ବିଧାନସଭା ଗୃହ କମିଟିର କଳିଙ୍ଗନଗର ଗସ୍ତ, ବିସ୍ଥାପିତ କଲୋନି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ

ଦାନଗଦୀ : ବିଧାନସଭା ଗୃହ କମିଟି ଆଜି କଳିଙ୍ଗନଗର ଶିଳ୍ପାଞ୍ଚଳ ଗସ୍ତ କରିଛି। ଭୂମିପୁତ୍ର ଓ ବିସ୍ଥାପିତଙ୍କ ଦୟନୀୟ ସ୍ଥିତି ଦେଖି ଅସନ୍ତୋଷ ପ୍ରକାଶ କରିବା ସହିତ ତ୍ୱରିତ ପଦକ୍ଷେପ ପାଇଁ କମିଟି ଜିଲ୍ଲାପାଳଙ୍କୁ ତାଗିଦ୍‌ କରିଛି।

ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ନେତୃତ୍ୱରେ ଆସିଥିବା ବିଧାନସଭା କମିଟି କଳିଙ୍ଗନଗରର ତ୍ରିଜଙ୍ଗା ବିସ୍ଥାପିତ କଲୋନିର ଶୋଚନୀୟ ଅବସ୍ଥା ଓ କଳକାରଖାନା ଦ୍ୱାରା ଧୂଳିଧୂଆଁ ଓ ପ୍ରଦୂଷଣରେ ଅଣନିଶ୍ୱାସୀ ସାରଙ୍ଗପୁର, ଅରାସାହି, କଚେରୀ ଗାଁ, ଟାଙ୍ଗରସାହିର ବାସିନ୍ଦାଙ୍କ ଭୟଙ୍କର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତିି। କଳିଙ୍ଗନଗରର ଭୂମିପୁତ୍ରଙ୍କର ଏହି ଦୟନୀୟ ଅବସ୍ଥା ଦେଖି ଶ୍ରୀ ମାରାଣ୍ଡି ଘୋର ଉଦ୍‌ବେଗ ପ୍ରକାଶ କରିବା ସହିତ ତ୍ୱରିତ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ତାଗିଦ୍‌ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ଆୟୁବ ଖାଁ, ରେଙ୍ଗାଳି ବିଧାୟକ ରମେଶ ପଟୁଆ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ସ୍ଥାନୀୟ ବିଧାୟକ ଇଂ ପ୍ରୀତିରଂଜନ ଘଡ଼ାଇ କମିଟିରେ ସାମିଲ ଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଏଡିଏମ୍‌ କଳିଙ୍ଗନଗର ସନ୍ତୋଷ କୁମାର ମିଶ୍ର, ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ଦାନଗଦୀ ବିଡିଓ ବିଶ୍ୱଜିତ୍‌ ଦାସଙ୍କ ସମେତ ବିଭିନ୍ନ ସରକାରୀ ଅଫିସର ଓ କାରଖାନାର ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର