ସମ୍ବଲପୁର: ପ୍ରେମରୁ ପ୍ରଣୟ । ପ୍ରଣୟରୁ ମାତୃତ୍ବ। କିନ୍ତୁ, ମାତୃତ୍ବ ଲାଭ ପରେ ଅଲୋଡ଼ା ହୋଇପଡୁଛି ସେହି ଅବାଞ୍ଛିତ ସନ୍ତାନ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗତକାଲି ଋକ୍ମିଣୀ ଲାଠ ବାଳ ନିକେତନରେ। କେହି ଜଣେ ବ୍ୟକ୍ତି ବାଳ ନିକେତନର ଝୁଲଣାରେ ଏକ ନବଜନ୍ମିତ ଶିଶୁକନ୍ୟାକୁ ଛାଡ଼ି ପଳାଇବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
ଗତକାଲି ରାତି ପ୍ରାୟ ୮ଟା ବେଳେ କେହି ଜଣେ ବ୍ୟକ୍ତି ଏକ ବାଇକ୍ରେ ଆସି ଉକ୍ତ ନବଜାତ ଶିଶୁକନ୍ୟାକୁ ଛାଡ଼ି ପଳାଇଥିଲେ। ବାଳନିକେତନର କର୍ମଚାରୀ ହେମନ୍ତ ପ୍ରଧାନ ଏହା ଦେଖି ସଂପୃକ୍ତ ବ୍ୟକ୍ତିକୁ ପଛରୁ ଜୋରରେ ଡାକିଥିଲେହେଁ ସେ ଏକମୁହାଁ ହୋଇ ପଳାଇଥିଲେ। ଏ ବାବଦରେ ନିକେତନର ଅଧ୍ୟକ୍ଷା ନଳିନୀ ପ୍ରଧାନଙ୍କୁ ଖବର ଦିଆଯିବା ପରେ ତାଙ୍କର ପରାମର୍ଶ ଅନୁସାରେ ପ୍ରାଚୀ ପ୍ରଧାନ, ଦିପ୍ତିମୟୀ ନାଗ, ଦେବାଶିଷ ପାଣ୍ଡେ, ନର୍ମଦା ନାଏକ ପ୍ରମୁଖ ଶିଶୁକନ୍ୟାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ପିଲାର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏବେ ଶିଶୁକନ୍ୟାକୁ ବାଳ ନିକେତନର ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଛି। ଏଠାରେ ପୂର୍ବରୁ ୧୩ ଜଣ ପିଲା ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ସରକାରଙ୍କ ସ୍ପେଶିଆଲ୍ ଆଡପ୍ସନ୍ କେନ୍ଦ୍ର ଜରିଆରେ ଏହି ଅନାଥ ପିଲାମାନଙ୍କୁ ବହୁ ନିଃସନ୍ତାନ ଦମ୍ପତି ନିଜର ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରୁଛନ୍ତି। ଏପରିକି ବିଦେଶରୁ ମଧ୍ୟ କେତେକ ଦମ୍ପତି ପୋଷ୍ୟ ସନ୍ତାନ ଗ୍ରହଣ କରିଛନ୍ତି।