ଘରକୁ ଯିବା ଜିଦରେ ଉପାସରେ ଅଛନ୍ତି ୪୨ ପ୍ରବାସୀ

ନବରଙ୍ଗପୁର : ଘରକୁ ଯିବା ଜିଦ୍ ରେ ବଡମସିଗାଁ ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ୪୨ ଜଣ ପ୍ରବାସୀ ଖାଦ୍ୟ ନଖାଇ ଉପାସରେ ରହିଛନ୍ତି। ଏହି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୫ ଜଣ ପ୍ରବାସୀ ରହୁଛନ୍ତି। ସେଥିମଧ୍ୟରୁ ୪୨ ଜଣ ପ୍ରବାସୀ ଙ୍କ ୧୪ ଦିନ ପୂରଣ ହୋଇଥିଲାବେଳେ ପ୍ରଶାସନ ସେମାନଙ୍କୁ ଛାଡୁନଥିବାର ଅଭିଯୋଗ କରି ଆଜି ଦିନ ସାରା ନ ଖାଇ ଜିଦରେ ଏହି ପ୍ରବାସୀମାନେ ରହିଛନ୍ତି l ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଗତ ମେ ମାସ ୧୯ ତାରିଖରେ ୪୪ ଜଣ ପ୍ରବାସୀ ଆସିଥିଲେ l ପରବର୍ତ୍ତୀ ସମୟରେ ୨୨ ତାରିଖରେ ୯ ଜଣ ଓ ୨୩ ତାରିଖରେ ୨ଜଣ ଏପରି ମୋଟ ୫୫ ଜଣ ଆସି ଏହି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଥିବା ୨ ଗୋଟି କୋଠାରେ ରହି ଆସୁଛନ୍ତି । l ଉକ୍ତ ପ୍ରବାସୀମାନେ ତାମିଲନାଡୁ, ମଧ୍ୟପ୍ରଦେଶ, ଛତିଶଗଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଚେନ୍ନାଇ ଓ ବାଙ୍ଗାଲୁରୁ ଆଦି ସହରରୁ ଆସି ରହିଛନ୍ତି l ପ୍ରବାସୀ ଓଡ଼ିଆ ମାନେ ସମସ୍ତେ ନବରଙ୍ଗପୁର ଜିଲ୍ଲାର ଅଟନ୍ତି l

ଏମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ରୁ ୧୫ଜଣ, ପାପଡାହାଣ୍ଡି ବ୍ଲକ ରୁ ୧୦ଜଣ, ତେନ୍ତୁଳୀଖୁଣ୍ଟି ରୁ ୧୨ଜଣ, ଚନ୍ଦାହାଣ୍ଡିରୁ ୫ଜଣ , ରାଇଘରରୁ ୩ଜଣ, ନବରଙ୍ଗପୁର ବ୍ଲକରୁ ୫ଜଣ, କୋଷାଗୁମୁଡା ରୁ ୩ ଜଣ ଓ ଝରୀଗାଁ ଓ ନନ୍ଦାହାଣ୍ଡି ବ୍ଲକରୁ ଜଣେ ଲେଖାଏଁ ପ୍ରବାସୀ ଶ୍ରମିକ ରହିଛନ୍ତି। ଆଜି ୧୯ ତାରିଖରେ ଆସିଥିବା ଶ୍ରମିକ ମାନଙ୍କ ୧୪ ଦିନ ପୂରଣ ହେଉଥିବାରୁ ସେମାନେ ଘରକୁ ଯିବାକୁ ଜିଦ୍ କରି ନଖାଇ ଉପାସରେ ରହିଛନ୍ତି। ଉକ୍ତ କେନ୍ଦ୍ରରେ ଥିବା ମୋଟ ୫୫ ଜଣ ପ୍ରବାସୀ ଓଡ଼ିଆ ରହିଥିଲେ ମଧ୍ୟ କେବଳ ୪ଜଣ ଙ୍କ ସ୍ୱାବ ପରୀକ୍ଷା ପାଇଁ ଯାଇଛି l ଅନ୍ୟପଟେ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ରାଜୁ ଜାନୀ ବହୁତ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଘରକୁ ଯିବା ଜିଦ୍ ରେ ଅଟଳ ରହିଛନ୍ତି l ଏସମ୍ବନ୍ଧରେ ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି ଯେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ଉପରୁ ଯାହା ନିର୍ଦ୍ଦେଶ ଆସିଲେ ତାହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି l

ଏ ନେଇ ବିଡିଓ ଲଳିତ କୁମାର ମଣ୍ଡଳ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଥଣ୍ଡା ଲକ୍ଷଣ ଥିବା ୪ଜଣଙ୍କ ସ୍ବାବ୍ ପରୀକ୍ଷା ପାଇଁ ପଠାଯାଇଥିବାର ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ସେମାନଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ଏବେ ସୁଦ୍ଧା ହସ୍ତଗତ ହୋଇପାରି ନାହିଁ। ୨ରୁ ୩ ଦିନ ଲାଗିପାରେ। ପ୍ରବାସୀ ମାନଙ୍କୁ ଆଉ ୩ ଦିନ ରହିବା ପାଇଁ ଅନୁରୋଧ କରିଲେ ମଧ୍ୟ ସେମାନେ ଘରକୁ ଫେରିବା ପାଇଁ ଜିଦ୍ ରେ ଅଟଳ ରହିଛନ୍ତି। ରିପୋର୍ଟ ନଆସି ଘରକୁ ଯିବା ସୁରକ୍ଷିତ ନୁହେଁ। ଯଦି ଏପରି ଜିଦ୍ ଧରିବେ ତେବେ ଉପରସ୍ଥି ଅଧିକାରୀଙ୍କ ସହ ଆଲୋଚନା କରି ସେମାନଙ୍କୁ ଆସନ୍ତାକାଲି ଗାଡି କରି ଛଡାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ସଂଧ୍ୟା ସମୟରେ ରିପୋର୍ଟ ଲେଖିବା ପର୍ଯ୍ୟନ୍ତ ସେମାନେ ଖାଇନଥିବାର ଜଣାପଡିଛି ।

ସମ୍ବନ୍ଧିତ ଖବର