୪ ସରକାରୀ ହୋମିଓପ୍ୟାଥି କଲେଜରେ ଖାଲି ପଡ଼ିଛି ଅଧ୍ୟାପକ ପଦ

ଡେପୁଟେସନ୍‌ରେ ଆସି ଫେରୁ ନାହାନ୍ତି ଡାକ୍ତର, ଖାଲି ପଡ଼ିଛି ଡିସପେନସାରି

ଭୁବନେଶ୍ବର : ରାଜ୍ୟରେ ଥିବା ୪ ସରକାରୀ ହୋମିଓପ୍ୟାଥି କଲେଜରେ ଦୀର୍ଘ ଦିନ ଧରି ଅଧ୍ୟାପକ ପଦ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ବିଭାଗର ଉଦାସୀନତା କାରଣରୁ ଏସବୁ ପଦ ପୂରଣ ହୋଇପାରୁ ନାହିଁ। ଅପରପକ୍ଷରେ ବିଭିନ୍ନ ଡାକ୍ତରଖାନାରୁ ଡେପୁଟେସନ୍‌ରେ ପଢ଼ାଇବାକୁ ଆସିଥିବା ଡାକ୍ତର ବର୍ଷ ବର୍ଷ ଧରି ଏହି କଲେଜରେ ରହିଛନ୍ତି। ଫଳରେ ଅଧିକାଂଶ ଡାକ୍ତରଖାନାରେ ଡାକ୍ତର ପଦ ଖାଲି ରହୁଛି। ଏଥିଯୋଗୁଁ ଲୋକମାନେ ଆବଶ୍ୟକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ଥିବା ୪ଟି ହୋମିଓପ୍ୟାଥିକ କଲେଜରେ ୧୪୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଥିବା ବେଳେ ଏଥିରୁ ୧୧୪ଟି ଖାଲି ପଡ଼ିଛି। ରାଉ‌ରକେଲାସ୍ଥିତ ଉତ୍କଳମଣି ହୋମିଓପ୍ୟାଥିକ କଲେଜ ଓ ହସ୍ପିଟାଲରେ ୨୯ଟି, ଭୁବନେଶ୍ବରସ୍ଥିତ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ୨୮ଟି, ସମ୍ବଲପୁର ହେମିଓପ୍ୟାଥିକ କଲେଜରେ ୩୦ ଓ ବ୍ରହ୍ମପୁରସ୍ଥିତ ସରକାରୀ ହୋମିଓପ୍ୟାଥି କଲେଜରେ ୨୭ଟି ଡାକ୍ତରୀ ଶିକ୍ଷକ ପଦ ଖାଲି ରହିଛି। ଏହି ୪ କଲେଜରେ ୩୧ଟି ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ବର୍ଷ ତଳେ ହୋମିଓପ୍ୟାଥିକ ‌ଡାକ୍ତରଙ୍କ କ୍ଷେତ୍ରରେ ବୟସସୀମା ୩୨ରୁ ୪୦ ବର୍ଷକୁ ବୃଦ୍ଧି କରାଯାଇଛି। ହୋମିଓପ୍ୟାଥିକ କଲେଜ ପାଇଁ ଖାଲି ପଡ଼ିଥିବା ୪୯ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏ ସଂକ୍ରାନ୍ତୀୟ ଚିଠି ଓପିଏସ୍‌ସିକୁ ଯାଇ ପାରିନାହିଁ। କିଛି ଉପରିସ୍ଥ ଅଧିକାରୀ ୪ହୋମିଓପ୍ୟାଥିକ କଲେଜରେ ଅସ୍ଥାୟୀ ଭାବେ ଅଧ୍ୟାପନା କରୁଥିବା ଶିକ୍ଷକମାନଙ୍କୁ ଥଇଥାନ କରିବା ପାଇଁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହୋଇଛି।

ହୋମିଓପ୍ୟାଥିକ କଲେଜଗୁଡ଼ିକରେ ଡାକ୍ତରୀ ଶିକ୍ଷକ ପଦ ଖାଲି ପଡ଼ିବା ପରେ ବିଭିନ୍ନ ସରକାରୀ ହୋମିଓପ୍ୟାଥିକ ଡିସ୍‌ପେନସାରିରେ ପିଜି କରୁଥିବା ଡାକ୍ତରଙ୍କୁ ଏସବୁ କଲେଜକୁ ଅଧ୍ୟାପନା ପାଇଁ ଡେପୁଟେସନ୍‌ରେ ଅଣାଯାଇଥିଲା। ତେବେ ବର୍ଷ ବର୍ଷ ଧରି ଏହି ଡାକ୍ତରମାନେ କଲେଜ ଛାଡ଼ୁ ନାହାନ୍ତି। ୪ ହୋମିଓପ୍ୟାଥିକ କଲେଜରେ ଏଭଳି ଭାବେ ୪୫ ଜଣ ଶିକ୍ଷକ ଡେପୁଟେସନ୍‌ରେ ଆସିଥିବା ବେଳେ ତହିଁରେ ୧୬ଜଣ କେବଳ ଡା. ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ କଲେଜରେ ରହିଛନ୍ତି। ୨୦୧୧/୧୨ ମସିହାରେ ଆଡହକ୍ ନିଯୁକ୍ତି ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ପରେ କିଛି ଜଣଙ୍କୁ ଏଥିପାଇଁ ଚୟନ କରାଯାଇଥିଲା। ତେବେ ଏହାକୁ ନେଇ ହାଇକୋର୍ଟରେ ମାମଲା ହୋଇଥିଲା। ‌ମାତ୍ର ନିଯୁକ୍ତି ପାଇଥିବା ଡାକ୍ତରମାନେ କୋର୍ଟରେ ମାମଲା ଲଢ଼ି ସେମାନଙ୍କ ସପକ୍ଷରେ ରାୟ ଆଣିବାରେ ସକ୍ଷମ ହୋଇଥିଲେ। ଏହାସତ୍ତ୍ବେ ସେମାନଙ୍କୁ ନିଯୁକ୍ତି ମିଳି ନଥିବା କିଛି ହୋମିଓପ୍ୟାଥିକ ଡାକ୍ତର ଅଭିଯୋଗ କରିଛନ୍ତି।

ରାଜ୍ୟରେ ଏବେ ୫୮୭ହୋମିଓପ୍ୟାଥିକ ଡିସ୍‌ପେନସାରି ରହିଥିବା ବେଳେ ତହିଁରୁ ୧୫୦ଡିସ୍‌ପେନସାରିରେ ଡାକ୍ତର ନାହାନ୍ତି। ପୂର୍ବରୁ ଦୀର୍ଘ ବର୍ଷ ଧରି ଡେପୁଟେସନ୍‌ରେ ଆସିଥିବା ଡାକ୍ତରଙ୍କ ପଦ ମଧ୍ୟ ପୂରଣ କରାଯାଇନାହିଁ। ଅପରପକ୍ଷରେ ଯେଉଁ ଡାକ୍ତରମାନେ ଡେପୁଟେସନ୍‌ରେ ବିଭିନ୍ନ ମେଡିକାଲ କଲେଜକୁ ଆସିଛନ୍ତି, ସେମାନଙ୍କୁ ଶିକ୍ଷକ ଭାବେ ଘୋଷଣା କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଏହା ବେଆଇନ ଓ ଡେପୁଟେସନ୍‌ରେ ଆସିବା ସମୟରେ ଏଭଳି କୌଣସି ନିୟମ ନ ଥିବା ହୋମିଓପ୍ୟାଥି ଡାକ୍ତର ଅଭିଯୋଗ କରିଛନ୍ତି। କାଗଜକଲମରେ ସଂପୃକ୍ତ ଡାକ୍ତରମାନେ ନିଜ ନିଜ ଡିସ୍‌ପେନସାରିରେ ରହିଥିବା ଦର୍ଶାଯାଇଛି।

ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ବିଭିନ୍ନ କାରଣରୁ ରାଜ୍ୟରେ ଥିବା ହୋମିଓପ୍ୟାଥିକ ‌କଲେଜରେ ପଦବି ଖାଲି ପଡ଼ିଥିବାରୁ ଡେପୁଟେସନ୍‌ରେ କିଛି ଡାକ୍ତରଙ୍କୁ ଅଧ୍ୟାପନା ପାଇଁ ଅଣାଯାଇଛି। ମାତ୍ର ପୂର୍ବରୁ ଏଭଳି କୌଣସି ଅଭିଯୋଗ ଆସିନାହିଁ। ସମସ୍ତଙ୍କୁ ସୁଯୋଗ ଦିଆଯାଉଛି। ଜିଲ୍ଲାସ୍ତରରେ ଯେଉଁ ଡାକ୍ତର ରହିଛନ୍ତି, ସେମାନେ ଯଦି ମେଡିକାଲ କଲେଜରେ ପଢ଼ାଇବାକୁ ଚାହୁଁଛନ୍ତି, ଏଥିପାଇଁ ପୂର୍ବରୁ ଜିଲ୍ଲାକୁ ଚିଠି ଲେଖା ଯାଇଥିଲା। ତେବେ ଡେପୁଟେସନ୍‌ରେ ଆସିଥିବା ଡାକ୍ତରଙ୍କୁ ଶିକ୍ଷକ ଘୋଷଣା କରିବା ପାଇଁ ଉଦ୍ୟମ ଚାଲିଥିବା ସଂପର୍କରେ ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର