ଭୁବନେଶ୍ବର : ଘରଠାରୁ ଦୂରରେ ରହି କାମ କରିବାକୁ ଚାହୁଁନାହାନ୍ତି ଅଧ୍ୟାପକ। ଯେ କୌଣସି ପ୍ରକାରେ ଘର ପାଖକୁ ଆସିବାକୁ ଚାପ ସୃଷ୍ଟି କରୁଛନ୍ତି। କିଏ ଦେହ ଅସୁସ୍ଥ ଥିବା ଦର୍ଶାଇ ତ ଆଉ ଆଉ କିଏ ବାପା, ମା’, ସ୍ତ୍ରୀଙ୍କ ଦେହ ଖରାପ କହି ଘର ପାଖରେ ଥିବା କଲେଜକୁ ବଦଳି ହୋଇ ଆସିବାକୁ ଚାହୁଁଛନ୍ତି। ଅଧ୍ୟାପକମାନେ ‘ଅସୁସ୍ଥତା’କୁ ଏକ ବାହାନା କରୁଥିବା ନଜରକୁ ଆସିଛି। ପ୍ରତିବର୍ଷ ଏମିତି ଶହ ଶହ ଅଧ୍ୟାପକ, ଅଧ୍ୟାପିକା ବଦଳି ହୋଇ ଆସୁଥିବା ବେଳେ ଏଥର ଉଚ୍ଚଶିକ୍ଷା ବିଭାଗ କଡ଼ା ନିଷ୍ପତ୍ତି ନେଇଛି। ଆଉ ବାହାନା ଚଳିବନି। ଯଦି କେହି ଅଧ୍ୟାପକ ସେମିତି କରୁଥିବା ନଜରକୁ ଆସେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର କହିଛନ୍ତି।

Advertisment

ସବୁଠାରୁ ବଡ଼ କଥା ହେଉଛି ଯେ ଚଳିତ ଶିକ୍ଷାବର୍ଷରେ ବଦଳି ପାଇଁ ୧୨୦୦ ଅଧ୍ୟାପକ ଅଧ୍ୟାପିକା ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୧୦୦ ଜଣ ଅସୁସ୍ଥତା କାରଣ ବୋଲି ଦର୍ଶାଇଛନ୍ତି। ଅଧିକାଂଶ ନିଜେ ଅସୁସ୍ଥ ଥିବା କହିଛନ୍ତି। ଆଉ କେତେକ ବାପା, ମା’ଙ୍କ ଅସୁସ୍ଥତାକୁ ଦର୍ଶାଇଛନ୍ତି। କିଛି ପତ୍ନୀ ଅସୁସ୍ଥ ଥିବା କହିଛନ୍ତି। ତେଣୁ ପାଖରେ ରହିବାକୁ ଡାକ୍ତର କହିଥିବା ରିପୋର୍ଟ ଦେଇଛନ୍ତି। କେବଳ ସେତିକି ନୁହେଁ, ଆଉ କିଛି ଅଧ୍ୟାପକ ନିଜ ଦାଦା, କକା ଅସୁସ୍ଥତା ଥିବା ଦର୍ଶାଇ ବଦଳି ପାଇଁ ଆବେଦନ କରିଛନ୍ତି। ଏଭଳି ତଥ୍ୟ ନଜରକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମେଡିକାଲ ସାର୍ଟିଫିକେଟ୍‌ଗୁଡ଼ିକ ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସେଥିରୁ କିଛି ଭୁଲ୍‌ ଥିବା ମଧ୍ୟ ଦୃଷ୍ଟିକୁ ଆସିଛି। ଏହା ଜଣାପଡ଼ିବା ପରେ ଉଚ୍ଚଶିକ୍ଷା ବିଭାଗ ଆହୁରି କଠୋର ହୋଇଛି।

publive-image

ସଚିବ ଶ୍ରୀ ମିଶ୍ର କହିଛନ୍ତି ଯେ ଏବେ ଯେଉଁମାନେ ନିଯୁକ୍ତି ପାଉଛନ୍ତି ସେମାନଙ୍କୁ ଦିଆଯାଇଥିବା କଲେଜରେ ଅତିକମ୍‌ରେ ୩ ବର୍ଷ ଯାଏ କାର୍ଯ୍ୟ କରିବେ। ତା’ ଭିତରେ ସେମାନଙ୍କ ବଦଳି ହୋଇପାରିବ ନାହିଁ। ଯଦି କୌଣସି ଅଧ୍ୟାପକ ବଦଳି ପାଇଁ ଆବେଦନ କରନ୍ତି ତାହାକୁ ଗ୍ରହଣ କରାଯିବ ନାହିଁ କି ଅନୁମତି ମିଳିବନି। ପୂର୍ବରୁ ଯେଉଁ ଧାରା ପ୍ରଚଳିତ ଥିଲା ସେଥିରେ ସଂସ୍କାର ଅଣାଯାଇଛି। କେତେକ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପଦକୁ ନେଇ ଟଣା‌ଓଟରା ହେଉଥିବା ନଜରକୁ ଆସିଛି। ନୂଆ କରି ଏସ୍‌ଏସ୍‌ବି ଦ୍ବାରା ନିଯୁକ୍ତ ହେଉଥିବା ଅଧ୍ୟାପକମାନେ ଅଧିକ ଦରମା ପାଉଥିବାରୁ ଅଧ୍ୟକ୍ଷ ପଦ ଲାଗି ଦାବି କରୁଛନ୍ତି। ତେବେ ତାହା ଯୁକ୍ତିଯୁକ୍ତ ନୁହେଁ। ଅଭିଜ୍ଞତା ଅନୁଯାୟୀ ହିଁ ଅଣଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବ। କଲେଜ ପରିଚାଳନା କମିଟି ପ୍ରସ୍ତାବ ପଠାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବଦଳି ପାଇଁ ଲବି ହେଉଥିବା ନେଇ ଖୋଦ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ସ୍ବୀକାର କରିଛନ୍ତି। ଶ୍ରୀ ସାହୁ କହିଛନ୍ତି ଯେ ପ୍ରତିଦିନ କେହି ନା କେହି ବଦଳି ପାଇଁ ମୋ ନିକଟକୁ ଆସୁଛନ୍ତି। ଅଧ୍ୟାପକମାନଙ୍କ ବଦଳି ପାଇଁ ମନ୍ତ୍ରୀ, ବିଧାୟକ ବି ଚାପ ପକାଉଛନ୍ତି। ତେବେ କୌଣସି ପରିସ୍ଥିତିରେ ଲବି କିମ୍ବା ଧରାଧରି ହୋଇ ବଦଳି କରାଯିବ ନାହିଁ। ଯଦି ବିଭାଗର କୌଣସି ବ୍ୟକ୍ତି ବଦଳି କରିଦେବେ ବୋଲି କହୁଥିବେ କିମ୍ବା ଟଙ୍କା ମାଗୁଥିବେ ଅଥବା ଚାପ ପକାଇବେ,ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।