ସରକାରୀ କଲେଜରେ ଅଧ୍ୟାପକ ଅଭାବ, ଏଥର ବି ଅତିଥି ଅଧ୍ୟାପକ ଭରସା

ଚୟନ ଲାଗି ଗଠନ ହେବ କମିଟି, ଗାଇଡ୍‌ଲାଇନ୍‌ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପକ ନାହାନ୍ତି। ତେଣୁ ପାଠପଢ଼ା ପ୍ରଭାବିତ ହେଉଛି। ପରୀକ୍ଷା ଫଳ ଖରାପ ହେଲେ କାରଣ ଦର୍ଶାଅ ନୋଟିସ୍‌ ବି ଜାରି ହେଉଛି। ତେବେ ସରକାରୀ କଲେଜ ଅବସ୍ଥା ଏବେ ସାଂଘାତିକ ହେଲାଣି। ରାଜ୍ୟରେ ଥିବା ସରକାରୀ ସ୍ବୟଂଶାସିତ, ଡିଗ୍ରି ଓ ଜୁନିଅର କଲେଜ(ଉଚ୍ଚମାଧ୍ୟମିକ ବିଦ୍ୟାଳୟ)ରେ ଅଧ୍ୟାପକ ପଦ ଖାଲି ରହିଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଯେଉଁଥିପାଇଁ ଏଥର ବି ରାଜ୍ୟ ସରକାର ଅତିଥି ଅଧ୍ୟାପକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜକୋଷରୁ ୨୩ କୋଟି ୬୨ ଲକ୍ଷ ୭୧ ହଜାର ୪୦୦ ଟଙ୍କାର ବ୍ୟୟ ବରାଦ ହେଉଛି।

ଉଚ୍ଚଶିକ୍ଷା ବିଭାଗ ତଥ୍ୟ କହୁଛି ୮୫ଟି ସ୍ବୟଂଶାସିତ, ଡିଗ୍ରି ଓ ଜୁନିଅର ସରକାରୀ କଲେଜ ଲାଗି ୨ ହଜାର ୭୪୪ଟି ଅଧ୍ୟାପକ ପଦ ମଞ୍ଜୁର ‌ହୋଇଛି। ସେଥିମଧ୍ୟରୁ ୧୩୭୦ ଜଣ ନିୟମିତ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ୧୩୭୪ଟି ପଦ ଖାଲି ପଡ଼ିଛି। ତାହାକୁ ଦୃଷ୍ଟିରେ ରଖି ୧୫୧୦ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି।

ବ୍ରହ୍ମପୁର ଖଲ୍ଲିକୋଟ ସ୍ବୟଂଶାସିତ କଲେଜରେ ୫୭, ବାଲେଶ୍ବର ଫକୀରମୋହନ ସ୍ବୟଂଶାସିତ କଲେଜରେ ୪୯, ପୁରୀ ଏସ୍‌ସିଏସ୍‌ କଲେଜରେ ୪୮, ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ୪୩, ବଲାଙ୍ଗୀର ରାଜେନ୍ଦ୍ର ଜୁନିଅର କଲେଜରେ ୪୦ ଅଧ୍ୟାପକ ପଦ ଖାଲି ପଡ଼ିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ୭ଟି କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇ ନାହାନ୍ତି। ବାକି ୭୮ଟି ସରକାରୀ କଲେଜରେ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୦ଟି କଲେଜରେ ୪୦ରୁ ଅଧିକ ଅତିଥି ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ଆଉ କିଛି ଏଭଳି କଲେଜ ରହିଛି ଯେଉଁଠି ଆବଶ୍ୟକତାଠାରୁ ଅଧିକ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ସେଗୁଡ଼ିକର ସଂଖ୍ୟା ୩୯। ଉକ୍ତ ୩୯ଟି କଲେଜ ଲାଗି ୧୬୨୮ ପଦ ମଞ୍ଜୁର ହୋଇଛି। ସେଥିମଧ୍ୟରୁ ୭୫୬ ଜଣ ନିୟମିତ ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି। ବାକି ୮୭୨ଟି ପଦ ଖାଲି ରହିଛି। ୧୦୬୦ ଜଣ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତ କରାଯାଇଛି। ୮୭୭ ଜଣ ଆବଶ୍ୟକତା ଥିବା ବେଳେ ଅଧିକ ୧୮୩ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବାରୁ ଏଥର ବି ସରକାରୀ କଲେଜଗୁଡ଼ିକ ଅତିଥି ଅଧ୍ୟାପକଙ୍କ ଉପରେ ନିର୍ଭର କରିବେ। ତାହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅଧ୍ୟାପକ ଚୟନ ପାଇଁ ଏକ କମିଟି ଗଠନ କରାଯିବ। କଲେଜର ଅଧ୍ୟକ୍ଷ ଏହି କମିଟିର ଅଧ୍ୟକ୍ଷ ରହିବେ। ଏଥିସହ ବିଭାଗୀୟ ମୁଖ୍ୟ, ଅନ୍ୟ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକ, ବିଷୟ ବିଶେଷଜ୍ଞ ଏଥିରେ ରହିବେ। ଅଧ୍ୟାପକ ହେବା ଲାଗି କେଉଁ ଯୋଗ୍ୟତା ରହିବା ଆବଶ୍ୟକ, ସେନେଇ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି। ଅତିଥି ଅଧ୍ୟାପକମାନେ ୯ ମାସ ଯାଏ ନିଯୁକ୍ତ ହେବେ। ପ୍ରତି ମାସରେ ୫୦ କ୍ଲାସ କରିବେ। ବର୍ଷକୁ ମୋଟାମୋଟି ୪୫୦ କ୍ଲାସ କରିବେ। ପ୍ରତି ୪୫ମିନିଟ୍‌ କ୍ଲାସକୁ ୫୦୦ ଟଙ୍କା ଲେଖାଏ ଦିଆଯିବ। ଅଧ୍ୟାପକଙ୍କୁ ମାସକୁ ଅତି ବେଶିରେ ୨୫ ହଜାର ଟଙ୍କା ଦରମା ଦିଆଯିବ ବୋଲି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର