ଭୁବନେଶ୍ବର: ଅଧ୍ୟାପକ ଜୀବନରେ ସନ୍ତୁଷ୍ଟ ନଥିଲେ କି? ଦରମା ପୋଶାଉ ନଥିଲା କି? ଯେଉଁଥି ପାଇଁ କଳା କାରନାମା କରୁଥିଲେ। ଭିଜିଲାନ୍ସ ଏସ୍ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ଜଣେ ଅଧ୍ୟାପକ ଗିରଫ ହୋଇଛନ୍ତି। ଗିରଫ ଅଧ୍ୟାପକ ହେଲେ ମନୋଜ କୁମାର ମାଝୀ।
ଅଭିଯୋଗ ଅନୁସାରେ, ଗତବର୍ଷ ମେ’ ୩୧ ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାର ଏହି ଠକେଇ ନେଇ ଅଭିଯୋଗ କରିଥିଲେ । ଏତଲା ଆଧାରରେ ଅଭିଯୁକ୍ତ ମନୋଜ କୁମାର ମାଝୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ମନୋଜ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସ କାର୍ଯ୍ୟାଳୟର କନଷ୍ଟ୍ରକସନ କାମ ହେବ ବୋଲି କହିଥିଲେ। ଠିକାଦାରଙ୍କୁ କାମ ଦେବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି ବିଶ୍ବାସ ଜନ୍ମାଇବା ପାଇଁ କିଛି କାଗଜପତ୍ର ଦେଇଥିଲେ। ଏହାପରେ ଅଭିଯୁକ୍ତ ମନୋଜକୁ ପ୍ରଥମେ ଅନଲାଇନରେ ୫ ଲକ୍ଷ ଓ ପରେ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ ଅଭିଯୋଗକାରୀ । ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇ ନଥିଲେ ଅଭିଯୁକ୍ତ। ତଦନ୍ତ ପରେ କେସ ନମ୍ବର ୫୦ ଦଫା ୪୧୯, ୪୨୦, ୪୬୭, ୪୬୮ ଓ ଆଇଟି ଆକ୍ଟରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।
ସୂଚନାଯୋଗ୍ୟ ଅଭିଯୁକ୍ତ ମନୋଜ ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଅଟେ। ଅଭିଯୁକ୍ତ ନାଁରେ ଟଙ୍କା ଠକେଇ ନେଇ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ୫ଟି ମାମଲା ସହ ଗଞ୍ଜାମ, ପୁରୀ, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଛି। ମନୋଜ ମାଝୀଠାରୁ ୨ ଲକ୍ଷ ୬୦ ହଜାର ନଗଦ ଟଙ୍କା, ଗୋଟିଏ ମୋବାଇଲ, ୬ଟି ଏଟିଏମ କାର୍ଡ ଜବତ ହୋଇଛି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/34522e13-e293-4ade-818f-c95a87761c9d.jpeg)