ନବକୁମାର କର
ଜଣେ ମହାନ୍ ପାଣ୍ଡିତ୍ୟର ବ୍ୟକ୍ତି ହେଉଛନ୍ତି ସ୍ବର୍ଗତ ବିକେ ମହାନ୍ତି, କାରଣ ତାଙ୍କର ମୁଖ୍ୟ ଆଦର୍ଶ ଥିଲା- କର୍ମ ହିଁ ପୂଜା। ମୁଁ ୧୯୫୭ରୁ ୧୯୯୧ରେ ତାଙ୍କ ଅବସର ଯାଏ ତାଙ୍କ ସହିତ ଜଡ଼ିତ ଥିଲି ଏବଂ ପ୍ରାୟ ୩୪ ବର୍ଷ ଧରି ଆମେ ଦୁହେଁ ଭୂତାତ୍ତ୍ବିକ ଓ ଖନନ କାର୍ଯ୍ୟକଳାପର ବିଭିନ୍ନ କ୍ଷେତ୍ରରେ ବହୁତ ନିକଟରୁ କାମ କରିଥିଲୁ। ସେ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହିତ ଓଡ଼ିଶା ଖଣି ନିଗମରେ ଖଣି ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଭାରତ ସରକାରଙ୍କ ଅଧୀନରେ ସୁକିନ୍ଦା ଉପତ୍ୟକାରେ ନିକେଲ୍ ଡିପୋଜିଟ୍ର ଭାରପ୍ରାପ୍ତ ଅଧିକାରୀ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ସେ ନାଗପୁରସ୍ଥିତ ଖଣି ବ୍ୟୁରୋ ଅଧୀନରେ ତାଲିମ ନେଇଥିଲେ ଏବଂ ପରେ ସରକାରଙ୍କ ଛାତ୍ରବୃତ୍ତି ପାଇ ବିଭିନ୍ନ ଖଣିଜ ସମ୍ପଦର ବିସ୍ତୃତ ଅଧ୍ୟୟନ ଓ ତାଲିମ ପାଇଁ ବିଦେଶ ଯାଇଥିଲେ। ସ୍ବର୍ଗତ ମହାନ୍ତି ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ବିକାଶ ଏବଂ ଖଣିଜ ଅନୁସନ୍ଧାନ ଓ ତାହା ସହ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରରେ ମୋ’ ସହିତ ଘନିଷ୍ଠ ଯୋଗାଯୋଗରେ ଥିଲେ। ଚାକିରିକାଳ ଭିତରେ ତାଙ୍କର ପ୍ରାରମ୍ଭିକ କାର୍ଯ୍ୟ ଥିଲା ୧୯୫୬-୫୭ ମସିହାରେ ରାଜ୍ୟର ମହାନଦୀ ଉପତ୍ୟକାର ଡୁଙ୍ଗୁରିରେ ଗଚ୍ଛିତ ଚୂନପଥରର ଅନୁସନ୍ଧାନ। ୧୯୫୭ ମସିହାରେ ମୁଁ ଖଣି ନିର୍ଦ୍ଦେଶାଳୟରେ ଜଣେ ସହାୟକ ଭୂତତ୍ତ୍ବବିତ୍ ଭାବରେ ନିଯୁକ୍ତ ହୋଇଥିଲି। ଆମେ ପ୍ରଥମେ ଦୈତାରିରେ ଗଚ୍ଛିତ ଲୁହାପଥରର ଅନୁସନ୍ଧାନ ପାଇଁ କାମ କରିଥିଲୁ। ସେହି ସମୟରେ ୧୯୫୫ ମସିହାରେ ଖଣି ନିର୍ଦ୍ଦେଶାଳୟ ସୃଷ୍ଟି ହୋଇଥିଲା ଏବଂ ଏହାର ପ୍ରାରମ୍ଭିକ ମୁଖ୍ୟାଳୟ ସମ୍ବଲପୁରରେ ଥିଲା। ସେତେବେଳେ ଆଇଏଏସ୍ ଏ. ଜି. ମେନନ୍ ଓଡ଼ିଶା ସରକାରଙ୍କ ଖଣି ସଚିବ ଥିଲେ, ଯାହାଙ୍କ ମାର୍ଗଦର୍ଶନରେ ଖଣି ନିର୍ଦ୍ଦେଶାଳୟ ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ୧୯୫୭ରେ ନିର୍ଦ୍ଦେଶାଳୟକୁ ସମ୍ବଲପୁରରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ଏବଂ ପୁରୁଣା ଭୁବନେଶ୍ବରର ମୂଳାପଡ଼ିଆ ଅଞ୍ଚଳରେ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା। ବିଡି ପୃଷ୍ଟିଙ୍କୁ ଉପନିର୍ଦ୍ଦେଶକ ଓ ବିକେ ମହାନ୍ତିଙ୍କୁ ଖଣି ଅଧିକାରୀ(ପ୍ରସ୍ପେକ୍ଟିଂ) ଭାବେ ନିଯୁକ୍ତ କରାଯାଇଥିଲା। ଡୁଙ୍ଗୁରି ଚୂନପଥର ଅନୁସନ୍ଧାନ ସରିବା ପରେ ମୋତେ ଓ ସ୍ବର୍ଗତ ମହାନ୍ତିଙ୍କୁ ଦୈତାରିର ଗଚ୍ଛିତ ଲୁହାପଥର ଅନ୍ବେଷଣ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା। ସେତେବେଳେ ଦୈତାରିକୁ କୌଣସି ପରିବହନ ସୁବିଧା ନଥିବାରୁ ତାହା ଅତ୍ୟନ୍ତ ଦୁର୍ଗମ ରହିଥିଲା। ଆମକୁ ସୁକିନ୍ଦା ଉପତ୍ୟକାରୁ ଦୈତାରିସ୍ଥିତ ଗଚ୍ଛିତ ଲୁହାପଥର ଅଞ୍ଚଳର ଶୀର୍ଷକୁ ପାଦରେ ଚାଲି ଚାଲି ଯିବା ଓ ଫେରିବାରେ ପ୍ରାୟ ୩୦ କିଲୋମିଟର ଅତିକ୍ରମ କରିବାକୁ ପଡୁଥିଲା। ଦୈତାରିର ସେହି ସ୍ଥାନଟି ହାତୀ, ବାଘ, ଭାଲୁ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଦ୍ବାରା ଭରି ରହିଥିଲା ଏବଂ ସେଭଳି ପ୍ରତିକୂଳ ପରିବେଶରେ କାମ କରିବା ଆମ ପାଇଁ ଏକ ଆହ୍ବାନ ଥିଲା।
ମୋର ମନେଅଛି, ଯେତେବେଳେ ଟମକାରୁ ସାରୁଆବିଲ କ୍ରୋମାଇଟ୍ ଖଣିକୁ ଯାତ୍ରା କରୁଥିଲୁ, ଆମେ ଏକ ମହାବଳ ବାଘକୁ ସାମନା କରିଥିଲୁ ଏବଂ ସ୍ବର୍ଗତ ମହାନ୍ତି ଓ ମୁଁ ଜିପ୍ରେ ବସି ଭୟଭୀତ ହୋଇ ସୁଦ୍ଧା ସେହି ଦୃଶ୍ୟକୁ ଉପଭୋଗ କରୁଥିଲୁ। ବାଘଟି ସେଠାରୁ ହଟିଯିବା ଯାଏ ଆମକୁ ପ୍ରାୟ ଘଣ୍ଟାଏ କାଳ ଅପେକ୍ଷା କରିବାକୁ ପଡ଼ିଥିଲା। ଜାପାନକୁ ଲୁହାପଥର ରପ୍ତାନି ପାଇଁ ଟ୍ୟାଗ୍ ହୋଇଥିବା ଦୈତାରି ଲୁହାପଥର ଭଣ୍ଡାରର ଅନୁସନ୍ଧାନ ପାଇଁ ଓଡ଼ିଶା ସରକାର ସ୍ବତନ୍ତ୍ର ପ୍ରାଧାନ୍ୟ ତଥା ସର୍ବାଧିକ ଗୁରୁତ୍ବ ଦେଉଥିଲେ। କେନ୍ଦୁଝର ଜିଲ୍ଲାର ଘଟଗାଁରୁ ହରିଚନ୍ଦନପୁର ଦେଇ ଦୈତାରିର ତଳପଡ଼ା ଗ୍ରାମ ସ୍ଥିତ ବେସ୍ କ୍ୟାମ୍ପ୍ ଯାଏ ପ୍ରାୟ ୨୫ କି.ମି. ଦୂରତାର ସଂଯୋଜକ ରାସ୍ତା ନିର୍ମାଣ ପରେ ଆମେ ଅନୁସନ୍ଧାନ କାର୍ଯ୍ୟଭାର ଆରମ୍ଭ କରିଥିଲୁ। ଆମେ ଶିବିର ପକାଇଥିବା ତଳପଡ଼ାରେ ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟ ରହୁଥିଲେ। ସେତେବେଳର ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଏବଂ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏଥିରେ ବିଶେଷ ଆଗ୍ରହ ପ୍ରକାଶ କରିଥିଲେ ଏବଂ ଦୁର୍ଗମ ତଥା ବିପଦସଂକୁଳ ଅଞ୍ଚଳରେ ଖଣିଜ ଅନୁସନ୍ଧାନରେ ସମସ୍ତ ପ୍ରକାର ସାହାଯ୍ୟ ଓ ସମର୍ଥନ ଯୋଗାଇବାକୁ ସେମାନଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ କରିଥିଲେ। ମୋର ମନେ ପଡୁଛି, ଥରେ ଆମେ ତମ୍ବୁ ଭିତରେ ଶୋଇଥିଲା ବେଳେ ଆମ ପାଖ ଦେଇ ରଡ଼ି ଛାଡ଼ି ଯାଉଥିବା କିଛି ବନ୍ୟଜନ୍ତୁଙ୍କର ଆମେ ସାମନା କରିଥିଲୁ। ସେହି ସମୟରେ କେନ୍ଦୁଝର ଜିଲାର ଜିଲ୍ଲାପାଳ ଥାଆନ୍ତି ଆଇଏଏସ୍ ଗଣନାଥ ଦାସ, ଯିଏ ଖଣିଜ ଆଧାରିତ କାର୍ଯ୍ୟକଳାପ ପାଇଁ ଆମକୁ ବହୁତ ସାହାଯ୍ୟ କରିଥିଲେ।
ଦୈତାରି ପାହାଡ଼କୁ ଯିବା ରାସ୍ତାଟି ଭାରୀ କଷ୍ଟକର ଥିଲା ଏବଂ ଆମେ ଭୂତାତ୍ତ୍ବିକ ସର୍ବେକ୍ଷଣ ପାଇଁ ପାହାଡ଼ର ଶୀର୍ଷକୁ ଯିବାକୁ ପଡୁଥିଲା। ଦୈତାରି ସମେତ ସବୁଠୁ ଦୁର୍ଗମ ଅଞ୍ଚଳରେ ଗାତ, ଶିଆର ଏବଂ ହୀରକ ଖନନ ଦ୍ବାରା ଖଣିଜପଥରର ଅନୁସନ୍ଧାନ କରାଯାଉଥିଲା। ଦଶ କୋଟି ଟନ୍ ଓଜନର ଲୁହାପଥର ଭଣ୍ଡାର ରହିଛି ବୋଲି ଆମେ ପ୍ରାରମ୍ଭିକ ମୂଲ୍ୟାଙ୍କନ କରି ଏକ ରିପୋର୍ଟ ଦେଇଥିଲୁ। ପରେ ୧୯୬୦-୬୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଜାପାନୀ ବିଶେଷଜ୍ଞ ଦଳ ଦୁଇଥର ଦୈତାରି ପରିଦର୍ଶନରେ ଆସି ଭାରତ ସରକାରଙ୍କୁ ବିସ୍ତୃତ ରିପୋର୍ଟ ଦେଇଥିଲେ।
ଆମର ଦୈତାରି ଅଭିଜ୍ଞତା ଭାରୀ ଖରାପ ରହିଥିଲା, କାରଣ ସ୍ଥାନୀୟ ଅଞ୍ଚଳରେ କୌଣସି ଖାଦ୍ୟସାମଗ୍ରୀ ଉପଲବ୍ଧ ନଥିଲା। ତେଣୁ ଦୈନନ୍ଦିନ ଖାଦ୍ୟ ଭରଣା ପାଇଁ ଆମକୁ ହୁଏତ କେନ୍ଦୁଝର କି ଯାଜପୁର-କେନ୍ଦୁଝର ରୋଡ୍ ଯାଏ ଶହେ କି.ମି.ରୁ ଅଧିକ ବାଟ ଯିବାଆସିବା କରିବାକୁ ପଡୁଥିଲା। ସେହି ସମୟରେ ଭାରତୀୟ ଭୂତାତ୍ତ୍ବିକ ସର୍ବେକ୍ଷଣ ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସହିତ ଖଣିନିୟନ୍ତ୍ରକ(ଆଇବିଏମ୍) କେ. ଏସ୍. ମହାପାତ୍ର ଦୈତାରି ଲୁହାପଥର ଖଣି ଅନୁସନ୍ଧାନରେ ଆସୁଥିଲେ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସେମାନଙ୍କର ମୂଲ୍ୟାଙ୍କନ ବିବରଣୀ ଦାଖଲ କରୁଥିଲେ।
ସେହି ଦିନମାନଙ୍କରେ ଅନୁସନ୍ଧାନ ଓ ଅନ୍ୟାନ୍ୟ କ୍ଷେତ୍ର କାର୍ଯ୍ୟକଳାପ ଅବସରରେ ସରକାରୀ ଅଧିକାରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆମକୁ କିଛି ବନ୍ଧୁକଧାରୀ ଯୋଗାଇ ଦିଆଯାଉଥିଲା, ଯେଉଁମାନଙ୍କୁ ଶିକାରୀ କୁହାଯାଉଥିଲା। ଓଡ଼ିଶା ସରକାର ବିଭୀଷଣ ମୁଣ୍ଡା ନାମରେ ଜଣେ ଶିକାରୀଙ୍କୁ ଏଥିପାଇଁ ନିଯୁକ୍ତ କରିଥିଲେ ଯିଏ କି କାମ ସମୟରେ ବିଚଳିତ କରୁଥିବା ଅନେକ ବନ୍ୟଜନ୍ତୁଙ୍କୁ ଗୁଳି କରି ହତ୍ୟା କରିଥିଲେ।
ବିଭିନ୍ନ ତଦନ୍ତ ଆଧାରରେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ଅଡ଼ିଟିଂ ଓ ଟନେଲିଂ ମାଧ୍ୟମରେ ଦୈତାରିରେ ୧୯୬୨-୬୩ ଏବଂ ପରେ ଗଚ୍ଛିତ ଲୁହାପଥରର ମାନ ଓ ପରିମାଣ ମୂଲ୍ୟାଙ୍କନ କରିବା ପାଇଁ ନାଗପୁରସ୍ଥିତ ଭାରତୀୟ ଖଣି ବ୍ୟୁରୋକୁ ଦାୟିତ୍ବ ଦେଇଥିଲେ। ଚୂଡ଼ାନ୍ତରେ ଖଣି ଖନନ ଓ ଜାପାନକୁ ଲୁହାପଥର ରପ୍ତାନି ପାଇଁ ରାଜ୍ୟ ସରକାର ଓଡ଼ିଶା ଖଣି ନିଗମକୁ ଉକ୍ତ ଖଣିକୁ ଲିଜ୍ ସୂତ୍ରରେ ଦେଇଥିଲେ। ଖନନ ସମୟରେ ବହୁ ପରିମାଣର ଲୁହାଗୁଣ୍ଡ ଉତ୍ପାଦିତ ହେଉଥିବାରୁ ଲୁହାପଥରର ଉନ୍ନତୀକରଣ ପାଇଁ ସଂପୃକ୍ତ ଅଞ୍ଚଳରେ ଏକ ପେଲେଟ୍ କାରଖାନା ମଧ୍ୟ ସ୍ଥାପନ କରାଯାଇଥିଲା।
୧୯୬୨ ମସିହାରେ ସ୍ବର୍ଗତ ମହାନ୍ତିଙ୍କୁ ଖଣି ଓ ଭୂତତ୍ତ୍ବ ବିଭାଗର ଉପନିର୍ଦ୍ଦେଶକ ଭାବରେ ପଦୋନ୍ନତି ଦିଆଯାଇ ଭୁବନେଶ୍ବରରେ ଅବସ୍ଥାପିତ କରାଯାଇଥିଲା। ତେଣୁ ବଳକା କାମର ଦାୟିତ୍ବଭାର ମୋତେ ନେବାକୁ ପଡ଼ିଲା ଏବଂ ମୁଁ ଭାରତୀୟ ଖଣି ବ୍ୟୁରୋ ସହ ଅନୁସନ୍ଧାନ ଜାରି ରଖିଥିଲି। ୧୯୭୨ ମସିହାରେ ସ୍ବର୍ଗତ ମହାନ୍ତି ପଦୋନ୍ନତି ପାଇ ଖଣି ନିର୍ଦ୍ଦେଶକ ହୋଇଥିଲେ ଏବଂ ସେହି ପଦବିରେ ୧୯୯୧ ଯାଏ ରହିଥିଲେ। ସେ ଯୋଡ଼ା-ବଡ଼ବିଲରେ ଥିବା ବକ୍ସାଇଟ୍, କ୍ରୋମାଇଟ୍ ଓ ଲୁହାପଥର ଭଣ୍ଡାର, ସମ୍ବଲପୁର ଅଞ୍ଚଳରେ ଥିବା ଚୂନପଥର ଭଣ୍ଡାର ଏବଂ ଇବ୍ ନଦୀ ଉପତ୍ୟକା ଓ ତାଳଚେର ଅଞ୍ଚଳରେ ଥିବା କୋଇଲା ଭଣ୍ଡାର ଭଳି ଓଡ଼ିଶାରେ ଗଚ୍ଛିତ ଥିବା ବିଭିନ୍ନ ଖଣିଜର ଉତ୍ତୋଳନ ପାଇଁ ଏକ ମାଷ୍ଟରପ୍ଳାନ୍ ପ୍ରସ୍ତୁତ କରିଥିଲେ। ସେ ନିର୍ଦ୍ଦେଶାଳୟରେ ତତ୍ ସମ୍ବନ୍ଧିତ କ୍ଷେତ୍ରରେ ବିଭିନ୍ନ ବୈଷୟିକ କର୍ମଚାରୀଙ୍କ ନିଯୁକ୍ତି ଆରମ୍ଭ କରି ଏବଂ ଏକ ଖଣିଜ ବିଶ୍ଳେଷଣାତ୍ମକ ପ୍ରୟୋଗଶାଳା ସ୍ଥାପନ କରି ନିର୍ଦ୍ଦେଶାଳୟକୁ ଏକ ନୂତନ ରୂପରେଖ ଦେଇଥିଲେ। ଗୋଟିଏ ଶବ୍ଦରେ କହିବାକୁ ଗଲେ ସେ ସମ୍ବଲପୁର-ସୁନ୍ଦରଗଡ଼ ଅଞ୍ଚଳରେ ହୀରା ଓ ରତ୍ନପଥର ଭଣ୍ଡାର ଅନୁସନ୍ଧାନ ପଛରେ ରହିଥିଲେ। ସେ ନିର୍ଦ୍ଦେଶାଳୟ ପାଇଁ ଅଭିବୃଦ୍ଧିର ଏକ ନୂତନ ଦିଗନ୍ତ ଖୋଲିଥିଲେ ଏବଂ ପରିଶେଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ ପ୍ରୟାସ କରିଥିଲେ।
ଓଡ଼ିଶା ଖଣି ନିଗମରେ ଯୋଜନା ଅଧିକାରୀ ଭାବରେ କାର୍ଯ୍ୟ କରିବା ସମୟରେ ମୁଁ ମଧ୍ୟ ସ୍ବର୍ଗତ ମହାନ୍ତିଙ୍କ ସହ ଜଡ଼ିତ ଥିଲି, ଯେଉଁଠାରେ ସିଏ ୧୯୭୦ରୁ ୧୯୭୫ ଯାଏ ଖଣି ପରାମର୍ଶଦାତା ରହିଥିଲେ।
ଅବସର ପରେ ସ୍ବର୍ଗତ ମହାନ୍ତିଙ୍କ ଏକ ପ୍ରମୁଖ ଅବଦାନ ଥିଲା ଭୂବୈଜ୍ଞାନିକ ଓ ସହଯୋଗୀ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ସମାଜ(ଏସ୍ଜିଏଟି) ଗଠନ, ଯାହା ଭୂତତ୍ତ୍ବବିତ୍ ଓ ପ୍ରଯୁକ୍ତିବିତ୍ମାନଙ୍କୁ ତାଲିମ ଦେଇ ଆସୁଛି ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ ଖଣି ପ୍ରତିଷ୍ଠା ସହ ନିବିଡ଼ ସମ୍ପର୍କ ରଖି ବିଭିନ୍ନ ସଂସ୍ଥାକୁ ବିଶେଷଜ୍ଞ ପରାମର୍ଶ ଓ ଉପଯୁକ୍ତ ଅନୁସନ୍ଧାନ ପାଇଁ ପରାମର୍ଶ ଦେଉଛି। ସ୍ବର୍ଗତ ମହାନ୍ତି ଏକ ନୂତନ ଖଣିଜ ନୀତି ପ୍ରସ୍ତୁତ କରିଛନ୍ତି ଏବଂ ଭୂତାତ୍ତ୍ବିକ ଖନନ କାର୍ଯ୍ୟକଳାପ ଉପରେ ଏକ ପୁସ୍ତକ ଲେଖିଛନ୍ତି। ମୁଁ ଜୋର କରି କହିପାରେ କି, ତାଙ୍କର ମୋ’ ପ୍ରତି ଯଥେଷ୍ଟ ଶ୍ରଦ୍ଧା ରହିଥିଲା ଏବଂ ମୋତେ ଜଣେ ଦକ୍ଷ ଖଣି ଅଧିକାରୀ ହେବା ପାଇଁ ସେ ସର୍ବଦା ମାର୍ଗଦର୍ଶନ କରିଥିଲେ। ସଚିବାଳୟରେ କିମ୍ବା ବିଭିନ୍ନ ବୈଷୟିକ ମଞ୍ଚରେ ଅନେକ ଉଚ୍ଚସ୍ତରୀୟ ବୈଠକ ଆଦି ଯେଉଁଠିକି ସେ ଯାଉଥିଲେ, ମୋର ଉପସ୍ଥିତି ସର୍ବଦା ତାଙ୍କ ସହିତ ରହିଥିଲା। ତାଙ୍କ ଚାକିରିକାଳରେ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ରାଜ୍ୟର ଗଚ୍ଛିତ ଖଣିଜ ଭଣ୍ଡାରର ବିକାଶ। ସେଥି ପାଇଁ ସେ ଅନେକ ଶୀର୍ଷ ଅମଲାତନ୍ତ୍ର ଓ ଅନ୍ୟାନ୍ୟ ରାଜନେତାଙ୍କ ସହ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରକ୍ଷା କରିଥିଲେ। ଏଲ୍ଆଇ ପରିଜା, ଭିକେ ମାଥ୍ୟୁସ, କେଏସ୍ ରାମଚନ୍ଦ୍ରନ୍, ଆର୍ଏନ୍ ଦାସ, କେଏସ୍ ଶ୍ରୀନିବାସନ୍ ଓ ବିମଳେନ୍ଦୁ ମିଶ୍ରଙ୍କ ଭଳି ସେତେବେଳର ଅମଲାମାନେ ଖଣି ଅନୁସନ୍ଧାନ ଓ ତଦନ୍ତ ପାଇଁ ସ୍ବର୍ଗତ ମହାନ୍ତିଙ୍କ ଚିନ୍ତାଧାରା ଓ କାର୍ଯ୍ୟକଳାପକୁ ନୈତିକ ତଥା ପେସାଗତ ସମର୍ଥନ ଦେଇଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜେ.ବି. ପଟ୍ଟନାୟକ ପ୍ରମୁଖ ସ୍ବର୍ଗତ ମହାନ୍ତିଙ୍କ ଠାରୁ ଅନେକ ସିଧାସଳଖ ସୂଚନା ଓ ରିପୋର୍ଟ ଲାଭ କରିଥିଲେ।
ମୋର ଏବେ ସୁଦ୍ଧା ବି ମନେଅଛି ୧୯୫୭ ମସିହାରେ ସୁନ୍ଦରଗଡ଼ରେ ତାଙ୍କ ବିବାହରେ ଯୋଗ ଦେବା କଥା। ଏତଦ୍ବ୍ୟତୀତ ଆମେ ପୁରୁଣା ଭୁବନେଶ୍ବର ଅଧୀନ କେଦାରଗୌରୀ ଆଖପାଖ ଅଞ୍ଚଳରେ ପ୍ରାୟ ଏକାଠି ରହୁଥିଲୁ। ଖଣି ନିର୍ଦ୍ଦେଶାଳୟରେ ତାଙ୍କ କାର୍ଯ୍ୟକାଳ ସମୟରେ ଆମେ ନିୟମିତ ଭାବରେ ‘ଏକ୍ସପ୍ଳୋରର’ ନାମକ ଏକ ବୈଷୟିକା ପତ୍ରିକା ପ୍ରକାଶ କରୁଥିଲୁ। ତାଙ୍କର ପରଲୋକ ଗମନ ରାଜ୍ୟ ତଥା ଦେଶର ଖଣି ଚିନ୍ତନ କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମୁଁ ଏତିକି ଆଶା କରୁଛି କି, ତାଙ୍କର ଚିନ୍ତାଧାରା ଓ ଦୃଷ୍ଟିକୋଣ ‘ଏସ୍ଜିଏଟି’ ଦ୍ବାରା ଆଗକୁ ବଢ଼ିବ, ଯାହା ତାଙ୍କର ମାନସ ସନ୍ତାନ ତଥା ତାଙ୍କ ଉଜ୍ଜଳ କ୍ୟାରିଅରର ଏକ ପ୍ରକୃତ ପ୍ରମାଣ ଥିଲା। ଖଣି ଶିଳ୍ପରେ ନିଜକୁ ଉତ୍ସର୍ଗ କରି ଦେଇଥିବା ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ସାରା ଓଡ଼ିଶା ମନେ ରଖିଥିବ। ପରିଶେଷରେ ତାଙ୍କ ସହ ମୋର ସମ୍ପର୍କରୁ ମୁଁ ଏକଥା କହିପାରିବି ଯେ ସେ କଣେ ସଚ୍ଚା ଭଦ୍ରଲୋକ ଏବଂ ନିଜସ୍ବ ଅଧିକାରର ନେତା ଥିଲେ ଏବଂ ରାଜ୍ୟର ଖଣିଜ ସମ୍ପଦର ନିରନ୍ତର ବିକାଶ ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ଓଡ଼ିଶାକୁ ଏକ ନୂତନ ସ୍ପନ୍ଦନ ଦେଖାଇ ପାରିଛି। ମୁଁ ଏକଥା ମଧ୍ୟ ଉଲ୍ଲେଖ କରିପାରିବି କି, ସେ ଜଣେ କର୍ମପିପାସୁ ଥିଲେ ଏବଂ ତାଙ୍କ ଭଳି ଉତ୍ତୁଙ୍ଗ ବ୍ୟକ୍ତିତ୍ବକୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି। ସେ ସେମିତି ଚିରସ୍ମରଣୀୟ ଓ ଚିରନମସ୍ୟ ହୋଇ ରହିଥିବେ।
ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ,
ଓଡ଼ିଶା ଇସ୍ପାତ ଓ ଖଣି ନିର୍ଦ୍ଦେଶାଳୟ
ମୋ: ୭୮୭୨୯୪୫୦୧୦