ଠିକାଦାରଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ପିଡି ବ୍ୟସ୍ତ
ଜିଲ୍ଲାପାଳ ଚୁପ୍, ସରକାର ବି ବେଫିକର
ଭୁବନେଶ୍ୱର : ଚତୁର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିସନ ଟଙ୍କାରେ ରାଜ୍ୟର ଗାଁ ଗଣ୍ଡାରେ ଆଲୋକୀକରଣ କାର୍ଯ୍ୟରେ ଚାଲିଥିବା ବଡ଼ ଧରଣର କେଳେଙ୍କାରୀ ନେଇ ଧୀରେ ଧୀରେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏଲ୍ଇଡି ଲାଇଟ୍ ଲଗାଇବା କ୍ଷେତ୍ରରେ ବାବୁମାନେ ସବୁ ନିୟମର ତଣ୍ଟି ଚିପି କେବଳ କୋଟି କୋଟି ଟଙ୍କାର ସରକାରୀ ଅର୍ଥ ବରବାଦ ପାଇଁ ବାଟ ଖୋଲିଛନ୍ତି ତା ନୁହେଁ, ଠିକାଦାରଙ୍କୁ ଅନୁକମ୍ପା ଦେଖାଇବା ଲାଗି ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି। ଗୋଟିଏ ପଟେ କେଳେଙ୍କାରୀ ଉପରେ ପରଦା ଢାଙ୍କିବା ଲାଗି ଜଣେ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଥଚ ଏହି ପ୍ରକଳ୍ପରେ ଲାଇଟ୍ ଲଗାଇଥିବା ବିରଜା ଇଲେକ୍ର୍ଟିକାଲ୍ସ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ ଲାଗି ଖୋଦ୍ ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅତ୍ୟନ୍ତ ବେଫିକର ଭାବେ ଚାପ ସୃଷ୍ଟି କରିିବାକୁ ଭୁଲିନାହାନ୍ତି। ଏହି ଘଟଣା ଜିଲ୍ଲା ପ୍ରଶାସନର ସ୍ୱଚ୍ଛତାକୁ ସନ୍ଦେହ ଭିତରକୁ ଟାଣିଆଣୁଛି।
କାରଣ, ସାଧାରଣ ଲୋକଟିଏ ତାର ଉପଯୁକ୍ତ ପ୍ରାପ୍ୟ ପାଇବା ପାଇଁ ସରକାରୀ ଦପ୍ତର ବାରଣ୍ଡାରେ ଫି ଦିନ ମୁଣ୍ଡ କୋଡ଼ି କାନ୍ଦୁଛି, ନିରାଶ ହୋଇ ଫେରୁଛି। କେବଳ ଯାଜପୁର ନୁହେଁ, ଓଡ଼ିଶାର ଯେଉଁ ବ୍ଲକକୁ ଗଲେ ସେଠାରେ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିବ।
ତଥାପି ନିର୍ଦୟ ପ୍ରଶାସନ ସେଥିପ୍ରତି ନଜର ଦେଉନାହିଁ। ମାତ୍ର ଆଲୋକୀକରଣ କେଳେଙ୍କାରୀ ପଛରେ ଠିକାଦାର-ରାଜନେତା-ସରକାରୀ କର୍ମଚାରୀଙ୍କ ସଲାକୁସ୍ତି ଏତେ ଗହନ ଯେ ଠିକାଦାରଙ୍କ ବିଲ୍ ଅଟକିଗଲେ, ବାବୁ ବିଚଳିତ ହୋଇପଡୁଛନ୍ତି। ସଂପୃକ୍ତ ଠିକାଦାରଙ୍କ ସମସ୍ତ ବିଲ୍ ପୈଠ କରିବା ଲାଗି ନିର୍ଦେଶ ଦେଇଛନ୍ତି ଖୋଦ୍ ପିଡି।
ଉଲ୍ଲେଖଯୋଗ୍ୟ, ଭଦ୍ରକ ଜିଲ୍ଲା ଟେଣ୍ଡରକୁ ବିଚାରକୁ ନେଲେ ଯାଜପୁର ଜିଲ୍ଲାରେ ଗୋଟିଏ ଗୋଟିଏ ଏଲ୍ଇଡି ଲାଇଟ୍ ସିଷ୍ଟମ୍ ପାଇଁ ୧୮ହଜାର ଟଙ୍କା ପର୍ଯ୍ୟନ୍ତ ଅଧିକ ଅର୍ଥ ବରବାଦ କରିଛନ୍ତି ଜିଲ୍ଲା ପ୍ରଶାସନ। ଅନ୍ୟ ଜିଲ୍ଲାର ଟେଣ୍ଡରକୁ ଦେଖିଲେ ଗୋଟିଏ ଗୋଟିଏ ଲାଇଟ୍ କ୍ଷେତ୍ରରେ ଏହି ପରିମାଣ ହାରାହାରି ୨୦ ହଜାର ଟଙ୍କା ହେବ। ଏତେ ବଡ଼ କେଳେଙ୍କାରୀ ଜଣାପଡିବା ପରେ ବି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତିରାଜ ବିଭାଗ, ଜିଲ୍ଲା ପ୍ରଶାସନ ସମସ୍ତେ ହାତ ବାନ୍ଧି ବସିଛନ୍ତି।
ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ତଥ୍ୟ ସୂଚାଉଛି ଯେ ଜିଲ୍ଲାର ସବୁ ଗାଁରେ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ (୨ବର୍ଷ ପାଇଁ) ପାଖାପାଖି ୫୬ଲକ୍ଷ ଟଙ୍କାର ଟେଣ୍ଡର ଆହ୍ଵାନ କରାଯାଇଥିଲା। ଅନୁସନ୍ଧାନରୁ ଜଣାପଡୁଛି, ଏହି ଟେଣ୍ଡରକୁ ଢାଲ କରି ଜିଲ୍ଲାରେ କିନ୍ତୁ କୋଟି କୋଟି ଟଙ୍କାର ଲାଇଟ୍ ଲଗାଯାଇଛି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ବଡ଼ଚଣା ବ୍ଲକର ମାଣ୍ଡୁକା ପଞ୍ଚାୟତକୁ ଉଦାହରଣ ଭାବେ ନେଲେ, ଏହି କେଳେଙ୍କାରୀର ବିଶାଳତା ଯେ କେହି ମାପିପାରିବ।
ଖୋଦ୍ ରାଜ୍ୟ ସରକାରଙ୍କ ଚିଠି ବୟାନ କରୁଛି ଯେ ଏହି ପଞ୍ଚାୟତର ଭାକୁଦା, ଦୌଲତପୁର, କ୍ରିଷ୍ଣଦାସପୁର ଗାଁରେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ଚତୁର୍ଥ ଅର୍ଥ କମିସନ ଅନୁଦାନରେ ୨ଲକ୍ଷ ୨୦ ଟଙ୍କାର ଲାଇଟ୍ କିଣାଯାଇଛି। ସେହି ତିନିଟି ଗାଁରେ ଚତୁର୍ଦଶ ଅର୍ଥ କମିସନ ଟଙ୍କାରେ ଆଉ ୭ଲକ୍ଷ ୯୯ ହଜାର ୭୩୫ ଟଙ୍କାର ଲାଇଟ୍ ଲଗାଯାଇଛି।
୨୦୧୬-୧୭ ଆର୍ଥିକ ବର୍ଷରେ ମଧ୍ୟ ଏହି ତିନିଟି ଗାଁରେ ପାଖାପାଖି ୧୦ଲକ୍ଷ ଟଙ୍କାର ଲାଇଟ୍ ଲାଗିଛି। ଏହିପରି ସମୁଦାୟ ୧୯ଲକ୍ଷ ୯୯ ହଜାର ୬୪୫ଟଙ୍କାର ଲାଇଟ୍ ଲାଗିଛି। ସମୁଦାୟ ଜିଲ୍ଲା ପାଇଁ ୫୬ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଚାର ହୋଇଥିଲେ ହେଁ, ଏହି ପଞ୍ଚାୟତରେ କେବଳ ଏକ ତୃତୀୟାଂଶ ଅର୍ଥ ଖର୍ଚ୍ଚ ହୋଇଛି।
କୌତୂହଳର କଥା ହେଉଛି, ଉପରସ୍ତରରେ ଅର୍ଥାତ୍ ନେତା-ବାବୁ-ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଲାଇଟ୍ କେଳେଙ୍କାରୀର ନକ୍ସା ପ୍ରସ୍ତୁତ କରାଯାଇଥିଲେ ହେଁ, ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ତଳିଆ କର୍ମଚାରୀ ଓ ପ୍ରତିନିଧିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜିଲ୍ଲାପାଳ ଓ ରାଜ୍ୟ ସରକାର ହାତ ଝାଡ଼ି ଦେଇଛନ୍ତି। ମାଣ୍ଡୁକା ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଓ ନିର୍ବାହୀ ଅଧିକାରୀ ଗଣପତି ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ପ୍ରଶ୍ନ ଉଠୁଛି, ଗୋଟିଏ ପଞ୍ଚାୟତର ସ୍ଥିତି ଯଦି ଏମିତି, ତେବେ ଯେ କେହି ଅନୁମାନ କରିପାରେ ବଡ଼ଚଣାର ବାକି ପଞ୍ଚାୟତ, ଦଶରଥପୁର, ବିଞ୍ଝାରପୁର ଆଦି ଅନ୍ୟ ବ୍ଲକ ଅଧୀନସ୍ଥ ୩୧୧ ପଞ୍ଚାୟତରେ ଏହି କେଳେଙ୍କାରୀର ସ୍ୱରୂପ କେତେ ବିଶାଳ ରୂପ ନେଇଥିବ?
ଏତେ ବଡ଼ ଦୁର୍ନୀତି ହେବା ପରେ ସ୍ୱାଭାବିକ ଭାବେ ସଂପୃକ୍ତ ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା କଥା। ଘଟଣାର ତଦନ୍ତ ନ ସରିବା ପର୍ଯ୍ୟନ୍ତ ତାଙ୍କ ବିଲ୍ ପୈଠ କରାଯିବା ଉଚିତ୍ ନୁହେଁ। ହେଲେ ବାବୁମାନଙ୍କର ବିରଜା ଇଲେକ୍ର୍ଟିକାଲ୍ସ ପ୍ରତି ପ୍ରୀତି ଏତେ ଯେ ଖୋଦ୍ ପ୍ରକଳ୍ପ ନିର୍ଦେଶକ ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ଲାଗି ତାଗିଦ୍ କରିଛନ୍ତି। ୨୦୧୭ ଡିସେମ୍ବର ୧୮ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ପ୍ରକଳ୍ପ ନିର୍ଦେଶକ ଲେଖିଛନ୍ତି, ବଡ଼ଚଣାର ୧୬ଟି ପଞ୍ଚାୟତ ମଧ୍ୟରୁ ୫ଟି ପଞ୍ଚାୟତରେ ଲାଇଟ୍ ଲାଗିଛି। କିନ୍ତୁ ଠିକାଦାର ତାଙ୍କ ପ୍ରାପ୍ୟ ପାଇନାହାନ୍ତି। ଏଣୁ ବିରଜା ଇଲେକ୍ର୍ଟିକାଲ୍ସର ବକେୟା ପେମେଣ୍ଟ ବା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ଲାଗି ପଞ୍ଚାୟତକୁ ଆବଶ୍ୟକ ନିର୍ଦେଶ ଦିଆଯାଉ। କେବଳ ସେତିକି ନୁହେଁ, ବାକି ୧୧ଟି ପଞ୍ଚାୟତରେ ତୁରନ୍ତ ଲାଇଟ୍ ଲଗାଇବାକୁ ମଧ୍ୟ ଆଗ୍ରହ ଦେଖାଇଛନ୍ତି।
ପ୍ରଶ୍ନ ଉଠୁଛି, ଗତ ଅକ୍ଟୋବର ମାସରୁ ମାଣ୍ଡୁକା ପଞ୍ଚାୟତରେ ଦୁର୍ନୀତି ପଦାକୁ ଆସିଲାଣି। ସେହିମାସ ୧୮ ତାରିଖରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାର ୨ମାସ ପରେ ପ୍ରକଳ୍ପ ନିର୍ଦେଶକ ଠିକାଦାରଙ୍କ ପାଇଁ ବ୍ୟସ୍ତ ହୋଇପଡୁଛନ୍ତି, ଅଥଚ ସରକାରଙ୍କ ଅର୍ଥ ବରବାଦ ହୋଇଛି, ଆଇନ ଫାଙ୍କି ଗାଁ ଗାଁରେ ସଲାକୁସ୍ତିରେ ଲାଇଟ୍ ଲଗାଯାଇଛି, ସେ ନେଇ ଅନୁସନ୍ଧାନ କରିବାକୁ ଚାହିଁଲେ ନାହିଁ କାହିଁକି? ଜିଲ୍ଲାପାଳ ଏହି ଘଟଣାରେ ହାତ ବାନ୍ଧି ବସିଯିବା ପଛର କାରଣ କ’ଣ? ରାଜ୍ୟ ସରକାର ଏସବୁ ଜାଣିବା ପରେ ବି ଚୁପ୍ ବସିଛନ୍ତି କାହିଁକି? ଦୁର୍ନୀତିମୁକ୍ତ ଶାସନ କଥା କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଆଲୋକୀକରଣ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦେବା ପାଇଁ ପଛଘୁଞ୍ଚା ଦେବା ପଛରେ କାହାର ଚାପ ରହିଛି? ଠିକାଦାରଙ୍କ ହାତ ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି ନା ବିଜେଡି କାର୍ପଟଦାରଙ୍କର ଏଥିରେ ସଂପୃକ୍ତି ରହିଛି?