ମାର୍ଶାଘାଇ : ‘ମୁଁ ଅଧିକ ସମୟ ଦେଇ ପାରୁନି। ପୁଅକୁ ଛାଡ଼ି ଯାଉଛି। ସେ ବାପା ପରି କାମ କରିବ। ଆଜି ପାଟକୁରା ନିର୍ବାଚନ ମଣ୍ତଳୀ ମାର୍ଶାଘାଇ ବ୍ଲକ୍‌ ବନ୍ଧକଟା ହାଟପଡ଼ିଆଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅବସରରେ ଆୟୋଜିତ ସଭାରେ ଯୋଗଦେଇ ବିଧାୟିକା ସାବିତ୍ରୀ ଅଗ୍ରୱାଲ୍‌ଙ୍କ ଏଭଳି ବକ୍ତବ୍ୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ବିଧାୟିକାଙ୍କ ପୁଅ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲ ପାଟକୁରା ରାଜନୀତିରେ ସକ୍ରିୟ ରହି ଆସିଥିଲେ ବି ସାବିତ୍ରୀଙ୍କ ଏଭଳି ବକ୍ତବ୍ୟର ଉଦ୍ଦେଶ୍ୟକୁ ନେଇ ଆଲୋଚନା ହେଉଛି।

Advertisment

ଶନିବାର ଦିନ ଜନସଂପର୍କ ଶୋଭାଯାତ୍ରା ପରେ ସ୍ଥାନୀୟ ବନ୍ଧକଟା ହାଟପଡ଼ିଆଠାରେ ଆୟୋଜିତ ସଭାରେ ବିଧାୟିକା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ପୁଅ ସଂଜୟ ପିତା ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପରି କାମ କରିବ ବୋଲି କହିଥିଲେ। ପୂର୍ବତନ ସରପଞ୍ଚ ତଥା ଯୁବନେତା ବିମଳେନ୍ଦୁ ପ୍ରକାଶ ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସାବିତ୍ରୀଙ୍କ ପୁଅ ସଂଜୟ ଅଗ୍ରୱାଲ ବି ବକ୍ତବ୍ୟ ରଖିଥିଲେ। ଜିଲ୍ଲା ପରିଷଦସଭ୍ୟ ପ୍ରମୋଦ କୁମାର ରଥ କାହାରି ନାଁ ନ ନେଇ ଅନ୍ୟ ନିର୍ବାଚନ ମଣ୍ତଳୀର ଲୋକେ ତାଙ୍କ ନିଜ ନିର୍ବାଚନ ମଣ୍ତଳୀରେ ରୁହନ୍ତୁ। ଛୋଟମୋଟ କଥାରେ ଏଠି ମୁଣ୍ତପୂରାଇ ଳୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ବନ୍ଧକଟାଠାରେ ଏକ ପାନୀୟଜଳ ପ୍ରକଳ୍ପ ସହ ଗୋଧନ-ବାରତୁଙ୍ଗା ଲୁଣାସେତୁ ଓ ସରକାରୀ ଗୃହ ଆବଣ୍ଟନରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍‌ ପଡିଥିବା ଉପରେ ପଦକ୍ଷେପ ଗ୍ରହଣ ପାଇଁ ସଭାରେ ଦାବି ଉଠିଥିଲା। ଏହାର ଉତ୍ତରରେ ଶ୍ରୀ ଅଗ୍ରୱାଲ ନାଲିନେଳି ନୁହେଁ ସାଦା କାଗଜରେ ବିଧାୟିକାଙ୍କୁ ଘର ପାଇଁ ଆବେଦନ କଲେ ସେ ବିଡିଓଙ୍କୁ ସୁପାରିସ କରିବେ। ଘର ନଥିବା ଲୋକେ ସହଜରେ ଘର ପାଇଯିବେ ବୋଲି କହିଥିଲେ।