ରାଉରକେଲା: ଦୁଇ ପୁଅଙ୍କୁ ଲାଳନପାଳନ କରି ବଡ଼ କଲି। ଦୁହିଁଙ୍କୁ ବିବାହ ମଧ୍ୟ କଲି। ବିବାହ ପରେ ଦୁହେଁ ମୋତେ ଛାଡି ଚାଲିଗଲେ। ଥରୁଟିଏ ମୋ ଦୁଃଖ ଶୁଣିଲେନି। ପତ୍ନୀ ମଧ୍ୟ ଆରପାରିକୁ ଚାଲିଗଲେ। ଯେଉଁ ସମୟରେ ପରିବାର ସହ ହସ ଖୁସିରେ କଟାଇବା କଥା, ସେହି ବୟସରେ ଅନ୍ଧୁଣୀ ଝିଅକୁ ସାହାରା କରି ବଞ୍ଚିଛି। ରୋଜଗାର କରିବାକୁ ଜୁ ପାଉ ନଥିବାରୁ ଦିନକୁ ଦୁଇ ଓଳା ଠିକ୍‌ ଭାବେ ଖାଇବାକୁ ପାଉନି। ଏମିତି ଦୁଃଖଦ କାହାଣୀ ବଖାଣିଛନ୍ତି ସେକ୍ଟର-୨୧ ନୟାବଜାର ଅଞ୍ଚଳର ସହଦେବ କୁଡୁମୀ। ବୟସ ୭୦ରୁ ଅଧିକ। ଗରିବ କଲ୍ୟାଣ ପାଇଁ ସରକାରଙ୍କ କେତେ କ’ଣ ଯୋଜନା ରହିଛି। ଅନେକ ଯୋଜନା ସହଦେବଙ୍କ ପାଇଁ ସାତସପନ ପାଲଟିଛି। ଘର ଖଣ୍ଡିଏ ନଥିବାରୁ ବର୍ଷ ବର୍ଷ ଧରି ଝୁମ୍ପୁଡି ଘରେ ଜୀବନ ଅତିବାହିତ କରୁଛନ୍ତି। କେବଳ ଏତିକି ନୁ‌ହେଁ ସ୍ବଚ୍ଛ ଭାରତ ମିଶନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରତ୍ୟେକଙ୍କୁ ପାଇଖାନା ଯୋଗାଇ ଦିଆଯାଉଛି।

Advertisment

ସହଦେବଙ୍କ କ୍ଷେତ୍ରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପରିବାର ପ୍ରତିପୋଷଣ ପାଇଁ ଗତ ୬୦ ବର୍ଷ ତଳେ  ଝାଡ଼ଖଣ୍ଡର ମହୋନପୁରରୁ ରାଉରକେଲା ଚାଲିଆସିଥିଲେ ସହଦେବ। ତାଙ୍କ ପାଇଁ ସହରରେ ନୂଆ ଜୀବନ ଆରମ୍ଭ କରିବା ଏତେ ସହଜ ନଥିଲା। ଆରମ୍ଭରୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା ସହଦେବଙ୍କୁ। ନୟାବଜାରରେ ପତିପତ୍ନୀ ଏକ ଭଡା ଘରେ ରହୁଥିଲେ। ସହଦେବ ଓ ତାଙ୍କ ପତ୍ନୀ ନେତ କୁଡ଼ୁମୀ ଦୁହେଁ ରଙ୍ଗ କାମ କରି ପରିବାର ପ୍ରତିଷୋଷଣ କରୁଥିଲେ। ୫ ବର୍ଷ ପୂର୍ବେ ଛାତ ଉପରେ ଚଢ଼ି ରଙ୍ଗ ଦେଉଥିବା ବେଳେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ ସହଦେବ। ସ୍ବାମୀଙ୍କ ଚିକିତ୍ସା ପାଇଁ ନେତ ଦିନ ମୁଜରିଆ କାମ କରୁଥିଲେ। ୨୦୨୦ ମସିହାରେ ନେତ ଅଜଣା ରୋଗରେ ପଡ଼ି ଆରପାରିକୁ ଚାଲିଗଲେ। ଚିକିତ୍ସା ଅବହେଳାରୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ସହଦେବ। ସରକାରୀ ସହାୟତାରେ ସହଦେବଙ୍କୁ ପ୍ରତିମାସରେ ୫୦୦ ଟଙ୍କା ଲେଖାଏଁ ଭତ୍ତା ମିଳୁଥିଲା। ୮ରୁ ୯ ମାସ ହେବ ଭତ୍ତା ବନ୍ଦ ହୋଇଯାଇଛି। ପ୍ରତି ଥର ଆଶା ବାଡ଼ି ଧରି ଭତ୍ତା କେନ୍ଦ୍ରକୁ ଯାଇ ଫେରୁଛନ୍ତି ମହଦେବ। ଦୃଷ୍ଟିହୀନ ଝିଅ ପଡୋଶୀଙ୍କ ଘରେ କାମ କରି ବୁଢା ବାପାଙ୍କ ପେଟକୁ ଦାନା ଯୋଗାଡ କରୁଛନ୍ତି। ଦୃଷ୍ଟିହୀନ ଝିଅକୁ ପ୍ରତିମାସରେ ୫ ଟଙ୍କା ଭତ୍ତା ମିଳୁଛି। ସେଥିରେ ବୁଢ଼ା ବାପା ପାଇଁ ଔଷଧ ଆଣୁଛନ୍ତି। କିନ୍ତୁ ସହଦେବଙ୍କ ପାଖରେ ଏଯାଏଁ ସରକାରୀ ସହାୟତା ପହଞ୍ଚିପାରିନି।

ଏନେଇ ସହଦେବ କହନ୍ତି, ଛାତରୁ ପଡ଼ିବା ପରେ କାମ କରିବା ପାଇଁ ଅସମର୍ଥ ହୋଇଯାଇଛି। ଦୁଇ ପୁଅ ମଧ୍ୟ ପଚାରୁ ନାହାନ୍ତି। ମୋ ସାଙ୍ଗରେ ଅନ୍ଧୁଣୀ ଝିଅ ବି ହିନସ୍ତା ଭୋଗୁଛି। ସରକାର ଯାହା ଭତ୍ତା ଦେଉଥିଲେ ୯ ମାସ ହେବ ବନ୍ଦ କରିଦେଇଛନ୍ତି। ଏମିତି ଆଶା ବାଡ଼ି ଧରି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଫିସରୁ ବ୍ୟାଙ୍କକୁ ଥରେ ନୁହେଁ ଅନେକବାର ଯାଇଛି। କିନ୍ତୁ ଆଜି ସମସ୍ୟାର କୌଣସି ସମାଧାନ ହୋଇପାରିନି। ଅନ୍ଧୁଣୀ ଝିଅ ପଡୋଶୀଙ୍କ ଘରେ କାମ କରି ଖାଇବା ଯୋଗାଡ଼ କରୁଛି। ସହାୟତା ଯୋଗାଇ ଦେବାକୁ ଜିଲ୍ଲା ଓ ଆର୍‌ଏମ୍‌ସି ପ୍ରଶାସନକୁ ଗୁହାରି କରିଛନ୍ତି ସହଦେବ।