ବଡ଼ଗାଁ: ସରକାରୀ ଚିଠିପତ୍ରରେ ଅନେକ ସମୟରେ ବନାନ ଓ ବ୍ୟାକରଣଗତ ତ୍ରୁଟି ରହିଥାଏ। ସେ ତ୍ରୁଟିଯୁକ୍ତ ଓଡ଼ିଆ/ଇଂରାଜି ଅଥବା ଇଂରାଜିର ହାସ୍ୟାସ୍ପଦ ଓଡ଼ିଆ ଅନୁବାଦକୁ ଲୋକେ ଗ୍ରହଣ କରି ନିଅନ୍ତି ଓ କ୍ଷମା କରି ଦିଅନ୍ତି। ତେବେ ଅତିକମ୍‌ରେ ଶିକ୍ଷା ବିଭାଗର ଚିଠିପତ୍ରରେ ସେ ଧରଣର ତ୍ରୁଟି ଆଦୌ ଆଶା କରା ଯାଏନାହିଁ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ୍‌ର ଶିକ୍ଷା ଅଧିକାରୀ (ବିଇଓ) କିନ୍ତୁ ଏ ବାବଦରେ ଏକ ଭିନ୍ନ ଉଦାହରଣ। ଗତକାଲି ବଡ଼ଗାଁ ବିଇଓଙ୍କ ଅଫିସରୁ ବ୍ଲକ୍‌ର ସମସ୍ତ ସ୍କୁଲ୍‌ର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟକୁ ପଠା ଯାଇଥିବା ସରକାରୀ ଚିଠିକୁ ଦେଖିଲେ ଏହା ବୁଝିହେବ। ଏ ଚିଠିରେ ଜୁନ୍‌ ୧୯ ତାରିଖରେ ଗ୍ରୀଷ୍ମଛୁଟି ଖୋଲିବା ଦିନ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀମାନେ କ’ଣ କରିବେ, ସେ ବିଷୟରେ ନିର୍ଦ୍ଦେଶ ଦିଆ ଯାଇଛି। ସେଥିରେ କୁହା ଯାଇଛି, ୧୯ ତାରିଖରେ ସ୍କୁଲ୍ ଖୋଲିବା ଦିନ ବଡ଼ଗାଁ ବ୍ଲକ୍‌ରେ ଥିବା ସ୍କୁଲ୍‌ଗୁଡ଼ିକର ପ୍ରଧାନଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକମାନେ (ଅଲ୍ ଦି ହେଡ୍‌ମି‌ଷ୍ଟ୍ର‌େସ୍/ ‌ହେଡ୍‌ମାଷ୍ଟର୍ସ ଅଫ୍‌ ଅଲ୍ ଟାଇପ୍‌ ଅଫ୍ ସ୍କୁଲ୍ ଅଫ୍ ବଡ଼ଗାଁ ବ୍ଲକ୍’) ସକାଳ ୮.୩୦ ସମୟରୁ ସ୍କୁଲ୍‌ରେ ଉପସ୍ଥିତ ରହି ସବୁ ପ୍ରକାର ଆଗୁଆ ସତର୍କତା ଅବଲମ୍ବନ କରିବେ ଏବଂ କୌଣସି ପ୍ରକାର ଅଭାବନୀୟ ଘଟଣାକୁ ଏଡାଇବାଲାଗି ନିଜ ସ୍କୁଲ୍‌କୁ ସଫାସୁତରା ରଖିବେ। ଶେଷରେ ସତର୍କବାଣୀ କରା ଯାଇଛି ଯେ ଯଦି ଉପରୋକ୍ତ କାମରେ କେହି ହେଳା କରନ୍ତି, ତେବେ ତାହାକୁ ଗମ୍ଭୀରତାର ସହିତ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

publive-image

ପ୍ରଥମ କଥା ହେଉଛି, ସରକାରୀ କାମ ଓଡ଼ିଆରେ ହେବ ବୋଲି ନିୟମ ହୋଇଥିଲେ ମଧ୍ୟ ବିଇଓ ଇଂରାଜିରେ ଚିଠି କରିଛନ୍ତି। ଆହୁରି ସାଂଘାତିକ କଥା ହେଉଛି, ୬-୭ ଧାଡ଼ିର ସେ ଚିଠିରେ ପ୍ରାୟ ସବୁ ଧାଡ଼ିରେ କିଛି ନା କିଛି ବ୍ୟାକରଣଗତ ତ୍ରୁଟି ଅଛି। ଯଦି ଜଣେ ନିଭୁର୍ଲ ଇଂରାଜି ଲେଖି ପାରୁ ନାହାନ୍ତି, ତେବେ ସେ ଓଡ଼ିଆରେ ଲେଖିଲେ କିଛି ସମସ୍ୟା ନାହିଁ। ସେଥିରେ ତାଙ୍କର ସମ୍ମାନହାନି ହେବନାହିଁ। ଅତିକମ୍‌ରେ ଶିକ୍ଷକମାନଙ୍କ ପାଖକୁ ପଠା ଯାଉଥିବା ଚିଠି ନିଭୁର୍ଲ ହେବା ଉଚିତ ବୋଲି ଯେକେହି ଆଶା କରେ। ତେଣୁ ବିଇଓଙ୍କର ଏହି ଚିଠିଟି ସାଧାରଣରେ ଚର୍ଚ୍ଚାରେ ବିଷୟ ହୋ‌ଇଛି। ଦ୍ବିତୀୟରେ, ଚିଠିଟି ଏଭଳି ଶୈଳୀରେ ଲେଖା ଯାଇଛି, ଯେପରି ଛୁଟି ଖୋଲିବା ଦିନ କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ବା ଅତୀତରେ ସେଭଳି କିଛି ଘଟିଛି। ପୁଣି ଶିକ୍ଷକମାନଙ୍କ ପାଖକୁ ଏଭଳି ଭାଷାରେ ଚିଠି ଦେବାକୁ ମଧ୍ୟ ଅନେକ ନାପସନ୍ଦ କରିଛନ୍ତି।