ପାଣିକୋଇଲି : ସୁକିନ୍ଦା ତହସିଲ କାର୍ଯ୍ୟାଳୟରେ ଜଣେ ଆଇନଜୀବୀଙ୍କୁ ଆକ୍ରମଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଯାଜପୁରରୋଡ ବାର ଆସୋସିଏସନର କର୍ମକର୍ତ୍ତାମାନେ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପିଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଅଭିଯୋଗ ଅନୁଯାୟୀ କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗଡ଼ିଆ ଗ୍ରାମର ସରକାରୀ ଆଇନଜୀବୀ ପ୍ରହଲ୍ଲାଦ ମଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା।
ପୁଲିସ ୧୪୯/୨୪ରେ ଅନୁସୂଚିତ ଜାତି, ଜନଜାତି ସୁରକ୍ଷା ଦଫାରେ ମାମଲା ପଞ୍ଜିକୃତ କରିଛି। କିନ୍ତୁ ରାଜନୈତିକ ଚାପରେ ପୁଲିସ ଆକ୍ରମଣକାରୀଙ୍କୁ ଧରିବା ବଦଳରେ ସୁରକ୍ଷା ଦେଇଆସୁଛି। ଆକ୍ରମଣକାରୀ ପୁଣି ଆକ୍ରମଣ ପାଇଁ ଯୋଜନା କରୁଥିବାରୁ ପୀଡ଼ିତ ଆଇନଜୀବୀଙ୍କ ପରିବାର ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି। ପୁଲିସ ଡିଏସପି ବଳରାମ ନାୟକଙ୍କୁ ଏହାର ତଦନ୍ତଭାର ଦିଆଯାଇଥିଲେ ହେଁ ସେ ଘଟଣାସ୍ଥଳକୁ ଯାଇନାହାନ୍ତି।
ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନଜୀବୀ ଶ୍ରୀ ମଲ୍ଲିକଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଯାଜପୁରରୋଡ ବାର ଆସୋସିଏସନର ସଭାପତି ଅଚ୍ୟୁତାନନ୍ଦ ଦାଶ, ସମ୍ପାଦକ ରାଜେନ୍ଦ୍ର ବେହୁରାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏସ୍ପି ଭିନୀତ ଅଗ୍ରୱାଲଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତଦନ୍ତ ଅଧିକାରୀ ରଥଯାତ୍ରା ଡ୍ୟୁଟିରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଛନ୍ତି।