ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରି ବାମପନ୍ଥୀ ଦଳର ରାଲି

ଖୋର୍ଦ୍ଧା: ମିଳିତ ଶ୍ରମିକ ସଂଗଠନର ଡାକରାରେ ଦିଆଯାଇଥିବା ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ ଖୋର୍ଦ୍ଧାରେ ପ୍ରାୟତଃ ପ୍ରଭାବହୀନ ରହିଛି । ଷ୍ଟେଟ୍ ବ୍ୟାଙ୍କ ଓ ଅନ୍ୟ ଘରୋଇ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଶାଖା ଗୁଡ଼ିକ ବନ୍ଦ ଥଲା । ଖୋର୍ଦ୍ଧା ଶିଳ୍ପାଂଚଳ ଆଂଶିକ ଭାବେ ପ୍ରଭାବିତ ହୋଇଥିବା ବେଳେ ସହରର ଦୋକାନ ବଜାର, ଗାଡ଼ି ମୋଟର ସ୍ୱାଭାବିକ ଭାବେ ଚଳାଚଳ କରିଥିଲା । ବନ୍ଦକୁ ସମର୍ଥନ ଜଣାଇ ଖୋର୍ଦ୍ଧାର ବିଭିନ୍ନ ବାମପନ୍ଥୀ ସଂଗଠନ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସକାଳ ୭ଟା ବେଳେ ଖୋର୍ଦ୍ଧା ଶିଳ୍ପାଂଚଳରେ ସିଆଇଟିୟୁ, ଏଆଇଟିୟୁସି, ଏଆଇସିସିଟିୟୁ, ଏଚ୍ଏମ୍ଏସ୍ ୟୁନିଅନର କର୍ମକର୍ତ୍ତା ଓ ସଦସ୍ୟମାନେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କାରଖାନା ସମ୍ମୁଖରେ ପିକେଟିଂ କରି ବନ୍ଦ କରିଥିଲେ । ଏହାପରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶିକ୍ଷକ ନେତା କିଶୋର ଚନ୍ଦ୍ର ପରମଗୁରୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ହୋଇଥିଲା । ଏଥିରେ, ସିପିଆଇ-ଏମ୍ ଜିଲ୍ଲା ସମ୍ପାଦକ ଅନନ୍ତ ମଙ୍ଗରାଜ, ସିଆଇଟିୟୁ ଜିଲ୍ଲା ସମ୍ପାଦକ ଶୈଳେଶ ବଳିଆରସିଂହ, ଏସ୍ୟୁସିଆଇ (କମୁ୍ୟନିଷ୍ଟ)ର ଆଂଚଳିକ ସମ୍ପାଦକ ଅଶୋକ ସାହୁ, ଡିଏସ୍ଓର ଜୟନ୍ତ ମହାନ୍ତି, ଶ୍ରୀକାନ୍ତ ନାୟକ ପ୍ରମୁଖ ଚାରିଟି ଶ୍ରମ କୋଡକୁ ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା, ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ୨୬ହଜାର ଟଙ୍କା ସ୍ଥିର କରିବା, ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରିବା ଆଦି ୧୨ ଦଫା ଦାବି ଉପସ୍ଥାପନ କରିଥିଲେ ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ଗୁପ୍ତା ପାୱାର ଇନ୍ଫ୍ରାଷ୍ଟକ୍ଚର କର୍ମଚାରୀ ସଂଘର ସୁଦର୍ଶନ ସେନାପତି, ଡେଙ୍ଗଜଙ୍ଗ କର୍ମଚାରୀ ସଂଘର ସମ୍ପାଦକ ବିଶ୍ୱଜିତ ମହାନ୍ତି, ୟୁବି କର୍ମଚାରୀ ସଂଘର ସମ୍ପାଦକ ଦିଲିପ ମଙ୍ଗରାଜ, ଯୋଗେନ୍ଦ୍ର ଦାସ, ରବି ରାଉତରା, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର