ଗଣିତ ଅଛିଣ୍ଡା ରଖିଦେଲେ ବିଦାୟୀ ଏସ୍‌ପି

ବରଗଡ଼: ବରଗଡ଼ରୁ ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ ଦାସଙ୍କୁ ଝାରସୁଗୁଡ଼ା ବଦଳି ହୋଇଛି। ବର୍ଷେରୁ କମ୍‌ ଅବଧି ସେ ବରଗଡ଼ରେ ବିତାଇଥିଲେ। କିନ୍ତୁ ଗୁଡ଼ାଏ ଅପରାଧର ରହସ୍ୟ ତାଙ୍କର କାର୍ଯ୍ୟକାଳ ଭିତରେ ଭେଦ କରିପାରିଲାନି ପୁଲିସ୍‌। ବରଂ ଗଣିତ ଅଛିଣ୍ଡା ରଖି ଚାଲିଗଲେ ବିଦାୟୀ ଏସ୍‌ପି। ପ୍ରଥମ ଘଟଣା ହେଲା, ଟାଉନ୍‌ ଥାନା ହାଜତ ମୃତ୍ୟୁ ଘଟଣା। ବିଦାୟୀ ଏସ୍‌ପିଙ୍କ ପୂର୍ବ ଜିଲ୍ଲା ମୁଖିଆ ରାହୁଲ ଜୈନ୍‌ ଏଠାରେ ଥିବାବେଳେ ହାଜତ ମୃତ୍ୟୁ ଘଟଣା ଭଳି ଚର୍ଚ୍ଚିତ ଘଟଣା ଘଟିଲା। ସେତେବେଳେ ୫ଜଣ ପୁଲିସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଗଲା। କିନ୍ତୁ କାହାରି ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ପରମାର୍‌ ସ୍ମିତ ପୁରୁଷୋତ୍ତମ ଦାସ ଏସ୍‌ପି ଭାବେ ଯୋଗ ଦେଲେ। ତାଙ୍କ କାର୍ଯ୍ୟକାଳ ଭିତରେ ହୁଏତ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବ ବୋଲି ଆଶା ଥିଲା। କିନ୍ତୁ ଫାଇଲ୍‌ ଭିତରେ ତାହା ହଜିବାକୁ ବସିଲାଣି।

ହାଜତ ମୃତ୍ୟୁର ଶିକାର ହୋଇଥିଲେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାର। କୌଣସି ହିସାବରେ ପୁଲିସ୍‌ ପଦକ୍ଷେପ ନ ନେବାରୁ  ମା’ ଚଞ୍ଚଳା ଗତବର୍ଷ ଏପ୍ରିଲ ମାସରେ  ଜାତୀୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣାରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ଗିରଫ କରିବା ପାଇଁ ସେ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାଙ୍କ ପିଟିସନ୍‌ ଉପ‌େର ଶୁଣାଣି କରି ଜାତୀୟ ମାନବାଧିକାର କମିସନ ବରଗଡ଼ ଏସ୍‌ପି ଏବଂ ଜିଲ୍ଲାପାଳଙ୍କୁ ଘଟଣାର ବିସ୍ତୃତ ରିପୋର୍ଟ ୬ ସପ୍ତାହ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେତିକିରେ ହିଁ ପୁଲିସ୍‌ ଅଟକି ରହିଛି। ୨୦୨୧ ମସିହା ସେପ୍ଟେମ୍ବର ୨୪ ତାରିଖ  ୭ ଜଣ ପୁଲିସ କର୍ମଚାରୀ ଗୋବିନ୍ଦଙ୍କୁ ରାତି ୨ଟାରେ ବିନା ୱାରେଣ୍ଟରେ  ଜବରଦସ୍ତି ଉଠାଇ ନେଇଥିଲେ। ପରେ ହାଜତରେ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା।

ସଦ୍ୟ ଭାବେ,  ବରଗଡ଼ ଟାଉନ୍‌ ଥାନାରେ ପୂର୍ବରୁ କାର୍ଯ୍ୟରତ ସ୍ମିତାରାଣୀ ଦାଶ ଗାଡ଼ି ବିକ୍ରି ସହ ଗାଡ଼ି ଚୋରି ଅଭିଯୋଗରେ ଛନ୍ଦି ହୋଇଥିଲେ। ହତ୍ୟା ଧମକ୍‌, ଗାଡ଼ି ଚୋରି, ଧମକଚମକ ଦେଇ ଚୁକ୍ତିଠାରୁ ଅଧିକ ଟଙ୍କା ହଡପ୍‌ ଏଭଳି ସାଂଘାତିକ ଅଭିଯୋଗ ପୀଡ଼ିତମାନେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଟାଉନ୍‌ ଥାନାରେ ଏଫ୍‌ଆଇଆର୍‌ ବି ହୋଇଛି। କିନ୍ତୁ ଥାନା ବାବୁ କିଛି ପଦକ୍ଷେପ ନେବା ବଦଳରେ ପୀଡ଼ିତମାନଙ୍କୁ ବାରମ୍ବାର ଫେରାଇ ଦେଇଥିବା ଅଭିଯୋଗ ହେଲା। ପୀଡ଼ିତମାନେ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ କାହାରି ବିରୋଧରେ କିଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବି ହେଲା ନାହିଁ। ଏହି ମାମଲା ଏସ୍‌ପି ଶ୍ରୀ ପୁରୁଷୋତ୍ତମ ଦାସଙ୍କ ବଦଳି ପରେ ଶିଥିଳ ହେବାକୁ ଲାଗିଛି।

ସେହିପରି  ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗାଁର ଘଟିଥିବା ଗଣହତ୍ୟା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲେ ହେଁ ଏହାର କାରଣ ପୁଲିସ୍‌ ଖୋଜି ପାରିଲା ନାହିଁ। ଏହି ଗଣହତ୍ୟା ଘଟଣାରେ ଗାଁର କନ୍ଧପଡ଼ାରେ ରହୁଥିବା ଶେଷଦେବ ମେହେର (୬୫), ସ୍ତ୍ରୀ କ୍ଷିରେଶ୍ବରୀ (୬୦), ପୁଅ ଅରବିନ୍ଦ(୩୦) ଓ ଝିଅ ଶିବାନୀ (୨୨)ଙ୍କ ପ୍ରାଣ ଚାଲିଗଲା। ଗଣହତ୍ୟା ଘଟଣାର ପର୍ଦାଫାସ କରିବା ବରଗଡ଼ ପୁଲିସ୍‌ ପାଇଁ ସବୁଠୁ ବଡ଼ ଚାଲେଞ୍ଜ ଭାବେ ଛିଡ଼ା ହୋଇଥିଲା। କାରଣ ପୂର୍ବରୁ ଏଭଳି ଲୋମଟାଂକୁରା ଘଟଣା ଜିଲ୍ଲାରେ ଘଟିନଥିଲା। ଗୋଟିଏ ଦିନ ସାରା ପରିବାରକୁ ହତ୍ୟା କରାଯିବା ଭଳି ବିରଳରୁ ବିରଳତମ ଘଟଣାର ରହସ୍ୟ ଉପରୁ ପରଦା ଉଠାଇବା ପୁଲିସ୍‌ ପାଇଁ ଆହ୍ବାନ ଛିଡ଼ା କରିଥିଲା। କିନ୍ତୁ ତାହା ବି ରହସ୍ୟ ଘେରରେ ହିଁ ରହିଛି।

ସମ୍ବନ୍ଧିତ ଖବର