ବ୍ରହ୍ମପୁର : ବିଦ୍ୟୁତ ଶକ୍ତିର ଅପଚୟକୁ ରୋକିବା ସହ ସହରରେ ଆଲୋକୀକରଣ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏଲ୍ଇଡି ଯୋଜନା। ଏହି ଯୋଜନାରେ ପୂର୍ବରୁ ଲାଗିଥିବା ଟ୍ୟୁବ୍ ଲାଇଟ୍, ସୋଡିୟମ୍ ଲାଇଟ୍ ଓ ହାଇମାଷ୍ଟ ଲାଇଟ୍ ଗୁଡିକୁ ପରିବର୍ତ୍ତନ କରାଯାଇ ସେଠାରେ ଏଲଇଡି ଲାଇଟ୍ ଲଗାଯିବ । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଗତ ୨୦୧୬ରେ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ରାଜ୍ୟର ପ୍ରଥମ ସହର ଭାବେ ବ୍ରହ୍ମପୁର ସହରକୁ ଏହି ଯୋଜନାରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯାଇଥିଲା। ଏହାର ସର୍ଭେ କରାଯାଇ ଡିପିଆର୍ ବି ପ୍ରସ୍ତୁତ କରାଯାଇଥିଲା। ଏହି ଯୋଜନାରେ ସମୁଦାୟ ଖର୍ଚ୍ଚର ୮୦ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ସରକାର ଓ ମହାନଗର ନିଗମ ୧୦ ପ୍ରତିଶତ ଲେଖାଏଁ ଅର୍ଥ ଖର୍ଚ୍ଚ କରିବ।
ଯୋଜନାନୁଯାୟୀ ସହରରେ ୧୨ହଜାର ଏଲଇଡି ଲାଇଟ୍ ପାଇଁ ୧୦କୋଟି ୨୭ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସ˚କେତ ମିଳିବା ସହ ଅନୁଦାନ ଆସିବା ପରେ ଦିଲ୍ଲୀର ଏକ ଘରୋଇ ସ˚ସ୍ଥାକୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଚୁକ୍ତି ଅନୁଯାୟୀ ୨୦୧୮ଶେଷ ସୁଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ସହ ଆଗାମୀ ୭ବର୍ଷ ପାଇଁ ଏହାର ସମସ୍ତ ପରିଚାଳନା ଦାୟିତ୍ବ ସଂପୃକ୍ତ ଘରୋଇ ସ˚ସ୍ଥା ବହନ କରିବ। ଇତି ମଧ୍ୟରେ ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ବିତିଯାଇଥିଲେ ହେଁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ । ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ପ୍ରତିବର୍ଷ ସମୟ ସୀମା ବୃଦ୍ଧି କରାଯାଉଥିବା ବେଳେ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ଶେଷ କରିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ଏହି ସମୟସୀମା ଶେଷ ହୋଇଯାଇଥିଲେ ହେଁ ଆଜି ବି ସହରରେ ୪ଶହରୁ ଉର୍ଦ୍ଧ୍ବ ଏଲଇଡି ଲାଗିବାକୁ ବାକି ରହିଛି। ଆଜି ସୁଦ୍ଧା ୧୧ହଜାର ୬ଶହ ଏଲଇଡି ଲାଗିଥିବା ବେଳେ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ନିଗମର ବିଦ୍ୟୁତ ବିଭାଗ ପକ୍ଷରୁ ଜଣାପଡିଛି। ପ୍ରକଳ୍ପ କାର୍ଯ୍ୟରେ ମନ୍ଥରତା ଯୋଗୁଁ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ନେଇ ଏହା କାର୍ଯ୍ୟକାରୀ କରାଯାଇଛି ତାହା ଦିଗଭ୍ରଷ୍ଟ ହୋଇଯାଇଛି ।
ଗୋଟିଏ ବର୍ଷ ମଧ୍ୟରେ ଏହା ସମାପନ ହୋଇଥିଲେ ଶକ୍ତି ଅପଚୟକୁ ରୋକାଯିବା ସହ ଅଯଥା ବିଦ୍ୟୁତ୍ ବିଲ୍କୁ ବି ଏଡାଯାଇପାରିଥାନ୍ତା । ପ୍ରକଳ୍ପ ସଂପୂର୍ଣ୍ଣ ନହେବା ଫଳରେ ବିଦ୍ୟୁତ୍ ଶୁଳ୍କର ବୋଝ ବୋହୁଛି ନିଗମ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଅଯଥା ବିଦ୍ୟୁତ୍ ଖର୍ଚ୍ଚକୁ ଏହାଯିବା ସହ ପ୍ରମୁଖ ଛକରେ ଲଗାଯାଇଥିବା ହାଇମାଷ୍ଟ ଲାଇଟ୍ ଗୁଡିକ ରାତି ୧୦ଟାରୁ ୩ଟା ପର୍ଯ୍ୟନ୍ତ ସ୍ବୟଂଚାଳିତ ଭାବେ ଆଲୋକୀକରଣ କମିଯିବ । ଫଳରେ ବିଦ୍ୟୁତ୍ ସଂରକ୍ଷଣ ହୋଇପାରିବ ବୋଲି କୁହାଯାଇଛି। ଏହି ପ୍ରକଳ୍ପର ମୁଖ୍ୟ ମନିଟରଟି ନିଗମ କର୍ତ୍ତୃପକ୍ଷଙ୍କ ନିକଟରେ ରହିବ। ଫଳରେ ନିଗମ କର୍ତ୍ତୃପକ୍ଷ ବି ସହରର କେଉଁ ଅଞ୍ଚଳର କେଉଁ ସମସ୍ୟା ରହିଛି ତାହା ଅବଗତ ହୋଇପାରିବେ। ନିଗମ କର୍ତ୍ତୃପକ୍ଷ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ସଂପୃକ୍ତ ଠିକା ସଂସ୍ଥାକୁ ତାଗିଦ୍ କରିବା ସତ୍ବେ ଏହାର ସୁଫଳ ମିଳିପାରୁନାହିଁ। ସଂପୃକ୍ତ ଠିକାସଂସ୍ଥା ବ୍ରହ୍ମପୁର ମହାନିଗମ ସମେତ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ ଏହି ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଯୋଗୁଁ ବିଳମ୍ବ ହେଉଥିବା ନିଗମ ପକ୍ଷରୁ କୁହାଯାଇଛି। ବିଭିନ୍ନ ସମୟରେ ସାଉଥ୍କୋର ବିଦ୍ୟୁତ ସ˚ଯୋଗ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଯୋଗୁଁ ଏହି ପ୍ରକଳ୍ପ ନିର୍ଦ୍ଦାରିତ ସମୟସୀମା ମଧ୍ୟରେ ଶେଷ ହୋଇପାରିନାହିଁ ବୋଲି ନିଗମର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ତଥା ବିଦ୍ୟୁତ ବିଭାଗରେ ଦାୟିତ୍ବରେ ଥିବା ଯନ୍ତ୍ରୀ ସୀମାଞ୍ଚଳ ଷଡଙ୍ଗୀ ସୂଚନା ଦେଇଛନ୍ତି। ଆଗାମୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ଆଶା କରାଯାଉଛି ବୋଲି ସେ କହିଛନ୍ତି।