ଅର୍ଥ କମିସନ ଟଙ୍କା ଗିଳିଦେଲେ

ଏଲ୍‌ଇଡି ଲାଇଟ୍‌ ଲଗାଇବାରେ ବଡ଼ କେଳେଙ୍କାରୀ

ପଞ୍ଚାୟତରୁ ସଚିବାଳୟ ଯାଏ ଲମ୍ବିଛି ଚେର
ଜିଲ୍ଲାପାଳ ଓ ଦୁର୍ନୀତିଗ୍ରସ୍ତଙ୍କୁ ସରକାରୀ ସୁରକ୍ଷା

ଭୁବନେଶ୍ୱର : ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିସନ ଟଙ୍କା ବିନିଯୋଗ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ବଡ଼ ଧରଣର କେଳେଙ୍କାରୀ ଅଭିଯୋଗ ଉଠିଲାଣି। ଏହି ଅର୍ଥରେ କାର୍ଯ୍ୟକାରୀ ହେଉଥିବା ଅନ୍ୟ କାର୍ଯ୍ୟକ୍ରମ କଥା ଦୂରେ ଥାଉ, କେବଳ ଗାଁ ମାନଙ୍କରେ ଏଲ୍‌ଇଡି ଲାଇଟ୍‌ ଲଗାଇବା କ୍ଷେତ୍ରରେ ଦୁର୍ନୀତି ସୀମା ଟପିବାକୁ ବସିଛି। ପ୍ରତି ପଞ୍ଚାୟତରେ ଦିନ ଦିପହରରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ ଚଳାଇଛନ୍ତି ଠିକାଦାର-ରାଜନେତା-ସରକାରୀ କର୍ମଚାରୀ। ସବୁ ନିୟମକୁ ଦଳିଚକଟି ଦିଆଯାଉଛି ଓ ବ୍ୟବସ୍ଥାର ଆଖିରେ ଆଙ୍ଗୁଠି ଗେଞ୍ଜି ଏହି ଦୁର୍ନୀତି ଖୋଲାମେଲାରେ ଚାଲିଛି। ସମୁଦାୟ ରାଜ୍ୟକୁ ୟୁନିଟ୍‌ ଭାବେ ଗ୍ରହଣ କଲେ, ଦୁର୍ନୀତିର ଆକାର କେତେ ବିଶାଳ ହେବ କଳ୍ପନା କରିବା କଷ୍ଟ।

ସବୁଠାରୁ ବଡ଼ କଥା ହେଲା, ରାଜ୍ୟ ସରକାର ଏ କେଳେଙ୍କାରୀ ସଂପର୍କରେ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ମଧ୍ୟ ଖବର ଅଛି। ହେଲେ ମାର୍‌ ମାର୍‌ ଭଣ୍ଡାରିଆକୁ ମାର୍‌ ନ୍ୟାୟରେ ଜଣେ ଦୁଇଜଣ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ଅଟକିଯାଇଛି ସରକାରଙ୍କ ତଥାକଥିତ ଦୁର୍ନୀତି ବିରୋଧୀ ହାତ। ରାଜନେତା ଓ ପ୍ରଭାବଶାଳୀ ଅଫିସରଙ୍କ ପର୍ଯ୍ୟନ୍ତ ଏହି ଦୁର୍ନୀତି ଚେର ଲମ୍ବିଥିବା କାରଣରୁ ସମ୍ଭବତଃ କେଉଁଠି ନା କେଉଁଠି ବ୍ୟବସ୍ଥା ଚାପଗ୍ରସ୍ତ ହୋଇଯାଉଛି। ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି କେହି ସାହସ ଜୁଟାଇ ପାରୁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିସନ ଟଙ୍କାରେ ପ୍ରତି ଗାଁର ଆଲୋକୀକରଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମ କିଭଳି କରାଯିବ, ସେ ନେଇ ଅର୍ଥ ବିଭାଗର ତତ୍କାଳୀନ ସଚିବ ଦାୟିତ୍ୱରେ ଥିବା ବର୍ତ୍ତମାନର ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌ ଏକ ନିର୍ଦେଶନାମା ଜାରି କରିଥିଲେ। ପରବର୍ତ୍ତୀ ସମୟରେ ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହ, ବିଭାଗର ପୂର୍ବତନ ନିର୍ଦେଶକ ଦେବପ୍ରସାଦ ଦାସ, ହେମନ୍ତ କୁମାର ପାଢୀ ପ୍ରମୁଖ ଏହି ଅର୍ଥ କିଭଳି ବିନିଯୋଗ ହେବ, କେତେ ଟଙ୍କା ଖର୍ଚ୍ଚ ହେବ, ଏଲ୍‌ଇଡି ଦର ଆଦି ନେଇ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ପଞ୍ଚାୟତିରାଜ ବିଭାଗର ଜଣେ ଅଧିକାରୀଙ୍କ କହିବାନୁସାରେ, ଗୋଟିଏ ପଞ୍ଚାୟତକୁ ହାରାହାରି ବାର୍ଷିକ ୫୦ରୁ ୬୦ଲକ୍ଷ ଟଙ୍କା ଅନୁଦାନ ମିଳୁଛି। ଏଥିରୁ ସର୍ବାଧିକ ୩୦ ପ୍ରତିଶତ ଅର୍ଥ ଆଲୋକୀକରଣ ବାବଦରେ ଖର୍ଚ୍ଚ ହୋଇପାରିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଯେଉଁଥିରେ କି ପ୍ରକଳ୍ପ ନିର୍ଦେଶକ, ବିଦ୍ୟୁତ ବଣ୍ଟନ କଂପାନିର ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପଞ୍ଚାୟତ ଅଫିସର, ସଂପୃକ୍ତ ବ୍ଲକର ବିଡିଓ ପ୍ରମୁଖ ସଦସ୍ୟ ରହି ଟେଣ୍ଡର ଆହ୍ଵାନ କରି ଲାଇଟ୍‌ ଲଗାଇବେ। ପ୍ରତି ବଡ଼ ଗାଁରେ ଦଶଟି, ସ୍ଥଳ ବିଶେଷରେ ପାଞ୍ଚଟି ଓ ପଡ଼ା ଗାଁରେ ଗୋଟିଏ ଦୁଇଟି ଲାଇଟ୍‌ ଲଗାଇବା ପାଇଁ ସରକାର କହିଛନ୍ତି। ଏହାଦ୍ୱାରା ସହର ଭଳି ଗାଁ ଗଣ୍ଡା ବି ଆଲୋକିତ ହେବ ବୋଲି ସରକାର ଆଶା କରିଛନ୍ତି।

ହେଲେ ସରକାରଙ୍କ ଏହି ବିଶାଳ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଘଳିଆ ପଡ଼ିଲାଣି ଓ ଗାଁ ଆଲୁଅ କରୁ କରୁ ସରକାର ଦୁର୍ନୀତିର ଅନ୍ଧାର ଭିତରକୁ ମାଡ଼ି ଚାଲିଥିବା ଦେଖାଗଲାଣି। ଗୋଟିଏ ଦୁଇଟି ଉଦାହରଣ ଏହି ଦୁର୍ନୀତିର ବିଶାଳତା ସଂପର୍କରେ ସୂଚାଇ ଦେଉଛି।

ତଥ୍ୟ ଅନୁସାରେ, ଯାଜପୁର ଜିଲ୍ଲା ପାଇଁ ଜିଲ୍ଲା ପ୍ରଶାସନ ଏଲ୍‌ଇଡି ଲାଇଟ୍‌ ଲଗାଇବା ପାଇଁ ଟେଣ୍ଡର କରିଥିଲେ। ଏଥିରେ ମେସର୍ସ ବିରଜା ଇଲେକ୍ଟ୍ରିକାଲ୍ସ ଓ କନ୍‌ଷ୍ଟ୍ରକସନ୍‌, ମେସର୍ସ ବାସନ୍ତୀ ଇଲେକ୍ଟ୍ରିକାଲ୍‌ ଆଣ୍ଡ କନଷ୍ଟ୍ରକସନ୍‌, ମେସର୍ସ ନମଃ ଶିବାୟ ଏଣ୍ଟରପ୍ରାଇଜର୍ସ ଓ ମେସର୍ସ ମନୋରମା ଇଲେକ୍ଟ୍ରିକାଲ୍‌ସ ଭାଗ ନେଇଥିଲେ। ଟେଣ୍ଡର ସ୍ତରରୁ ମେସର୍ସ ନମଃ ଶିବାୟ ଏଣ୍ଟରପ୍ରାଇଜର୍ସ ଓ ମେସର୍ସ ମନୋରମା ଇଲେକ୍ଟ୍ରିକାଲ୍‌ସକୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହା ତଦନ୍ତ ସାପେକ୍ଷ। ହେଲେ ଏହି ଦୁଇଟି ସଂସ୍ଥା ଯଥାକ୍ରମେ ଗୋଟିଏ ଲାଇଟ୍‌ ଲଗାଇବା ପାଇଁ ୨୩ ହଜାର ୩୪ ଟଙ୍କା ଓ ୩୩ ହଜାର ୯୫୦ ଟଙ୍କା ଉଲ୍ଲେଖ କରିଥିଲେ। ତେବେ ବାସନ୍ତୀ ଇଲେକ୍ର୍ଟିକାଲ୍‌ସ ଲାଇଟ୍‌ ପିଛା ୫୮ ହଜାର ୮୧୯ ଟଙ୍କା ଦର୍ଶାଇଥିବା ବେଳେ ବିରଜା ଇଲେକ୍ର୍ଟିକାଲ୍‌ସ ୫୪ ହଜାର ୫୦୪ ଟଙ୍କା ଉଲ୍ଲେଖ କରିଥିଲା। ଜିଲ୍ଲା ପ୍ରଶାସନ ବିରଜା ଇଲେକ୍ର୍ଟିକାଲ୍‌ସକୁ ସର୍ବନିମ୍ନ ଟେଣ୍ଡରଧାରୀ ବୋଲି ଦର୍ଶାଇ ଲାଇଟ୍‌ ଲଗାଇବା ଦାୟିତ୍ୱ ଦେଇଥିଲେ।

ଯଦିଓ ନବକଳେବର ସମୟରେ ଏହାଠାରୁ ଯଥେଷ୍ଟ କମ୍‌ରେ ସେସୁ କର୍ତ୍ତୃପକ୍ଷ ଲାଇଟ୍‌ ଲଗାଇଛନ୍ତି ଓ ଏ ନେଇ ଜିଲ୍ଲାପାଳମାନଙ୍କୁ ଜଣାଇଛନ୍ତି; ତଥାପି ଜିଲ୍ଲା ପ୍ରଶାସନ ସରକାରକା ମାଲ୍‌ ଦରିଆମେ ଡାଲ୍‌ ନ୍ୟାୟରେ ନେଗୋସିଏସନ୍‌ ଆଦି ନ କରି ଆଖି ବୁଜି ଟେଣ୍ଡରକୁ ଅନୁମତି ଦେଇଥିଲେ। ଏ କେଳେଙ୍କାରୀର ବିଶାଳତା ଓ ଯାଜପୁର ଜିଲ୍ଲା ପ୍ରଶାସନର ଦୁର୍ନୀତି ଧରାପଡିନଥାନ୍ତା, ଯଦି ସଂପୃକ୍ତ ବିରଜା ଇଲେକ୍ଟ୍ରିକାଲ୍‌ସ ପଡ଼ୋଶୀ ଜିଲ୍ଲା ଭଦ୍ରକରେ ପାଖାପାଖି ୧୮ ହଜାର ଟଙ୍କା କମ୍‌ ଅର୍ଥାତ୍‌ ୩୬ ହଜାର ୭୧୪ ଟଙ୍କାରେ ଏହି ଲାଇଟ୍‌ ଦେବା ଲାଗି ଟେଣ୍ଡର ନେଇନଥାନ୍ତା।

କେଉଁ ପରିସ୍ଥିତିରେ ଦୁଇଟି ଜିଲ୍ଲା ମଝିରେ ଟେଣ୍ଡରରେ ଏତେ ତାରତମ୍ୟ ହେଲା, ସେ ନେଇ ଜିଲ୍ଲା ପ୍ରଶାସନକୁ ନା ପଞ୍ଚାୟତିରାଜ ବିଭାଗ ଜବାବ ମାଗୁଛି ନା ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୋଧୀ ହାତ ଯାଜପୁର ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ଏହାର କାରଣ ଖୋଜୁଛି। କୌତୂହଳର କଥା ହେଲା, ଯାଜପୁର ଜିଲ୍ଲାର ଅଧିକାରୀମାନେ ତରବରିଆ ଭାବେ କୋଟି କୋଟି ଟଙ୍କାର ଲାଇଟ୍‌ କିଣିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ତୁରନ୍ତ ଏହି ସଂସ୍ଥାକୁ କିଭଳି ପ୍ରାପ୍ୟ ମିଳିବ ସେ ନେଇ କର୍ତ୍ତୃପକ୍ଷ ନିଜ ହାତ କାଟି ଲେଖିବାକୁ ପଛଘୁଞ୍ଚା ଦେଇନାହାନ୍ତି।

ଏହି ଦୁର୍ନୀତିକୁ ନେଇ ଖୋଳତା଼ଡ଼ କଲାବେଳେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେଲାଣି। କେନ୍ଦ୍ରାପଡ଼ା ଜିଲ୍ଲାକୁ ଏଲ୍‌ଇଡି ଲାଇଟ୍‌ ଯୋଗାଇବା ପାଇଁ ମେସର୍ସ ଗ୍ରୀନ୍‌ ଇନୋଭେଟିଭ୍‌ ପାଓ୍ଵାର ଲିମିଟେଡ୍‌କୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ପାଖାପାଖି ୨୬ ହଜାର ୭୬୬ ଟଙ୍କାରେ ଗୋଟିଏ ଗୋଟିଏ ଲାଇଟ୍‌ ଲଗାଇବ। କେନ୍ଦ୍ରାପ଼ଡ଼ା ଜିଲ୍ଲା ପ୍ରଶାସନ ସଂପୃକ୍ତ ସଂସ୍ଥାକୁ ୨ କୋଟି ୩୮ଲକ୍ଷ ୫୦ ହ଼ଜାର ଟଙ୍କାର ଟେଣ୍ଡର ଦେଇଛି। ପୁରୀ ଜିଲ୍ଲାରେ ମଧ୍ୟ ଯଥେଷ୍ଟ କମ୍‌ ଅର୍ଥରେ ଏଲ୍‌ଇଡି ଲାଇଟ୍‌ କିଣା ଟେଣ୍ଡର ହୋଇଛି।

ଗୋଟିଏ ଯୋଜନା, ଗୋଟିଏ ନିୟମ। ଅଥଚ ବିଭିନ୍ନ ଜିଲ୍ଲାରେ ଏଲ୍‌ଇଡି ଲାଇଟ୍‌ ଲଗାଇବା ଅର୍ଥରେ ଏତେ ଫରକ ଘଟଣା ଗାଁ ଗଣ୍ଡା ପର୍ଯ୍ୟନ୍ତ ଅସନ୍ତୋଷ ବିଛାଡ଼ିଲାଣି। ସର୍ବୋପରି ଗୋଟିଏ ସଂସ୍ଥା ଦୁଇଟି ଜିଲ୍ଲାରେ ପାଖାପାଖି ୧୮ଲକ୍ଷ ଟଙ୍କା ବ୍ୟବଧାନରେ କିଭଳି ଲାଇଟ୍‌ ଯୋଗାଇଲା, ତାହା ମଧ୍ୟ କେହି ବୁଝିପାରୁନାହାନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସ୍ୱଚ୍ଛତାକୁ ପ୍ରତିପାଦିତ କରିବା ଲାଗି ଢେର୍‌ କସରତ ଚଳାଇଛନ୍ତି। ପୁରସ୍କାର ପରେ ପୁରସ୍କାର ଆଣି ରାଜ୍ୟର ଓ ନିଜର ପତିଆରା ବଢ଼ାଉଛନ୍ତି। ହେଲେ ତାଙ୍କ ଜିଲ୍ଲାପାଳ ଓ ଅଧିକାରୀ ଶାସକ ଦଳର ନେତାଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କାର ଅର୍ଥ ହଡ଼଼ପ କରିବା ଘଟଣା ଗାଁ ଗଣ୍ଡାରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଆଗକୁ ନିର୍ବାଚନ ଥିବା ପରିପ୍ରେକ୍ଷୀରେ ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିସନ ଅନୁଦାନ କେଳେଙ୍କାରୀ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହେବ ବୋଲି ବୁଦ୍ଧିଜୀବୀ ମହଲ ଏବେ ଠାରୁ ଭବିଷ୍ୟବାଣୀ କଲେଣି।

ସମ୍ବନ୍ଧିତ ଖବର