ହଟିଲା ପ୍ରତିବନ୍ଧକ : ନିର୍ବାଚନ ଆଚରଣବିଧି ଉଠିବା ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି

ଖାଲିପଡ଼ିଛି ୭୬୦ ଅଧ୍ୟାପକ ଓ ୧୩୦୦ ଅଣଶିକ୍ଷକ

ଭୁବ‌ନେଶ୍ବର : ବିଶ୍ବବିଦ୍ୟାଳୟଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟା ଲାଗି ହଟିଲା ପ୍ରତିବନ୍ଧକ। ଅଧ୍ୟାପକ ପଦବିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉପୁଜିଥିବା ବିବାଦରେ ଅଦାଲତଙ୍କ ରହିତାଦେଶ ଯୋଗୁଁ ୨୦୧୮ ଜୁଲାଇରେ ଓଡ଼ିଶା ସମେତ ସାରା ଦେଶରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ବିଭିନ୍ନ ଅଧ୍ୟାପକ ପଦବି ପୂରଣ ହୋଇ ପାରୁ ନ ଥିଲା। ତେବେ ନିକଟରେ ମାମଲାର ରାୟ ପ୍ରକାଶ ପାଇବା ପରେ ୟୁଜିସି ପକ୍ଷରୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ତାହାକୁ ଆଧାର କରି ସମସ୍ତ ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ରଦିତା‌ଦେଶ ଯୋଗୁଁ ସମସ୍ତ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ କିମ୍ବା କର୍ମଚାରୀ ନିଯୁକ୍ତ ହୋଇପାରୁ ନାହିଁ। ଉତ୍କଳ ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ସମ୍ବଲପୁର ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ, ସବୁଠି ଅଧ୍ୟାପକଙ୍କ ଅଭାବ ପରିଲକ୍ଷିତ ହେଉଛି। ପାଠପଢ଼ାରେ ବାଧା ଉପୁଜୁଛି। ୨୦୧୮ ଡିସେମ୍ବର ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକରେ ୭୦୦ରୁ ଅଧିକ ଶିକ୍ଷକ ପଦ ଖାଲି ରହିଥିଲା। ପ୍ରତି ମାସରେ ୧୦ରୁ ୧୫ ଜଣ ଅଧ୍ୟାପକ ଅବସର ନେଉଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପ୍ରିଲ ସୁଦ୍ଧା ଆହୁରି ୫୦ରୁ ୬୦ ଜଣ ଅଧ୍ୟାପକ ଅବସର ନେଇଥିବାରୁ ଏବେ ଖାଲି ପଦବି ସଂଖ୍ୟା ୭୬୦ରୁ ଅଧିକରେ ପହଞ୍ଚିଛି।

୨୦୧୮ ଏପ୍ରିଲ ମାସର ତଥ୍ୟ ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୧ଟି ବିଶ୍ୱବିଦ୍ୟାଳୟରେ ୭୦୦ରୁ ଅଧିକ ଶିକ୍ଷକ ଓ ୧୨୦୦ ଅଣଶିକ୍ଷକ ପଦ ଖାଲି ରହିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟରେ ସବୁଠାରୁ ଅଧିକ ୧୭୦ଟି ଶିକ୍ଷକ ପଦବି ଖାଲି ଥିବାବେଳେ ଉତ୍କଳରେ ୯୯(ଏବେ ସୁଦ୍ଧା ୧୩୦), ବ୍ରହ୍ମପୁରରେ ୬୭, ସମ୍ବଲପୁରରେ ୪୬, ଉତ୍ତର ଓଡ଼ିଶାରେ ୧୨, ଫକୀର ମୋହନରେ ୧୦ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୨ଟି ଶିକ୍ଷକ ପଦବି ଖାଲି ପଡ଼ିଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୨୧ଟି, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ୬୭ଟି ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ୪୨ଟି ନୂତନ ଶିକ୍ଷକ ପଦବି ସୃଷ୍ଟି କରାଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ବିଧାନସଭାରେ କହିଥିଲେ।

ଏଥିସହ ରମାଦେବୀ ସ୍ୱୟଂଶାସିତ ଓ ଗଙ୍ଗାଧର ମେହେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶିକ୍ଷକ ପଦବି ଉଚ୍ଛେଦ ସହିତ ଯଥାକ୍ରମେ ୭୧ ଓ ୧୧୬ଟି ଶିକ୍ଷକ ପଦବି ସୃଷ୍ଟି କରାଯାଇଛି। ଉକ୍ତ ଦୁଇ ବିଶ୍ୱବିଦ୍ୟାଳୟ ଲାଗି ୨୨୧ଟି ଅଣଶିକ୍ଷକ ପଦ ସୃଷ୍ଟି ହୋଇଥିବା ମନ୍ତ୍ରୀ ଶ୍ରୀ ଦାସ ଉତ୍ତରରେ କହିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ସର୍ବାଧିକ ୫୪୩ଟି ଅଣଶିକ୍ଷକ ପଦବି ଖାଲି ଥିବା ବେଳେ ସମ୍ବଲପୁରରେ ୩୧୬, ବ୍ରହ୍ମପୁରରେ ୧୯୧, ରେଭେନ୍ସାରେ ୪୪, ଉତ୍ତର ଓଡ଼ିଶାରେ ୪୭, ଫକୀର ମୋହନରେ ୧୯ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୨୬ଟି ଅଣଶିକ୍ଷକ ପଦବି ଖାଲି ରହିଥିଲା। ନିଯୁକ୍ତି ପ୍ରକ୍ରିୟା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ଦିନ ଭିତରେ ପ୍ରତିବନ୍ଧକ ଲାଗିବାରୁ ସବୁ କିଛି ଅଧାରେ ଅଟକି ଯାଇଥିଲା।

ଏବେ ପ୍ରତିବନ୍ଧକ ହଟିଛି। ନିର୍ବାଚନ ଅଚରଣବିଧି ହଟିବା କ୍ଷଣି ନିଯୁକ୍ତି ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ କୁହାଯାଇଛି। ନୂତନ ବ୍ୟବସ୍ଥାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବିରେ ନିଯୁକ୍ତି ହେଲେ ଏଥିରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ। ତେବେ ଆସୋସିଏଟ ପ୍ରଫେସର ଓ ପ୍ରଫେସର ପଦବିଗୁଡ଼ିକରେ ନିଯୁକ୍ତି ହେଲେ ଏଥିରେ କୌଣସି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ତେବେ ଏହି ବ୍ୟବସ୍ଥାରେ ସମସ୍ତ ପଦରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ରହିବ। ନିଯୁକ୍ତି ପ୍ରକ୍ରିୟାରେ ପୂର୍ବରୁ ବିଶ୍ୱବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ, ଅତିଥି ଅଧ୍ୟାପକ ଓ ଆଡ୍‌ ହକ ଲେକଚରଙ୍କୁ କୌଣସି ଅଗ୍ରାଧିକାର ମିଳିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର