ଏକକାଳୀନ ୧୨ ହସ୍ପିଟାଲରେ ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ, ସ୍ବାସ୍ଥ୍ୟସେବା ସମ୍ପର୍କରେ ସୂଚନା ମିଳିବ

ଭୁବନେଶ୍ବର : ସ୍ବାସ୍ଥ୍ୟସେବା ସଂପର୍କରେ ଜନସଚେତନତା ବୃଦ୍ଧି ତଥା ସ୍ବାସ୍ଥ୍ୟସେବା ସଂପର୍କରେ ସମସ୍ତ ଅପଡେଟ୍ ସୂଚନା ଦେବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଓ ଅନ୍ୟ ଡାକ୍ତରଖାନାରେ ଏଲଇଡି ଡିସପ୍ଲେ ବୋର୍ଡ ଉନ୍ମୋଚିତ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହାର ଉନ୍ମୋଚନ କରିଛନ୍ତି। ରାଜ୍ୟର ୧୨ଟି ସ୍ଥାନରେ ଏକକାଳୀନ ଏହି ବୋର୍ଡ ଉନ୍ମୋଚିତ ହୋଇଛି।

ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାରରେ ଏକା ସାଙ୍ଗରେ କ୍ୟାପିଟାଲ ହସ୍ପିଟାଲ, କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର, ଏସ୍‌ସିବି ମେଡିକା‌ଲ କଲେଜ, ଶିଶୁ ଭବନ, ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ, ଭିମସାର ବୁର୍ଲାରେ ଏହି ଏଲଇଡି ଡିସପ୍ଲେ ବୋର୍ଡ ଉନ୍ମୋଚିତ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ମ୍ୟାଲେରିଆ, କୀଟନାଶକ ସିଞ୍ଚନ, ଔଷଧୀୟ ମଶାରି ବ୍ୟବହାର, ଚେଙ୍କ, ଗର୍ଭବସ୍ଥାର ଲକ୍ଷଣ, ସ୍ତନ୍ୟପାନ, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଉଚ୍ଚ ରକ୍ତଚାପ, ଡାଇରିଆ, ଯକ୍ଷ୍ମା, ହାତଧୁଆ, ଶୌଚାଳୟ ବ୍ୟବହାର, ନିରାପଦ ଖାଦ୍ୟ, ପାନୀୟ ଜଳ ବ୍ୟବହାର, ତମାଖୁ ସେବନଠାରୁ ଦୂରେଇ ରହିବା, ଚକ୍ଷୁ ଦାନ, ଏଚ୍‌ଆଇଭି/ଏଡ୍‌ସ, କୁଷ୍ଠ, ଡେଙ୍ଗୁ, ମଧୁମେହ, ୧୦୮/୧୦୨ ଆମ୍ବୁଲାନ୍‌ସ, ନିରାମୟ, ଆମ କ୍ଲିନିକ୍, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କିତ ସୂଚନା ସମ୍ବଳିତ ଅଡିଓ ଭିଜୁଆଲ ପ୍ରଦର୍ଶିତ ହେବ। ପର୍ଯ୍ୟାୟକ୍ରମେ ଏହି ବୋର୍ଡଗୁଡ଼ିକରେ ବିଭିନ୍ନ ଜନସାଧାରଣଙ୍କ ପାଇଁ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂକ୍ରାନ୍ତ ସୂଚନା ପ୍ରଦର୍ଶନ କରାଯିବ।

ଆଜିର ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାରଙ୍କ ସମେତ ବିଭାଗର ସ୍ବତନ୍ତ୍ର ସଚିବ, ନିର୍ଦେଶକ ବୃନ୍ଦ ଓ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର