କଟକ: କଟକ ବାରବାଟୀ ଷ୍ଟାଡିୟମରେ ଲିଜେଣ୍ଡ୍ସ ଲିଗ୍ କ୍ରିକେଟ୍ (ଏଲ୍ଏଲ୍ସି)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱଧୀନ ଇଣ୍ଡିଆ କ୍ୟାପିଟାଲ୍ସ, ଗୁରୁବାର ହର୍ଭଜନ ସିଂହଙ୍କ ମଣିପାଲ ଟାଇଗର୍ସକୁ ଭେଟିବ। ବର୍ତ୍ତମାନ ଇଣ୍ଡିଆ କ୍ୟାପିଟାଲ୍ସ,, ଗୁଜରାଟ ଜିଆଂଟ୍ସ ଓ ଭିଲ୍ୱାରା କିଙ୍ଗ୍ସ ନିକଟରେ ୫ ପଏଂଟ୍ ଲେଖାଏଁ ରହିଛି। ଇଣ୍ଡିଆ କ୍ୟାପିଟାଲ ୪ଟି ମ୍ୟାଚ୍ ଖେଳିଥିବା ବେଳେ ଉଭୟ ଜିଆଂଟ୍ସ ଓ କିଙ୍ଗ୍ସ ୫ଟି ଲେଖାଏଁ ମ୍ୟାଚ୍ ଖେଳିଛନ୍ତି। କିନ୍ତୁ ଭଲ ରନ୍ ରେଟ୍ କାରଣରୁ ଇଣ୍ଡିଆ କ୍ୟାପିଟାଲ୍ସ ଟେବୁଲ୍ର ଶୀର୍ଷରେ ରହିଛି। ତେଣୁ ଗୁରୁବାର ମ୍ୟାଚ୍ ଜିତିଲେ ଇଣ୍ଡିଆ ଟିମ୍ସର ପଏଂଟ୍ ଶୀର୍ଷରେ ପହଂଚିବ ।
ଏହି ମ୍ୟାଚ୍ ମଣିପାଲ୍ ଟାଇଗର୍ସ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମଣିପାଲ୍ ଟାଇଗର୍ସ ମୋଟ ୪ଟି ମ୍ୟାଚ୍ ଖେଳିଥିବା ବେଳେ ୩ ପଏଂଟ୍ ସହ ପଏଂଟ୍ ଟେବୁଲର ନିମ୍ନରେ ରହିଛି। ତେଣୁ କ୍ୟାପିଟାଲ୍ସ ବିରୋଧରେ ଏକ ବିଜୟ ଦଳକୁ ୫ ପଏଂଟ୍ରେ ପହଂଚାଇ ପାରିବ। ଏହା ପୂର୍ବ ମ୍ୟାଚ୍ରେ ଭିଲ୍ୱାରା କିଙ୍ଗ୍ସ ବିରୋଧରେ ଏକ ରୋମାଂଚକର ମ୍ୟାଚ୍ରେ ମଣିପାଲ୍ ଟାଇଗର୍ସ ଭଲ ପ୍ରଦର୍ଶନ କରିଥିଲା। ସ୍କିପର୍ ହର୍ଭଜନ ନିଜ ଟିମ୍ର ପ୍ରୟାସକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହି ପୂର୍ବତନ ଭାରତୀୟ ଅଫ୍-ସ୍ପିନର୍ କହିଛନ୍ତି, ‘ଯେତେବେଳେ ଖେଳାଳିମାନେ ନିଜର ୧୦୦% ପ୍ରୟାସ କରିଥାନ୍ତି ଜଣେ କ୍ୟାପ୍ଟେନ ହିସାବରେ ତାହା ଆପଣଙ୍କୁ ଖୁସି ଦେଇଥାଏ। ମୁଁ ମଧ୍ୟ ଅଧିନାୟକତ୍ୱ ସମ୍ପର୍କରେ ବହୁତ କିଛି ଶିଖୁଛି। ସମସ୍ତ ସଦସ୍ୟ ନିଜର ସର୍ବୋତମ ପ୍ରଦର୍ଶନ ଦେଉଛନ୍ତି ଏବଂ ଆମେ ଶେଷ ପର୍ଯ୍ୟନ୍ତ ଲଢେଇ କରିବୁ।’
ଅନ୍ୟପକ୍ଷରେ ଗୁରୁବାର ମ୍ୟାଚ୍ ଟାଇଗର୍ସ ପାଇଁ ସହଜ ହେବ ନାହିଁ। ଟାଇଗର୍ସ ନିକଟରେ ଜେସି ରାଇଡର, ଟାଟେଣ୍ଡା ଟାଇବୁ, କୋରି ଆଣ୍ଡର୍ସନ୍ ଓ ମହମ୍ମଦ କୈଫ୍ଙ୍କ ଭଳି ମହାନ ବ୍ୟାଟ୍ସମ୍ୟାନ୍ ଥିଲେ ମଧ୍ୟ କ୍ୟାପିଟାଲ୍ସ ବୋଲର୍ ପ୍ରବୀଣ ତାମ୍ବେ, ମିସେଲ୍ ଜନ୍ସନ୍ ଓ ଆସ୍ଲି ନର୍ସ ସେମାନଙ୍କୁ କଡା ଟକ୍କର ଦେବେ। ସେହିପରି ଇଣ୍ଡିଆ କ୍ୟାପିଟାଲ୍ସ ମଧ୍ୟ ହର୍ଭଜନ, ମୁଟ୍ଟିୟା ମୁରଲୀଧରନ ଓ ଦିଲ୍ହାରା ଫର୍ନାଣ୍ଡୋଙ୍କ ଭଳି କିମ୍ବନ୍ଦନ୍ତୀ ବୋଲରଙ୍କୁ ସାମ୍ନା କରିବା ପାଇଁ ଗୌତମ ଗମ୍ଭୀର, ସୋଲୋମନ୍ ମିରେ, ହାମିଲ୍ଟନ୍ ମାସାକାଜାଦାଙ୍କ ଭଳି ବ୍ୟାଟର୍ଙ୍କ ଉପରେ ନିର୍ଭର କରିବ।