ମାଲକାନଗିରି/ଜୟପୁର: ଦୀପାବଳି ପୂର୍ବରୁ ମାଓ ସଂଗଠନ ଛାଡ଼ିଛନ୍ତି ୨୧୦ କ୍ୟାଡର୍‌। ବନ୍ଧୁକ ଛାଡ଼ି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ ସମ୍ବିଧାନ  ଧରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ସମସ୍ତ କ୍ୟାଡର୍‌ଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୋଟିଏ ଦିନରେ ୨୧୦ ନକ୍ସଲଙ୍କ ଆତ୍ମସର୍ମପଣ ମାଓବାଦୀ ଇତିହାସରେ ପ୍ରଥମ ଘଟଣା। ‌ଏତେ ସଂଖ୍ୟକ ନକ୍ସଲ ସଂଗଠନ ଛାଡ଼ିବା ପରେ ଛତିଶଗଡ଼ ଉତ୍ତର-ପଶ୍ଚିମ ବସ୍ତର ମାଓ ଡିଭିଜନ୍‌ ମୂଳପୋଛ ହୋଇଯାଇଛି। ଆତ୍ମସର୍ମପଣ ପରେ କ୍ୟାଡର ନକ୍ସଲ ୧୯ଟି ଏକେ-୪୭, ୧୭ଟି ଏସ୍‌ଏଲ୍‌ଆର୍‌ ରାଇଫଲ୍‌, ୨୩ଟି ଇନ୍‌ସାସ୍‌ ରାଇଫଲ୍‌, ଗୋଟିଏ ଇନ୍‌ସାସ୍‌ ଏଲ୍‌ଏମ୍‌ଜି, ୪ଟି କାର୍ବାଇନ୍‌ସ, ୧୧ଟି ବିଜିଏଲ୍‌ ଲଞ୍ଚର, ୪୧ଟି ୧୨ ବୋର ବନ୍ଧୁକ ଏବଂ ଗୋଟିଏ ପିସ୍ତଲ ଏପରି ୧୫୩ଟି ବନ୍ଧୁକ ପୁଲିସକୁ ହସ୍ତାନ୍ତର କରିଛନ୍ତି ନକ୍ସଲ। 

Advertisment

ଆତ୍ମସର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେସାଲ୍‌ ‌ଜୋନାଲ୍‌ କମିଟିର ମୁଖ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟ ରୂପେଶ, ସ୍ପେସାଲ୍‌ ଜୋନାଲ୍‌ କମିଟି ସଦସ୍ୟ ତଥ୍ୟ ଉତ୍ତର ବସ୍ତର ଡିଭିଜନ ମୁଖ୍ୟ ରାଜମନ ଓରଫ ରାଜମୋହନ ରହିଛନ୍ତି। ସେହିପରି ଓଡ଼ିଶାର ନବରଙ୍ଗପୁର ଅଞ୍ଚଳରେ ସକ୍ରିୟ ଥିବା ସ୍ପେସାଲ୍‌ ଜୋନାଲ୍‌ କମିଟି ସଦସ୍ୟ ତଥା ଇନ୍ଦ୍ରାବତୀ ଡିଭିଜନ୍‌ର ରାଜୁ ସଲାମ, ଶିବ ପ୍ରସାଦ ମଧ୍ୟ ମୁଖ୍ୟସ୍ରୋତକୁ ଫେରିଛନ୍ତି। ସେଥି ମଧ୍ୟରେ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟ, ଦଣ୍ଡକାରଣ୍ୟ ସ୍ପେସାଲ ‌ଜୋନାଲ୍‌ କମିଟିର ୪ ସଦସ୍ୟ, ଜଣେ ରିଜିଓନାଲ୍‌ କମିଟି ସଦସ୍ୟ, ୨୨ ଡିଭିଜନାଲ କମିଟି ସଦସ୍ୟ, ୬୧ ଏରିଆ କମିଟି ସଦସ୍ୟ, ୯୮ ପାର୍ଟି ମେମ୍ବର, ୨୨ ଅନ୍ୟାନ୍ୟ କ୍ୟାଡର ରହିଛନ୍ତି। ଏମାନଙ୍କ ଭିତରେ ୯୮ ମହିଳା କ୍ୟାଡର୍‌ ଅଛନ୍ତି। ଏହି ସମସ୍ତ କ୍ୟାଡର ମାଓବାଦୀଙ୍କ ମୁଣ୍ଡରେ ୯ କୋଟି ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର।   

ମୁଖ୍ୟସ୍ରୋତକୁ ଫେରିଲେ ୨୧୦ କ୍ୟାଡର୍‌ ମାଓବାଦୀ
ଉତ୍ତର-ପଶ୍ଚିମ ବସ୍ତର ମାଓ ଡିଭିଜନ୍‌ ମୂଳପୋଛ
ମୁଣ୍ଡରେ ଥିଲା ୯ କୋଟି ୧୮ ଲକ୍ଷର ପୁରସ୍କାର
ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କଲେ ୧୫୩ ବନ୍ଧୁକ

ଗତ ୩ ଦିନରେ ମହାରାଷ୍ଟ୍ରର ଗଡ଼ଚିରୋଲି ସମେତ ଛତିଶଗଡ଼ର ସୁକମା ଏବଂ ଆଜି ଜଗଦଲପୁରରେ ୨୯୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଫଳରେ ମାଓ ସଂଗଠନର ଅତି ଶକ୍ତିଶାଳୀ ଆବୁଝମାଡ଼ ଡିଭିଜନ୍‌, ଉତ୍ତର ପଶ୍ଚିମ ଡିଭିଜନର କମ୍ପାନି ନଂ-୫, ୧୦, କମ୍ୟୁନିକେସନ ଟିମ୍‌, ଟେକ୍ନିକାଲ ଟିମ୍, ଡାକ୍ତରୀ ଟିମ୍ ମୂଳପୋଛ ହୋଇଯାଇଛି। ଜଗଦଲପୁରରେ ଅନୁଷ୍ଠିତ ଆତ୍ମସମର୍ପଣ ପର୍ବରେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସମେତ ରାଜ୍ୟ ଗୃହ ମନ୍ତ୍ରୀ ବିଜୟ କୁମାର ଶର୍ମା ଉପସ୍ଥିତ ଥିଲେ। ଆତ୍ମସର୍ମପଣ ପରେ ମାଓ ନେତା ରୂପେଶ ସରକାରଙ୍କ ନିକଟରେ ୧୦ଟି ଦାବି ଉପସ୍ଥାପନ କରିଛନ୍ତି। ତେବେ ଏହି ଦାବି ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇନି। ସରକାର ଏବଂ ରୂପେଶ ମଧ୍ୟରେ ବୁଝାମଣା ହୋଇଥିବା ଜଣାପଡ଼ିଛି। ସରକାର ସମସ୍ତ ଦାବିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ତୁରନ୍ତ ଥଇଥାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ କହିଛନ୍ତି। ଆତ୍ମସମର୍ପଣ ପରେ ନକ୍ସଲ ପ୍ରଥମ କରି ପରିବାର ସହ ଦୀପାବଳି ପାଳନ କରିବେ। ବହୁ ନକ୍ସଲଙ୍କ ପରିବାର ଚାଷୀ ଶ୍ରେଣୀର ହୋଇଥିବାରୁ ସେମାନେ ଚାଷ ଉପରେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଥିଲେ।