ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉଦ୍‌ବେଗ : ଆଗଭଳି ବାହାରୁନାହାନ୍ତି ଆଇଏଏସ୍‌

କଟକ ଓ ଖୋର୍ଧା ଛାଡ଼ିବାକୁ ଚାହୁଁନାହାନ୍ତି ଅଧ୍ୟାପକ
ଆରମ୍ଭ ହେଲା ଅଧ୍ୟାପକଙ୍କ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର : ଓଡ଼ିଶାରୁ ଆଉ ଆଗଭଳି ଆଇଏଏସ୍‌ ବାହାରୁ ନାହାନ୍ତି। ଯେତେବେଳେ ଓଡ଼ିଶାରେ ମାତ୍ର ୩/୪ଟି ବିଶ୍ୱବିଦ୍ୟାଳୟ ରହିଥିଲା ସେତେବେଳେ ପ୍ରତିବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୦ରୁ ୧୫ ଜଣ ସର୍ବଭାରତୀୟ ପରୀକ୍ଷାରେ ସଫଳତା ପାଉଥିଲେ। ଏବେ ସରକାରୀ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ କାଁ ଭାଁ ଆଇଏଏସ୍‌ ବାହାରୁଛନ୍ତି। ଏଥିପ୍ରତି ଦୃଷ୍ଟି ଦେବା ସହ ଆତ୍ମସମୀକ୍ଷାର ସମୟ ଆସିଛି। ଭଲ ଶିକ୍ଷକମାନେ ଭଲ ଛାତ୍ରଛାତ୍ରୀ ସୃଷ୍ଟି କରିପାରିବେ ବୋଲି ନବନିଯୁକ୍ତ ଅଧ୍ୟାପକଙ୍କ ଲାଗି ଆଜିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି।

ଉଚ୍ଚଶିକ୍ଷା ସଚିବ ଜିଭିଭି ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ନିଯୁକ୍ତି ପାଇବା ପରେ ଅଧ୍ୟାପକମାନେ କଟକ ଓ ଖୋର୍ଧା ଜିଲ୍ଲାରେ ରହିବାକୁ ଚାହୁଁଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରୁଛନ୍ତି। ସେମାନେ ଭୁଲିଯାଉଛନ୍ତି ଯେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି। ସେଠାରେ ବି ପିଲାମାନେ କଲେଜରେ ପଢ଼ୁଛନ୍ତି। ଯଦି ସମସ୍ତେ ଭୁବନେଶ୍ୱର ଓ କଟକରେ ରହିବେ ତେବେ ଅନ୍ୟ କଲେଜଗୁଡ଼ିକରେ କିଭଳି ପାଠପଢ଼ା ହେବ। ତେଣୁ ଉପଯୁକ୍ତ କାଉନସେଲିଂ ମାଧ୍ୟମରେ ପ୍ରଥମ ନିଯୁକ୍ତି ଦିଆଯିବ। ପିଲାଙ୍କ ଗୁଣାତ୍ମକ ଶିକ୍ଷାଦାନ ପ୍ରତି ଅଧ୍ୟାପକମାନେ ଧ୍ୟାନ ଦେବା ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଅତିିରିକ୍ତ ସଚିବ ଶ୍ରୀକାନ୍ତ କୁମାର ପୃଷ୍ଟି, ନିର୍ଦେଶକ ଧୀରେନ କୁମାର ପଟ୍ଟନାୟକ, ତାଲିମ କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର କିଶୋର ବାସା ପ୍ରମୁଖ ଯୋଗଦେଇ ଅଧ୍ୟାପକଙ୍କ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଜୟନ୍ତ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଫିଜିକ୍ସ, କେମେଷ୍ଟ୍ରି ଓ ବଟାନି ବିଷୟର ୫୫ ଜଣ ଅଧ୍ୟାପକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ।

ସମ୍ବନ୍ଧିତ ଖବର