ଢେଙ୍କାନାଳ, (ପ୍ରସନ୍ନ ପଟ୍ଟନାୟକ) : ମଞ୍ଜିରୁ ଚାରା ପ୍ରସ୍ତୁତି ଆଦିମ କାଳରୁ ହୋଇଆସୁଛି। ହେଲେ ମା’ଗଛର ଟିସ୍ୟୁରୁ ବୈଜ୍ଞାନିକ ପଦ୍ଧତିରେ ଅଙ୍କୁରୋଦ୍ଗମ କରାଯାଇ ଚାରା ପ୍ରସ୍ତୁତି କରାଯିବା ଏକ ବିରଳ ପ୍ରଣାଳୀ ତଥା ନୂତନ ଜ୍ଞାନକୌଶଳର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ‘ଟିସ୍ୟୁ କଲ୍ଚର’ ଭାବେ ନାମିତ ଏଭଳି ଏକ ଅନନ୍ୟ ପ୍ରକଳ୍ପ ଗଢି ଉଠିଛି ଢେଙ୍କାନାଳ ସହର ଉପକଣ୍ଠ ସପ୍ତଶଯ୍ୟା ପାଦଦେଶସ୍ଥିତ ଗଜମରା ଗ୍ରାମରେ। ଟିସ୍ୟୁରୁ କଦଳୀ, ସପୁରୀ, ଟମାଟୋ ଆଦି ଚାରା ଏଠାରେ ପ୍ରସ୍ତୁତ କରାଯାଉଛି। ଯାହାର ଚାହିଦା ପଶ୍ଚିମ ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ଟିସ୍ୟୁରୁ ଚାରା ପ୍ରସ୍ତୁତ କରି ଗ୍ରାମୀଣ ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଢେଙ୍କାନାଳର ଝିଅ ଗାୟତ୍ରୀ ପଟ୍ଟନାୟକ ଚାକିରି ଛାଡ଼ି ଏଠାରେ ଆରମ୍ଭ କରିଛନ୍ତି ‘ଏକ୍ସସେଲ୍ ପ୍ଲାଣ୍ଟ ଲିଙ୍କ ପ୍ରାଇଭେଟ୍ ଲିମିଟେଡ୍’ ନାମରେ ଏହି ଅତ୍ୟାଧୁନିକ ପ୍ରକଳ୍ପ । ଏଥିରେ ଯେତିକି କର୍ମଚାରୀ କାମ କରୁଛନ୍ତି, ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ମହିଳା ଓ ଯୁବତୀ ହୋଇଥିବାବେଳେ ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେଇ ସଶକ୍ତକରଣ କରାଯାଇପାରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମତୀ ପଟ୍ଟନାୟକ ପ୍ରଥମେ ୨୦୧୨-୧୩ ମସିହାରେ ସେମାନେ ଭୁବନେଶ୍ୱରରେ ନ୍ୟାସ୍ନାଲ୍ ସିଡ୍ କର୍ପୋରେସନ୍କୁ ଲିଜ୍ରେ ନେଇ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଢେଙ୍କାନାଳରେ ଏହି ‘ଟିସ୍ୟୁ କଲ୍ଚର’ ପ୍ରକଳ୍ପ କରିବାକୁ ଇଚ୍ଛା ପ୍ରକାଶ କରି ୨୦୧୭ ମସିହାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସଦର ବ୍ଲକ ସପ୍ତଶଯ୍ୟା ପଞ୍ଚାୟତର କମନିଙ୍ଗ ଗ୍ରାମଠାରେ ‘ଏକ୍ସସେଲ୍ ପ୍ଲାଣ୍ଟ’ ନାମରେ ୪ ଏକର ଜମି ଉପରେ ଏହି ପ୍ରକଳ୍ପ ଗଢି ଉଠିଛି। ଏଠାରେ ବର୍ତ୍ତମାନ କଦଳୀ, ସପୁରୀ ଏବଂ ଟମାଟୋ ଆଦି ଚାରା ପ୍ରସ୍ତୁତ କରାଯାଉଛି। ଆଗାମୀ ଦିନରେ ଏଠାରୁ ଆଳୁ ଚାରା ପ୍ରସ୍ତୁତ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ୩ଟି ପର୍ଯ୍ୟାୟରେ ଚାରା ପ୍ରସ୍ତୁତ କରାଯାଏ । ମଦର ଷ୍ଟମ୍ପଗୁଡିକୁ ଇସ୍ରାଏଲ୍ରୁ ଅଣାଯିବା ପରେ ସେଥିରୁ ଚାରା ପ୍ରସ୍ତୁତ କରାଯାଇଥାଏ । ଚାରା ପ୍ରସ୍ତୁତି ପାଇଁ ଏକ ଅତ୍ୟାଧୁନିକ ଲାବ୍ରୋଟାରି କରାଯାଇଛି ।
ଲାବ୍ରୋଟାରି ଭିତରେ ମଦର ଷ୍ଟମ୍ପରୁ ଟିସ୍ୟୁକୁ ବାହାର କରାଯାଇ ବୈଜ୍ଞାନିକ ପଦ୍ଧତିରେ ଏକ ବଟଲ୍ ମଧ୍ୟରେ ପ୍ଲାଣ୍ଟକୁ ବଢାଯାଏ। ସେଠାରେ ତାହାକୁ ନିର୍ଦିଷ୍ଟ ପଦ୍ଧତିରେ ପୃଥକ କରାଯାଏ। ସେଗୁଡିକୁ ଅନ୍ୟ ଏକ କୋଠରିକୁ ନିଆଯାଇ ଚାରାକୁ ଉତ୍ତାପ ଦେଇ ରଖାଯାଇଥାଏ। ସେଠାରୁ ବାହାରିବା ପରେ ଚାରାଗୁଡିକ ଗ୍ରୀନ୍ ହାଉସ୍କୁ ନିଆଯାଇ ତାହାକୁ ପ୍ୟାକିଂ କରି ବିକ୍ରି ପାଇଁ ପଠାଯାଇଥାଏ । ଦିନକୁ ସେଥରୁ ୪୦ରୁ ୫୦ହଜାର ପର୍ଯ୍ୟନ୍ତ ଚାରା ଉତ୍ପାଦନ କରାଯାଇଥାଏ। ଚାରାଗୁଡିକୁ ମଧ୍ୟରୁ କେତେକ ଏଠାକାର ନର୍ସରିରେ ରଖାଯାଉଥିବା ବେଳେ ଅନ୍ୟଗୁଡିକୁ କାମାକ୍ଷାନଗର ଇଚ୍ଛାବତୀପୁର ଗ୍ରାମରେ ସରଂକ୍ଷଣ ପାଇଁ କରାଯାଇଥିବା ନର୍ସରି ଏବଂ ଗ୍ରୀନ୍ ହାଉସ୍କୁ ପଠାଇ ଦିଆଯାଇଥାଏ।
ଏହି ପ୍ରକଳ୍ପରେ ୧୧୦ ଜଣ ମହିଳା କର୍ମଚାରୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ବର୍ତ୍ତମାନ ୭୦ଜଣ ମହିଳା କାର୍ଯ୍ୟ କରୁଛନ୍ତି। ଆଖପାଖ ଅଞ୍ଚଳଗୁଡିକର ମହିଳା ଏବଂ ଯୁବତୀମାନେ ଏଠାରେ କର୍ମସଂସ୍ଥାନ ପାଇ ବିଶେଷ ଭାବେ ଉପକୃତ ହେଉଛନ୍ତି। ଏଥିପାଇଁ ବିଶେଷ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ତାଲିମ୍ ପାଇବା ପରେ ସେମାନେ କାର୍ଯ୍ୟକ୍ଷମ ହୋଇପାରୁଛନ୍ତି। ଏହାଦ୍ୱାରା ନିଜେ ଏବଂ ଅନ୍ୟାନ୍ୟ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସହାୟକ ହେଉଛନ୍ତି ବୋଲି ଗାୟତ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।