ଅଗ୍ନିଶମ ବିଭାଗ ଜୋତା କିଣା ଟେଣ୍ଡରରେ ଦୁର୍ନୀତି ଅଭିଯୋଗ : ବିଭାଗୀୟ ଅଧିକାରୀଙ୍କୁ ଲିଗାଲ୍ ନୋଟିସ୍

କଟକ : ରାଜ୍ୟ ଅଗ୍ନିଶମ, ହୋମଗାର୍ଡ ଏବଂ ସିଭିଲ୍ ଡିଫେନସ ବିଭାଗରେ ଜୋତା ଓ ‌କପଡା କିଣାରେ ପୁଣି ଦୁର୍ନୀତି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଟେଣ୍ଡରରେ ଭାଗ ନେଇଥିବା ଏକ ସଂସ୍ଥା ଅଭିଯୋଗ ଆଣିବା ସହ ବିଭାଗର ଆଇଜି ଏବଂ ଡେପୁଟି ଫାୟାର ଅଫିସର (ପ୍ରୋଭିଜନିଂଙ୍କୁ ଲିଗାଲ ନୋଟିସ ଜାରି କରିଛି। ଯେଉଁ ଭଳି ଢଙ୍ଗରେ ଟେଣ୍ଡର କାର୍ଯ୍ୟକାରୀ କରାଯାଇଛି, ‌ତାହାକୁ ବେଆଇନ ଦର୍ଶାଇ ଏ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରିବାକୁ ନୋଟିସରେ କୁହାଯାଇଛି। ଅନ୍ୟପଟେ ଏଭଳି ଅଭ‌ିଯୋଗକୁ ବିଭାଗ ପକ୍ଷରୁ ଖଣ୍ଡନ କରାଯାଇଛି।

୨୦୧୮, ଅଗଷ୍ଟ ୨୦ ତାରିଖରେ ବିଭାଗ ପକ୍ଷରୁ ସ୍ପୋର୍ଟସ ସୁ, ଖାକି କପଡା, ବୁଟ୍ ପଲିସ, କମ୍ବଳ, ମଶାରି, ଟୋପି, ବ୍ୟାଜ୍ ଇତ୍ୟାଦି କିଣିବା ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଟେଣ୍ଡର କାଗଜ କିଣିବାର ସମୟ ଥିବା ବେଳେ ସେହି ୧୦ ତାରିଖ ଅପରାହ୍ନ ୫ଟା ଥିଲା ଟେଣ୍ଡର ଦାଖଲର ଶେଷ ସମୟ। ସେପ୍ଟେମ୍ବର ୧୨ ତାରିଖ ଦିନ ୧୧ଟାରେ ଟେଣ୍ଡରରେ ଭାଗ ନେଇଥିବା ସଂସ୍ଥା ପ୍ରତିନିଧିଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ଅଭିଯୋଗ ଅନୁଯାୟୀ ଅନ୍ୟ ସାମଗ୍ରୀର ମାନ ଯାଞ୍ଚ ପାଇଁ ବିଶେଷଜ୍ଞ ରହିଥିଲେ ବି ଯୋତା ମାନ ଯାଞ୍ଚ ପାଇଁ କୌଣସି ସ୍ବତନ୍ତ୍ର ବିଶେଷଜ୍ଞ ନଥିଲେ। ସେହିଭଳି କପଡ଼ା କ୍ଷେତ୍ରରେ ମଧ୍ୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଯାଇଛି।

ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି ଯେ ନିର୍ଦ୍ଧାରିତ ନିୟମ ଆଧାରରେ ଟେଣ୍ଡର ନିଷ୍ପତ୍ତି ନିଆଯାଇଛି। ଇପିଏମ୍ ଅଧିକାରୀଙ୍କ ଉପସ୍ଥିତିରେ ଦାଖଲ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ତେଣୁ ଏଥିରେ ଦୁର୍ନୀତି ଅଭିଯୋଗ ଅମୂଳକ।

ସମ୍ବନ୍ଧିତ ଖବର