୟ ସରକାର। ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଜମାକାରୀଙ୍କ ଟଙ୍କା ଫେରସ୍ତ କରିବା ଲାଗି ଆଶ୍ବାସନା ଦିଆଯାଇଥିଲା। ହେଲେ ଏବେ ବି ୪୦ଲକ୍ଷ ଲୋକଙ୍କ ଜମାରାଶି ଫେରସ୍ତ ହୋଇପାରିନାହିଁ। କରୋନା ସଂକ୍ରମଣ ସମୟରେ ଏହି ଜମାକାରୀଙ୍କ ପରିବାରର ଯନ୍ତ୍ରଣା କରୋନା ସଂକ୍ରମଣଠାରୁ ବଳିଗଲାଣି।

ରାଜ୍ୟରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ମିଳିତ ମଞ୍ଚ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏଭଳି ନିବେଦନ କରିଛନ୍ତି। ଆହୁରି କହିଛନ୍ତି ଯେ କରୋନା ସଂକ୍ରମଣର ମୁକାବିଲା କଲାଭଳି ରାଜ୍ୟ ସରକାର ଏହି କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାରାଶି ଫେରସ୍ତ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ। ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାର ପାଳନ କରନ୍ତୁ ଓ ଯୁଦ୍ଧକାଳୀନ ଭିତ୍ତିରେ ଅର୍ଥ ଫେରାନ୍ତୁ। ସେମାନଙ୍କ ଅର୍ଥ ଫେରସ୍ତ ଲାଗି ତୁରନ୍ତ ପଦକ୍ଷେପ ନେଲେ, ଜମାକାରୀ ପରିବାର ଓ ମଞ୍ଚ ଉପକୃତ ହେବେ। ଗୋଟିଏ ପଟେ କରୋନା ପରିସ୍ଥିତିରେ ଜୀବନ ଓ ଜୀବିକା ଉଭୟ ବିପଦକୁ ଚାଲିଯାଇଥିବା ବେଳେ ଜମାକାରୀଙ୍କର ଏହି ନିବେଦନକୁ ବିଭିନ୍ନ ମହଲରେ ବିଶେଷ ଗୁରୁତ୍ବ ଦିଆଯାଉଛି।

ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ସଭାପତି ଜୟନ୍ତ ଦାସ ଓ ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ ବିଭିନ୍ନ କଂପାନି, ବହୁରାଜ୍ୟ ସମବାୟ ଓ ସ୍ବୟଂ ସହାୟକ ସମବାୟ, ସେବା ସମବାୟ ସମିତି ଓ ମାଇକ୍ରୋ ଫାଇନାନ୍ସ ସଂସ୍ଥାମାନେ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହୋଇଥିଲେ। କମ୍ ସମୟରେ ଅଧିକ ପରିପକ୍ବ ରାଶି ଦେବା ପ୍ରତିଶ୍ରୁତିରେ କେତେକ ନେତା ଓ ଅଧିକାରୀଙ୍କ ଲୋକପ୍ରିୟତାକୁ ବ୍ୟବହାର କରି ଏହି ସଂସ୍ଥାମାନେ ଓଡ଼ିଶା ଭଳି ରାଜ୍ୟରେ ଅନ୍ୟୂନ ୪୦ଲକ୍ଷ ଲୋକଙ୍କ ଠାରୁ ଜମାରାଶି ନେଇ ଫେରସ୍ତ ସମୟ ଅତିକ୍ରାନ୍ତ ପରେ ବି ଅର୍ଥ ଦେଲେ ନାହିଁ। ପରେ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହା ରାଜ୍ୟର ଲକ୍ଷ ଲକ୍ଷ ଜମାକାରୀଙ୍କୁ ଆଶ୍ବସ୍ତି ଦେଇଥିଲା।

ଏହା ପରେ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଥିଲେ ଓ ତଦନ୍ତ କମିସନଙ୍କ ସୁପାରିସ ମତେ ତହସିଲ ଜରିଆରେ ଯାଞ୍ଚ କରି କେତେକ କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ୨୦୧୯ ନିର୍ବାଚନ ପରେ କରୋନା ମହାମାରୀ ଆଳରେ ଏହି ଟଙ୍କା େଫରସ୍ତ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ମଞ୍ଚ ଦର୍ଶାଇଛି ଯେ ଏହା ପୂର୍ବରୁ ତଦନ୍ତ କମିସନ ମଧ୍ୟ ବନ୍ଦ କରିଦିଆଯାଇଛି। କମିସନଙ୍କ କାର୍ଯ୍ୟକାଳ ମଧ୍ୟରେ ସତ୍ୟପାଠ ତଦାରଖ କରି ୭ଟି ପର୍ଯ୍ୟାୟରେ କେତେକ ଜମାକାରୀଙ୍କ ତାଲିକା ସୁପାରିସ କରାଯାଇଥିଲା। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। ବାକି ଲକ୍ଷ ଲକ୍ଷ ଜମାକାରୀଙ୍କ ସତ୍ୟପାଠ କମିସନଙ୍କ ଗୋଦାମରେ ପଡ଼ିରହିଛି। ହେଲେ ସେହି ଜମାକାରୀଙ୍କ ସତ୍ୟପାଠ ତଦାରଖ ନ କରିବା ଏବଂ ତାଙ୍କ ସଂପର୍କରେ ପଦକ୍ଷେପ ନ ନେଇ ସରକାର ପ୍ରତାରଣା କରିଥିବା ମଞ୍ଚ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର