ଜୟପୁର : କଂଗ୍ରେସ ଦଳ ବର୍ତ୍ତମାନ ଲୋକଙ୍କ ଆସ୍ଥା ହରାଇ ବସିଛି । ଏହାକୁ ପୁନଃଜୀବିତ କରିବାର ନିତାନ୍ତ ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ଯୁବନେତା ପ୍ରଦୀପ ମାଝୀ । ଗତକାଲି କିଛି ଗଣମାଧ୍ୟମରେ ଦଳର ହାଇକମାଣ୍ଡଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ପ୍ରଦୀପ ସଂପ୍ରତି ନିଜ ବୟାନକୁ ଓଲଟା ଢଙ୍ଗରେ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି । ଗତ କିଛି ଦିନ ଧରି ପ୍ରଦୀପ ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ପୁଣି ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏଭଳିକି ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ପ୍ରଦୀପ କିନ୍ତୁ ଏହାକୁ ଖଣ୍ଡନ କରିବା ସହ କଂଗ୍ରେସ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।
ଶ୍ରୀ ମାଝୀ କହିଛନ୍ତି, କଂଗ୍ରେସ ସଂଗଠନରେ ବିଶୃଙ୍ଖଳା ଲାଗି ରହିଛି। ଏହାକୁ ରୋକିବା ପାଇଁ ତୃଣମୂଳସ୍ତରରୁ ସାଂଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଆବଶ୍ୟକ। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଯେଉଁ ସବୁ ଦୁର୍ନୀତିକୁ ନେଇ ବିଜେପି ଡିଜିଟାଲ ମିଡିଆକୁ ବ୍ୟବହାର କରି ଅପପ୍ରଚାର କଲା; ଏହାକୁ ରୋକିବା ଦିଗରେ କଂଗ୍ରେସ ପକ୍ଷରୁ ସଠିକ୍ ପଦକ୍ଷେପ ଗ୍ରହଣ କରାଯାଇପାରିଲା ନାହିଁ । ବିଜେପି ବିଭିନ୍ନ ଦୁର୍ନୀତିକୁ କେନ୍ଦ୍ର କରି ଡିଜିଟାଲ ମିଡିଆ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିଥିଲା। ଥରେ ମନ ଭାଂଗିଗଲେ ପୁଣି ଯୋଡ଼ିବା କଷ୍ଟକର। କଂଗ୍ରେସ ପ୍ରତି ଲୋକଙ୍କ ଯେଉଁ ଆସ୍ଥା ରହିଥିଲା ତାହା ତୁଟିଯିବା ପରେ ଏହାକୁ ପୁଣି ସଂଗଠିତ କରିବା କଷ୍ଟକର ବୋଲି କହିବା ସହ ଦଳକୁ ସଦୃଢ଼ କରିବା ପାଇଁ ସଂଗଠନକୁ ଅଧିକ ଶାଣିତ କରାଯିବା ଆବଶ୍ୟକ ବୋଲି ଶ୍ରୀ ମାଝୀ କହିଛନ୍ତି ।
ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀ ଗତକାଲି ହାଇକମାଣ୍ଡଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇଥିବା ବେଳେ ଆଜି ନରମ ଭାବ ଦେଖାଇ ଦଳରେ ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବମାନ୍ୟ ବୋଲି କହିଛନ୍ତି। ମୁଁ ହାଇକମାଣ୍ଡଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କରିନାହିଁ ବରଂ ସଂଗଠନକୁ ଦୃଷ୍ଟିରେ ରଖି ମୋର ମତ ପ୍ରଦାନ କରିଛି। ଲୋକଙ୍କ ବିଶ୍ବାସକୁ ଫେରାଇ ଆଣିବା ସହ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ପାଇଁ କହିଛି । ପ୍ରତି କଥାରେ ହାଇକମାଣ୍ଡଙ୍କୁ ଦାୟୀ କରିବା ଯୁକ୍ତିଯୁକ୍ତ ନୁହେଁ। ଗାନ୍ଧି ପରିବାରକୁ ଛାଡି କଂଗ୍ରେସର ଚିନ୍ତା କରାଯାଇପାରିବ ନାହିଁ ।
ରାଜସ୍ଥାନ ରାଜନୀତିରେ ସଚିନ୍ ପାଇଲଟ୍ଙ୍କୁ ନେଇ କଂଗ୍ରେସରେ ତମ୍ବିତୋଫାନ ଉଠିଥିବା ବେଳେ ଏଭଳି ସମୟରେ ପ୍ରଦୀପଙ୍କ ଦଳୀୟ ହାଇକମାଣ୍ଡଙ୍କ ପ୍ରତି ଆକ୍ଷେପ ରାଜ୍ୟ ରାଜନୀତିରେ ବି ହଇଚଇ ସୃଷ୍ଟି କରିଥିଲା । ଏଭଳିକି ପ୍ରଦୀପ ତୁରନ୍ତ କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ଜାରି ରହିଥିବା ବେଳେ ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ ଏହା ଭବିଷ୍ୟତ କହିବ କହି ଏଡାଇ ଯାଇଥିଲେ । ଦଳ ମୋ ଉପରେ ବିଶ୍ବାସ ରଖି ବହୁ ଗୁରୁ ଦାୟିତ୍ବ ଦେଇଛି ଏବଂ ଏହାକୁ ମୁଁ ନିଷ୍ଠାର ସହ କାର୍ଯ୍ୟକରୁଛି । ରାଜ୍ୟରେ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ କାର୍ଯ୍ୟ କରୁଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ଦଳର କାର୍ଯ୍ୟକାରୀ ସଭାପତି ଭାବେ ମୁଁ କାମ କରୁଛି । ରାଜ୍ୟରେ ବହୁ ଅଭିଜ୍ଞ ବ୍ୟକ୍ତି ଦଳରେ ରହିଛନ୍ତି । ସମସ୍ତଙ୍କୁ ସାଂଗରେ ନେଇ କାମ କରିବାର ସମୟ ଆସିଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଅପରପକ୍ଷରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦଳର ହାଇକମାଣ୍ଡଙ୍କ ପ୍ରତି ପ୍ରଦୀପଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଯଦି କିଏ ଦଳ ଛାଡିବ ତେବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏଥିରେ ଦଳର କୌଣସି ଫରକ ପଡ଼ିବ ନାହିଁ । ଦଳରେ ରହି ଦଳର ହାଇକମାଣ୍ଡଙ୍କ ବିରୋଧରେ ଟିପ୍ପଣୀ ଦେଲେ ସର୍ଚ୍ଚା କଂଗ୍ରେସ କର୍ମୀ ଏହାକୁ ବରଦାସ୍ତ କରିବେ ନାହିଁ ବୋଲି ଶ୍ରୀ ବାହିନୀପତି କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Pradeep-Majhi.jpg)